• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ପଡୋଶୀ ଦେଶ ଭୁଟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ । ଖୁବଶୀଘ୍ର ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଯିବ । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଏନେଇ ଭୁଟାନବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଅନେକ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି ।

PMO ଭୁଟାନ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତର ଏକ ଫଟୋ ସେୟାର କରାଯାଇଛି । ଉଭୟ ଫେସବୁକ ଓ ଟ୍ୱିଟରେ ଫଟୋ ଶେୟାର କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ନିଷ୍ପତ୍ତିରେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ବୋଲି ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମହାମାରୀ ବିପଦ ସମୟରେ ଭାରତ ଯୋଗାଇଥିବା ସାହାଯ୍ୟ ଓ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନର ହକଦାର ବୋଲି କୁହାଯାଇଛି ।

ତେବେ ଏନେଇ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କୁ KOO ରେ ଅଭିନନ୍ଦନ ଜଣାଇଛନ୍ତି । ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର Order of the Druk Gyalpoରେ ସମ୍ମାନିତ କରିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ବୋଲି ଲେଖିଛନ୍ତି । ଅଦ୍ୱିତୀୟ ନେତୃତ୍ୱ ଏବଂ ନିଷ୍ଠା ହେତୁ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହା ନିଶ୍ଚୟ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ । ଏହାପୂର୍ବରୁ ସାଉଦି ଆରବ, ଆଫଗାନିସ୍ତାନ, ପାଲେଷ୍ଟାଇନ, ସଂଯୁକ୍ତ ଆରବ ଏମିରେଟ୍ସ, ଋଷ ଏବଂ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି।