Hospitals must hand over bodies
ଆଉ ଚାଲିବନି ଘରୋଇ ହସ୍ପିଟାଲର ମନମାନି । ବିଲ୍ ପେମେଣ୍ଟ ହେଉ ବା ନହେଉ, ଏଣିକି ମୃତଦେହ ହସ୍ତାନ୍ତର କରିବାକୁ ବାଧ୍ୟ ହସ୍ପିଟାଲ । ଏମିତି ଏକ ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହେଲେ ମୃତଦେହକୁ ହସ୍ପିଟାଲରେ ରଖି ବକେୟା ଟଙ୍କା ମାଗିବା ଅମାନବୀୟ ଆଚରଣ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏଣୁ ମୃତ୍ୟୁ ପ୍ରମାଣ ପତ୍ର ଜାରି କରିବାର ଦୁଇ ଘଣ୍ଚା ଭିତରେ ହିଁ ମୃତଦେହ ହସ୍ତାନ୍ତର କରିବାକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆସାମ କ୍ୟାବିନେଟ୍ରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍ ବୈଠକ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗଣମାଧ୍ୟମରେ କହିଛନ୍ତି, "ଅନେକ ସମୟରେ ବିଭିନ୍ନ ଘରୋଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଆସୁଥିଲା । ମୃତଦେହକୁ ୩-୪ ଦିନ କାଳ ସେମାନେ ରଖୁଛନ୍ତି । ଯେପରିକି ମୃତକଙ୍କ ପରିବାରଲୋକ କୌଣସି ପ୍ରକାରେ ସମସ୍ତ ବକେୟା ଟଙ୍କା ପୈଠ କରିପାରିବେ । ଏହା ମାନବୀୟ ଗାରିମାର ବିରୋଧ । ଆପଣଙ୍କ ପାଖରେ କୌଣସି ଶବ ବନ୍ଧକ ରଖିବାର ଅଧିକାର ନାହିଁ । କୌଣସି ନର୍ସିଂ ହୋମ୍ ନାଁରେ ଏଭଳି ଅଭିଯୋଗ ଆସିଲେ ୩-୬ ମାସ ଯାଏଁ ଲାଇସେନ୍ସ ବାତିଲ ହେବ । ଏଥିରେ ସମ୍ପୃକ୍ତ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିଲମ୍ବିତ କରାଯିବ । ଏହାସହ ୫ ଲକ୍ଷ ଟଙ୍କା ଜରିମାନା ଆଦାୟ ହେବ ।"
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ବାରମ୍ବାର ସମାନ ଅପରାଧ କଲେ ହସ୍ପିଟାଲକୁ ବ୍ଲାକ ଲିଷ୍ଟେଡ୍ କରାଯିବ । ଆଉ ସବୁଦିନ ପାଇଁ ଲାଇସେନ୍ସ ରଦ୍ଦ ହେବ ।" ଏହାସହ ଆସାମ ସରକାର ଏକ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି । ମୃତଦେହ ଯଦି ଜୋର ଜବରଦସ୍ତ ରଖାଯାଏ ତେବେ ଏହି ନମ୍ବରରେ ପରିବାର ଲୋକେ ଅଭିଯୋଗ ଜଣାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us