• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରବଳ ବର୍ଷା ଯୋଗୁଁ ଜଳାର୍ଣ୍ଣବ ବେଙ୍ଗାଲୁରୁ । ରାସ୍ତାଘାଟ ଚାରିଆଡ଼େ ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ଫଳରେ ଟ୍ରାଫିକ୍‌ ସମସ୍ୟାକୁ ବଳେଇ ପଡ଼ିଛି ଜଳବନ୍ଦୀ ସମସ୍ୟା । ତେବେ ପ୍ରବଳ ବର୍ଷା ଯୋଗୁଁ ଗତକାଲି ଏକ ଦୁଃଖଦ ଘଟଣା ଘଟିଛି । ରାସ୍ତାର ଅଣ୍ଡରପାସରେ ଫସି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱାଡାର ଜଣେ ଆଇଟି ପ୍ରଫେସନାଲ ।

ମୃତକଙ୍କ ନାମ ଭାନୁ ରେଖା । ବୟସ ୨୭ ବର୍ଷ ଏବଂ ସେ ଇନ୍‌ଫୋସିସ୍‌ରେ କାମ କରୁଥିଲେ । ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କାରରେ ଯାଉଥିବା ବେଳେ କେଆର ଅଣ୍ଡରପାସ ନିକଟରେ ତାଙ୍କ କାରଟି ପ୍ରବଳ ବର୍ଷା ପାଣି ଯୋଗୁଁ ଫସି ଯାଇଥିଲା । କାରର କାଚବାଟେ ପାଣି ପଶିଯାଇଥିବା ବେଳେ ସେମାନେ ବାହାରି ପାରି ନଥିଲେ । ଫଳରେ ତୁରନ୍ତ ଦମକଳ ବାହିନୀ ଓ ଆପାତକାଳ ସେବା କର୍ମୀଙ୍କୁ ତୁରନ୍ତ ଖବର ଦିଆଯାଇଥିଲା । ପରେ ଉପସ୍ଥିତ ଲୋକଙ୍କ ସହାୟତରେ କାର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଭାନୁରେଖା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ହସ୍ପିଟାଲ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏପଟେ ବର୍ଷାରେ ପୂରା ବେଙ୍ଗଲୁରୁ ସହର ସ୍ଥିତି ବେହାଲ ହୋଇ ପଡ଼ିଛି । ସହରରେ ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କିଛି ସ୍ଥାନରେ ପୁରୁଣା କୋଠା ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଅନେକ ତଳିଆ ସ୍ଥାନରେ ପାଣି ଜମି ରହି କୃତ୍ରିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।