• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା । ଘର ଦୁଆର ମୁହଁରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ । କହିବାକୁଗଲେ ବିହାରରେ ଏବେ ଖୁଲମଖୁଲା ଦେଖିବାକୁ ମିଳୁଛି ଗୁଣ୍ଡାରାଜ । ଆଜି ସକାଳୁ ବିହାରର ଅରାରିଆରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ବିମଲ କୁମାର ଯାଦବ ।

ସକାଳ ପ୍ରାୟ ସାଢେ ୫ଟାରେ ବିମଳ କୁମାର ଯାଦବଙ୍କ ଘରର କବାଟ ବାଡ଼େଇଥିଲେ କିଛି ଦର୍ବୃତ୍ତ । ଫଳରେ ବିମଳ କୁମାର ଯାଇ କବାଟ ଖୋଲିଥିଲେ । ଆଉ ଦେଖିଥିଲେ କବାଟ ସାମ୍ନାରେ ୪ ଜଣ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ହେଲେ ବିମଳ କିଛି ଭାବିବା ପୂର୍ବରୁ ଆଉ ସେମାନେ କିଏ ବୋଲି ପଚାରିବା ପୂର୍ବରୁ, ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଘଟଣାସ୍ଥଳରେ ହିଁ ବିମଳ କୁମାର ଟଳିପଡ଼ିଥିଲେ । ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ କୋକୁଆ ଭୟ ରହିଥିବା ବେଳେ ସାମ୍ବାଦିକଙ୍କମାନେ ଏବେ ଚିନ୍ତାରେ ପଡ଼ିଛନ୍ତି । ତେବେ ଗୁଳି ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସି ବିମଳ କୁମାରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଥିଲେ । ତୁରନ୍ତୁ ତାଙ୍କୁ ସେଠାରୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଏସ୍‌ପିଙ୍କ ସମେତ ଏମ୍‌ପି ବି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଅରାରିଆର ଏମ୍‌ପି ପ୍ରଦୀପ କୁମାର ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ସେ କହିଛନ୍ତି, ୪ ବର୍ଷ ପୂର୍ବେ ବିମଳ କୁମାରଙ୍କ ଭାଇଙ୍କୁ ବି ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା । ସେତେବେଳେ ଅଭିଯୁକ୍ତଙ୍କୁ କଡ଼ା ଶାସ୍ତି ମିଳିଥିଲେ, ହୁଏତ ଆଜି ପୁଣି ଥରେ ଏପରି କାଣ୍ଡ ଘଟି ନଥାନ୍ତା । ଏହି ଘଟଣାକୁ ସେ ତୀବ୍ର ସମାଲୋଚନା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କହିଛନ୍ତି।