• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହା ମଣ୍ଡପରେ ଜୋରଦାର ହଙ୍ଗାମା । ସାନ ଭଉଣୀର ଗୋଟିଏ ଫୋନ୍‌ କଲ୍‌ରେ ଭାଙ୍ଗିଗଲା ବଡ଼ ଭଉଣୀର ବାହାଘର । କନ୍ୟା ବଦଳରେ ଶାଳୀ ମଥାରେ ସିନ୍ଦୂର ପିନ୍ଧାଇଲା ବର । ବିହାରର ଚାପ୍ରାଠାରେ ବିବାହର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବରଯାତ୍ରୀ ନେଇ ବରପକ୍ଷ ଝିଅ ଘରେ ପହଂଚିବା ପରେ ବରପାତ୍ରର ପୋଲ୍‌ ଖୋଲି ଯାଇଥିଲା । ଆଉ ଜଣଙ୍କୁ ପ୍ରେମ କରନ୍ତି ବୋଲି ଜଣାପଡ଼ିବା ପରେ ବହୁତ ଗଣ୍ଡଗୋଳ ହୋଇଥିଲା। ଆଶ୍ଚର୍ଯ୍ୟକର ଘଟଣା ହେଲା ପ୍ରେମିକା ଜଣକ ଆଉ କେହି ନୁହେଁ କନ୍ୟାର ଖୋଦ୍ ସାନଭଉଣୀ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଶାଳୀକୁ ବିବାହ କରି ବିଦା ହୋଇଥିଲେ ବରକନ୍ୟା ।

ଛପ୍ରାର ମାଞ୍ଝି ଥାନା ଅନ୍ତର୍ଗତ ଭବାଉଲି ଗାଁରେ ଏହି ଘଟଣା ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ଛପ୍ରା ସହରର ବିଣ୍ଟୋଲି ନିବାସୀ ଜଗମୋହନ ମହତୋଙ୍କ ପୁଅ ରାଜେଶ କୁମାରଙ୍କ ବରଯାତ୍ରୀ ଭବାଉଲି ଗାଁରେ ପହଞ୍ଚିଥିଲା । କନ୍ୟା ରିଙ୍କୁ କୁମାରୀଙ୍କ ବାପା ବରପକ୍ଷଙ୍କୁ ଖୁବ୍‌ ସରାଗରେ ପାଛୋଟି ନେଇଥିଲେ । ବ୍ୟାଣ୍ଡବାଜା, ନାଚଗୀତରେ ବରର ଦ୍ୱାରପୂଜା ନୀତି ସମ୍ପର୍ଣ୍ଣ ହୋଇଥିଲା । ଏହା ପରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟକ୍ରମ । ହେଲେ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା । ବର ବାବୁଙ୍କ ପାଖକୁ ଆସିଲା ଏକ ଫୋନ୍‌ କଲ୍‌ । ଆଉ ବାହା ମଣ୍ଡପରୁ ଉଠି କନ୍ୟା ଘର ଛାତକୁ ଦଉଡ଼ି ଯାଇଥିଲେ ବର ବାବୁ ।

ପଚାରୁ ପଚାରୁ ଜଣାପଡ଼ିଲା ଭିଣୋଇକୁ କଲ୍‌ କରି ଧମକ ଦେଇଥିଲା କନ୍ୟାର ଭଉଣୀ ପୁତୁଲ କୁମାରୀ । ପ୍ରେମିକ ସହ ବଡ଼ ନାନୀର ବିବାହ ହେଉଥିବା ଦେଖି ସେ ସମ୍ଭାଳି ପାରିନଥିଲା । ଫୋନ୍ କରି ଭାବି ଭିଣୋଇଙ୍କୁ ଧମକ ଦେଇଥିଲା । ନାନୀକୁ ବିବାହ କଲେ ଛାତରୁ ଡେଇଁ ପଡ଼ିବ ବୋଲି କହିଥିଲା । ଆଉ ଏକଥା ଶୁଣି ବରବାବୁଙ୍କର ବିବାହ ସ୍ୱପ୍ନ ପାଣି ଫାଟିଯାଇଥିଲା । ତୁରନ୍ତ ପୋଲିସକୁ କଲ୍‌ କରିବା ସହ ଛାତ ଉପରକୁ ଧାଇଁଥିଲେ । ଏହି ଘଟଣାକୁ ନେଇ ବରପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା ।

କେମିତି ହୋଇଥିଲା ଶାଳୀ ଓ ଭିଣୋଇଙ୍କ ପ୍ରେମ

ଶାଳୀ ପୁତୁଲ କୁମାରୀ ଏବଂ ଭାବି ଭିଣୋଇ ରାଜେଶ ବିବାହ ସ୍ଥିର ହେବା ପରେ ପରସ୍ପର ସହିତ ପରିଚିତ ହୋଇଥିଲେ । ପୁତୁଲଙ୍କ ବଡ ଭଉଣୀ ରିଙ୍କୁଙ୍କ ସହ ରାଜେଶଙ୍କ ବିବାହ ମେ ୨, ୨୦୨୩ରେ ହବାକୁ ସ୍ଥିର କରାଯାଇଥିଲା । ଛପ୍ରାର ଏକ କଲେଜରେ ପୁତୁଲ ଯୁକ୍ତ ଦୁଇରେ ପଢ଼ୁଥିବା ବେଳେ ଭାବି ଭିଣୋଇଙ୍କ ସହ ସେ ଅନେକ ଥର ଦେଖାସାକ୍ଷାତ କରିଥିଲା । ଏପରିକି ଦୁହେଁ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେଉଥିଲେ, ଯାହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ବିବାହ ଦିନ ପ୍ରେମିକ ରାଜେଶ ଆଉ କାହାର ହୋଇଯିବା କଥା ସେ ସହ୍ୟ କରିପାରିନଥିଲା । ବିବାହ ସମାରୋହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା । ଫଳରେ ରାଜେଶ ଭୟଭୀତ ହୋଇ ପରିବାର ଲୋକଙ୍କୁ ସବୁ କଥା ଖୋଲି କହିଥିଲେ । ଶେଷରେ ବର ଏବଂ ଉଭୟ ପରିବାରର ସହମତି ପରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା ।