• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିହାରର ଶିକ୍ଷା ବିଭାଗ ଏମିତିରେ ବି ସବୁବେଳେ ଚର୍ଚ୍ଚାରେ ଥାଏ । ଗୋଟିଏ ଚର୍ଚ୍ଚା ଥମିବା ପୂର୍ବରୁ ଆଉ ଏକ ଚର୍ଚ୍ଚା ମୁଣ୍ଡ ଟେକିଥାଏ । ଏମିତି ଏକ ଘଟଣା ଏବେ ବିହାରର ବାଙ୍କା ଅଞ୍ଚଳରୁ ଆସିଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ମନରେ ପ୍ରଶ୍ନ ଆସିବ ଶିକ୍ଷକ ହୋଇ ଏଭଳି ଚିନ୍ତାଧାରା କେମିତି ରଖିପାରୁଛନ୍ତି ।

ଘଟଣାଟି ହେଲା ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ପର୍ସରୁ ୩୫ ଟଙ୍କା ହଜିଯାଇଥିଲା । ଯେଉଁଥିପାଇଁ ସେ ସ୍କୁଲର ସମସ୍ତ ପିଲାଙ୍କୁ ମନ୍ଦିରକୁ ଡାକି ନେଇ ଠାକୁରଙ୍କ ପାଖରେ ନିୟମ କରାଇଥିଲେ । ଏହି ଘଟଣା ନିଆଁ ଭଳି ଚାରିଆଡ଼େ ଖେଳିଯାଇଥିଲା । ଲୋକେ ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ପିଲାମାନଙ୍କ ପରିବାର ଲୋକ ଏହାକୁ ନେଇ ତୁମ୍ବି ତୋଫାନ କରିଥିଲେ । ବାଙ୍କାର ରାଜାଉନ୍ ବ୍ଲକ ଅନ୍ତର୍ଗତ ଆସମାନିଚକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।

୩୫ ଟଙ୍କା ହଜିଯିବାରୁ ସ୍କୁଲ ପାଖରେ ଥିବା ଏକ ଦୁର୍ଗା ମନ୍ଦିରକୁ ପ୍ରଥମିକ ସ୍କୁଲର କୁନି କୁନି ପିଲାଙ୍କୁ ନେଇ ଶିକ୍ଷୟିତ୍ରୀ ନିୟମ କରାଇଥିଲେ । ପ୍ରଥମେ ସେ ସବୁ ପିଲାଙ୍କୁ ଏକାଠି କରି ପଚାରିଥିଲେ ଯେ ମୋ ପର୍ସରୁ ୩୫ ଟଙ୍କା ଗାୟବ ଅଛି । ଏ ଟଙ୍କା କିଏ ନେଇଛ... ସତ କୁହ ? ମୋ ପର୍ସରେ କିଏ ହାତ ମାରିଥିଲ...ସତ କୁହ । ହେଲେ କୌଣସି ପିଲା ଚୋରି କରିଥିବା ନେଇ ମାନି ନଥିଲେ । ତାପରେ ଶିକ୍ଷୟିତ୍ରୀ ପିଲାଙ୍କୁ ନେଇ ଠାକୁରଙ୍କ ପାଖରେ ନିୟମ କରାଇଥିଲେ ।

ପିରିବାର ଲୋକ କହିଛନ୍ତି ଯେ ବିଦ୍ୟାଳୟ ହେଉଛି ଜ୍ଞାନର ମନ୍ଦିର । ଏଠାରେ ପିଲାମାନଙ୍କୁ ସଂସ୍କାର ଶିକ୍ଷା ଦିଆଯାଏ । କିନ୍ତୁ ଏହି ବିଦ୍ୟାଳୟରେ ଶିକ୍ଷକ ହିଁ ପିଲାମାନଙ୍କୁ ଚୋରରେ ପରିଣତ କରୁଛନ୍ତି । ତାଙ୍କୁ ପାଠ ପଢ଼ାଇବା ବଦଳରେ ମନ୍ଦିର ନେଇ ଶପଥ କରାଯାଉଛି । ଏବେ ପିଲାଙ୍କ ମାନସିକ ସ୍ଥିତି କେମିତି ରହିଛି, ସେମାନେ କିଭଳି ମାନସିକ ଅବସ୍ଥା ଦେଇ ଗତି କରୁଛନ୍ତି ତାକୁ ବୁଝିବାକୁ ହେବ । ପିଲାମାନେ ଶପଥ ନେବା ପରେ ଘରକୁ କାନ୍ଦି କାନ୍ଦି ଯାଇଛନ୍ତି । ଆଉ ଘରେ ପହଞ୍ଚି ପ୍ରଥମେ ବାପା ମାଆଙ୍କୁ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସ୍କୁଲରେ ମାଡାମ ଚୋର କହିଲେ, ଆଉ ମନ୍ଦିର ନେଇ ଶପଥ କରାଇଲେ ।