• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ପୂର୍ବରୁ ରାସ୍ତା ଚୋରି କଥା ଶୁଣିଥିଲେ । ରେଳ ଇଞ୍ଜିନ୍ ଚୋରି କଥା ବି ଶୁଣିଥିଲେ । ଆପଣ ବ୍ରିଜ୍‌ ଚୋରି କଥା ବି ଶୁଣିଥିଲେ । ଏହି ସବୁ ଘଟଣା କେବଳ ବିହାରରେ ଘଟିଥିଲା । ଏବେ ସେହି ବିହାରରୁ ହିଁ ଆସିଛି ଆଉ ଏକ ଅଦ୍ଭୁତ ଘଟଣା । ଏଥର ଚୋରି ହୋଇଯାଇଛି ରେଳ ଲାଇନ୍‌ । ତାହା ପୁଣି ଗୋଟିଏ କି ଦୁଇଟି ବାର୍‌ ନୁହେଁ । ଏକାଥରକେ ୨ କିଲୋମିଟର ଲମ୍ବର ରେଳ ଲାଇନ୍‌ ଚୋରି ହୋଇଯାଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ ।

ଏହି ରେଳ ଲାଇନ୍‌ ଚୋରି ଘଟଣା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୁଇ ଜଣ RPF ଅଧିକାରୀଙ୍କୁ ସସ୍ପେଣ୍ଡ ମଧ୍ୟ କରାଯାଇଛି । ଏକ ମାମଲା ମଧ୍ୟ ରୁଜୁ କରିଛି ବିଭାଗ । ଏହି ଘଟଣା ଘଟିଛି ଚଳିତ ବର୍ଷ ଜାନୁଆରୀ ୨୪ ତାରିଖରେ । ସମସ୍ତିପୁର ରେଳ ଡିଭିଜନ୍‌ ଅନ୍ତର୍ଗତ ଏହି ଘଟଣା ଘଟିଛି । 

ଏହି ଅଞ୍ଚଳରେ ଥିଲା ଲୋହାଟ ସୁଗାର ମିଲ । ଦୀର୍ଘ ଦିନ ଧରି ମିଲ ଅଚଳ ପଡ଼ିବା ପରେ ଏହାର ଯନ୍ତ୍ରାଂଶ ତଥା ସାମଗ୍ରୀ କବାଡ଼ିଆରେ ବିକ୍ରି ନେଇ ନିଷ୍ପତ୍ତି ହୋଇଥିଲା । ଆଉ ସେହି ମିଲ ଦେଇ ଯାଇଥିଲା ଉକ୍ତ ରେଳ ଲାଇନ୍‌ । ଏହି ରେଳ ଲାଇନ୍‌ ପଣ୍ଡାଉଲ ରେଳ ଷ୍ଟେସନ୍‌କୁ ସଂଯୋଗ କରୁଥିଲା । ଯାହାକି ଏବେ ଗାୟବ ହୋଇଯାଇଛି । ମିଲ୍‌ର ଯନ୍ତ୍ରାଂଶ ତଥା ସାମଗ୍ରୀ କବାଡ଼ିଆରେ ବିକ୍ରି ନିଷ୍ପତ୍ତି ପରେ ରେଳ ଲାଇନ୍‌କୁ ମଧ୍ୟ ସେହିଭଳି ବିନା ଟେଣ୍ଡରେ କେହି ବିକ୍ରି କରିଥିବା ଅନୁମାନ କରାଯାଉଛି । ଏମିତିକି ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ତେବେ ପୂର୍ବରୁ ମଧ୍ୟ ବିହାରରେ ଏମିତି ଘଟଣା ସାମ୍ନାକୁ ଆସିଥିଲା । ରାତାରାତି ଦୁଇ ଗାଁ ରାସ୍ତା ହୋଇଯାଇଥିଲା ଗାୟବ । କିଛି ଚୋର ପୋଲିସଠାରୁ ଲୁଚିବା ପାଇଁ ଏକ ଗାଁ ଭିତରେ ପଶିଥିଲେ । ଆଉ ସେହି ଗାଁରେ ପଶିବା ପରେ ଏହାର ରାସ୍ତାକୁ ବିଲ ସହ ମିଶାଇଦେଇଥିଲେ । ଯେମିତିକି ସାଧାରଣ ଲୋକଟିଏ ଜାଣିପାରିବ ନାହିଁ ଦିନେ ତାହା ରାସ୍ତା ଥିଲା ।