• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଟଣା : କୋଭାକ୍ସିନ୍‌ ବଦଳରେ ଦୁଇ ଭାଇକୁ ଦେଇଦେଲେ କୋଭିସିଲ୍ଡ । ବିହାରର ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଦୁଇ ଭାଇଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡିପାରେ । ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କିଶୋର ଏବଂ କିଶୋରୀଙ୍କ ଟିକାକରଣ କରାଯାଇଛି । ଆଉ ଏହି ସମୟରେ ନାଳନ୍ଦାରେ ଦୁଇ ନାବାଳକ ଭାଇଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି ।

ବିହାର ସରିଫରେ ପ୍ରଫେସର କଲୋନୀର ବାସିନ୍ଦା ଉଭୟ ନାବାଳକ । ତେବେ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରିଛନ୍ତି ଦୁଇ ଭାଇଙ୍କ ବାପା । ଉଭୟଙ୍କୁ ଭୁଲ୍ ଟିକା ଦିଆଯିବା ପରେ ଉଭୟ ଭାଇଙ୍କୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖିଥିଲେ ଡାକ୍ତରୀ ଦଳ । କୌଣସି ଅସୁବିଧା ହେଲେ ମେଡିକାଲ୍ ଟିମ୍ ସେମାନଙ୍କ ଘରକୁ ପଠାଯିବ ବୋଲି କୁହାଯାଇଛି । ତେବେ ଏହି ଘଟଣା ପରେ ଉଭୟଙ୍କ ବାପାମା’ ଚିନ୍ତିତ ଅଛନ୍ତି । ପୁଅଙ୍କୁ କାଳେ କିଛି ହୋଇଯିବ ବୋଲି ଭାଳି ହେଉଛନ୍ତି ।

ଟିକା ଦେବାରେ ଅବହେଳା କରାଯାଇଥିବା ବେଳେ ସାର୍ଟିଫିକେଟରେ ମଧ୍ୟ ଚରମ ଅବହେଳା କରାଯାଇଛି । କୋଭିସିଲ୍ଡ ଟିକା ଦେଇ କୋଭାକ୍ସିନ୍ ଦିଆଯାଇଥିବା ଦର୍ଶାଇଛି ସ୍ୱାସ୍ଥ୍ୟ ବିଭାଗ । ନିଜକୁ ରକ୍ଷା କରିବା ପାଇଁ ତଥା ପୁଅମାନଙ୍କୁ ଅସୁରକ୍ଷିତ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଏପରି ପଦକ୍ଷେପ ନେଇଥିବା କହିଛନ୍ତି ବାପା । ଭୁଲ ଟିକା ଦିଆଯାଇଥିବା ସମ୍ପର୍କରେ ଅଭିଯୋଗ କରିବା ପରେ ଟିକା ଦେଇଥିବା ଉଭୟ କର୍ମଚାରୀଙ୍କୁ ଶୀଘ୍ର ହଟାଇ ଦିଆଯାଇଥିଲା । ହେଲେ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ମଧ୍ୟ କୁହାଯାଉନି ।

ସିଭିଲ୍ ସର୍ଜନ ଡଃ ସୁନୀଲ କୁମାର କହିଛନ୍ତି, ସେ ଏ ବିଷୟରେ ସୂଚନା ପାଇଛନ୍ତି । ଟିକା ଦେଉଥିବା କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ନିଆଯାଇଛି । ଯେଉଁ କର୍ମଚାରୀମାନେ ପୂର୍ବରୁ ଟିକା ଦେଉଥିଲେ , ସେମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂଆ ଜିଏନ୍‌ମଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ଏପରି ତ୍ରୁଟି ଘଟିଛି । ଅନ୍ୟପଟେ କିଶୋରଙ୍କ ପରିବାର ସଦସ୍ୟଙ୍କୁ ଆଶ୍ୱାସନା ଦିଆଯାଇଛି । ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସୁବିଧା ଯୋଗାଇ ଦିଆଯିବ । କୌଣସି ପ୍ରକାରର ସମସ୍ୟା ହେଲେ ସବୁ ସମୟରେ ଚିକିତ୍ସା ସେବା ଉପଲବ୍ଧ କରାଯିବ ।

ସୂଚନାଯୋଗ୍ୟ କିଶୋର ଓ କିଶୋରୀଙ୍କ ପାଇଁ କେବଳ କୋଭାକ୍ସିନ୍‌ ଟିକାକୁ ମଞ୍ଜୁରୀ ଦିଆଯାଇଛି । ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ପାଇଁ ଏବେ ଦୁଇ ଭାଇଙ୍କ ଜୀବନ ବିପଦରେ ପଡ଼ିପାରେ ।