• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର । ଓଡ଼ିଆରେ ଶପଥ ନେଲେ ଓଡ଼ିଆ ସାଂସଦ । ଲୋକସଭା ସଦସ୍ୟ ଭାବେ ଆଜି ଓଡ଼ିଶାର ୧୯ ଜଣ ସାଂସଦ ଶପଥ ନେଇଛନ୍ତି । ଖୁସିର କଥା ହେଉଛି, ପ୍ରଥମ ଦିନରୁ ହିଁ ଓଡ଼ିଆ ଅସ୍ମିତାର ଝଲକ୍ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ାରୁ ବିଜେପି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶପଥ ନେଇଛନ୍ତି ।

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା କଥା କହି ନିର୍ବାଚନ ଲଢ଼ିଥିବା ବିଜେପି, ଏଥର ୨୧ରୁ ୨୦ ଲୋକସଭା ଆସନ ଜିତିଛି । ଗତକାଲି ସମ୍ବଲପୁର ଓ ସୁନ୍ଦରଗଡ଼ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ମଧ୍ୟ ଓଡ଼ିଆରେ ଶପଥ ନେଇଥିଲେ । ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି ଭର୍ତୃହରି ମହତାବ।

ଅଧିକ ପଢ଼ନ୍ତୁ: ଓମ୍‌ ବିର୍ଲା ନା କେ ସୁରେଶ...କିଏ ହେବେ ବାଚସ୍ପତି ? ଲାଗି ରହିଛି ସସପେସନ୍ସ

ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । ଆଜି ସାଂସଦ ଭାବରେ ଓଡ଼ିଶାର ୧୮ ଜଣ ସାଂସଦ ଶପଥ ନେଇଛନ୍ତି । କେନ୍ଦ୍ରାପଡ଼ାରୁ ବିଜେପି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ସେ ଓଡ଼ିଆରେ ଶପଥ ନେଇଥିଲେ । ତୃତୀୟ ଥର ସେ କେନ୍ଦ୍ରାପଡାରୁ ସାଂସଦ ନିର୍ବାଚିତ ହୋଇଛନ୍ତି ।

ସେହିପରି ଭୁବନେଶ୍ୱର ସାଂସଦ ଭାବରେ ଶପଥ ନେଇଛନ୍ତି ଅପରାଜିତା ଷଡଙ୍ଗୀ । ସେ ଲଗାତାର ଦ୍ୱିତୀୟ ଥର ନିର୍ବାଚନ ଜିତି ଯାଇଛନ୍ତି ଲୋକସଭା । ବାଲେଶ୍ୱର ସାଂସଦ ଭାବରେ ପ୍ରତାପ ଷଡ଼ଙ୍ଗୀ ବି ଶପଥ ନେଇଛନ୍ତି । ସେ ବି ଦ୍ୱିତୀୟ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ।

ଏମାନଙ୍କ ସହ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବି ନେଇଛନ୍ତି ଶପଥ । ଏହି ଦୁଇ ଜଣ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ଆଜି ଶପଥ ନେଇଛନ୍ତି କେନ୍ଦୁଝରରୁ ତିନି ଥରର ସାଂସଦ ଅନନ୍ତ ନାୟକ । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ବି ଲୋକସଭାରେ ନେଇଛନ୍ତି ଶପଥ ।

ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ପୁରୀ ସାଂସଦ ସମ୍ବିତ ପାତ୍ର ଓ କଳାହାଣ୍ଡି ସାଂସଦ ଭାବରେ ମାଳବିକା କେଶରୀ ଦେଓ ଲୋକସଭାରେ ଶପଥ ନେଇଛନ୍ତି । ଏମାନଙ୍କ ବ୍ୟତୀତ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ନବରଙ୍ଗରପୁର ସାଂସଦ ବଳଭଦ୍ର ମାଝୀ, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ବି ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇଥିଲେ।

ଅଧିକ ପଢ଼ନ୍ତୁ: ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ..ଦେଖନ୍ତୁ କିଛି ଝଲକ୍

ସେପଟେ ବାଚସ୍ପତି ପଦ ପାଇଁ ସହମତି ନହେବାରୁ ନିର୍ବାଚନ ହେବ । ଦେଶର ଇତିହାସରେ ପ୍ରଥମ ଥର ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଏନଡିଏର ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ଓମ୍ ବିର୍ଲା । ସେହିପରି ବିରୋଧୀ ଇଣ୍ଡି ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି କେ ସୁରେଶ । ଆଜି ଦୁହେଁ ନାମାଙ୍କନ ଦାଖଲ କରିଛନ୍ତି ।

ବାଚସ୍ପତି ପଦ ପାଇଁ ଓମ୍ ବିର୍ଲାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଫୋନ୍ ଯୋଗେ ସହଯୋଗ ଲୋଡିଥିଲେ ରାଜନାଥ ସିଂହ । ତେବେ ଇଣ୍ଡି ମେଣ୍ଟ ପକ୍ଷରୁ ଉପବାଚସ୍ପତି ପଦ ଦାବି କରାଯାଇଥିଲା । ଏନେଇ ସହମତି ହୋଇ ନପାରିବାରୁ ଏନଡିଏ ମେଣ୍ଟର ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡି ମେଣ୍ଟରୁ କେ. ସୁରେଶ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ।

ଆଜି ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ । ଆଜି ଅବଶିଷ୍ଟ ସାଂସଦମାନେ ଶପଥ ଗ୍ରହଣ କରୁଛନ୍ତି । ଆସନ୍ତାକାଲି ନୂଆ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି । ସେହିପରି କେ ସୁରେଶ ଅଷ୍ଟମ ଥର ଲାଗି ସାଂସଦ ବନିଛନ୍ତି ।

ସେ ପୂର୍ବରୁ ୟୁପିଏ ସରକାରର ଦ୍ୱିତୀୟ ପାଳିରେ କେନ୍ଦ୍ର ମନ୍ତ୍ରୀ ରହି ସାରିଛନ୍ତି । ଏବେ କାମଚଳା ବାଚସ୍ପତି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ରହିଛନ୍ତି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now