• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ପ୍ରତିବନ୍ଧକ କୋହଳ କରିବା ଆରମ୍ଭ କରିଦେଇଛନ୍ତି ଏବଂ ଅନେକ ସ୍ଥାନରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ସୋମବାର ଠାରୁ ବେଙ୍ଗାଲୁରୁରେ ସ୍କୁଲ, କଲେଜ ଗୁଡ଼ିକ ଖୋଲାଯାଇଛି । ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ଆରମ୍ଭ ହୋଇଯାଇଛି ।

ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲାଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି । ସାମାଜିକ ଦୂରତା ରକ୍ଷା କରି ପାଠ ପଢାଇବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନେକ ଦିନ ପରେ ସ୍କୁଲ ଯିବା ପାଇଁ ସୁଯୋଗ ମିଳିବା ପରେ ଛାତ୍ରଛାତ୍ରୀ ଖୁସି ଥିବା ଜଣାପଡ଼ିଛି ।

କୋଭିଡ୍ -19 ପ୍ରୋଟୋକଲ୍ ଅନୁସରଣ କରି ସ୍କୁଲ ଖୋଲାଯାଇଥିବା କହିଛନ୍ତି ଶିବାଜୀ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜାତା । ତେବେ ବର୍ତ୍ତମାନ LKG ଏବଂ UKG ପାଇଁ ପାଠପଢ଼ା ଆରମ୍ଭ ହୋଇନାହିଁ । ସେମାନଙ୍କୁ ଏବେ ଅଫଲାଇନ୍ କ୍ଲାସରେ ପାଠ ପଢ଼ାଇବା ଶିକ୍ଷକମାନଙ୍କ ପାଇଁ କଷ୍ଟସାଧ୍ୟ । ଅନେକ ଦିନ ଘରେ ବନ୍ଦ ରହିବା ପରେ ପିଲାମାନେ ଅଫଲାଇନ୍ କ୍ଲାସ୍ କରିବା ଆବଶ୍ୟକ । ଅଫଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିବାରୁ ଖୁସି ଥିବା ସେ କହିଛନ୍ତି ।

ସେହିପରି ସ୍କୁଲ ଖୋଲିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ଜଣେ ଛାତ୍ର । କାରଣ ବର୍ତ୍ତମାନ ସାଙ୍ଗମାନଙ୍କ ସହିତ ମିଳିମିଶି ପାଠପଢ଼ିବା ସହ ଖେଳାବୁଲା ମଧ୍ୟ ହୋଇପାରିବ । ଶନିବାର ଦିନ ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି ଯେ ସ୍କୁଲ ବ୍ୟତୀତ ଡିଗ୍ରୀ କଲେଜ ମଧ୍ୟ ବେଙ୍ଗାଲୁରୁରେ ଖୋଲିବା ଆରମ୍ଭ ହୋଇଛି । ଅନ୍ୟପଟେ ନ୍ୟୁଜ୍ ଏଜେନ୍ସି ସହିତ ଆଲୋଚନା ସମୟରେ ଜଣେ ଶିକ୍ଷକ କହିଛନ୍ତି, ଆମେ କ୍ଲାସରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ଚାହୁଁଥିଲୁ ଏବଂ ଅଫଲାଇନ୍ କ୍ଲାସ୍ ଆରମ୍ଭକୁ ଅପେକ୍ଷା କରିଥିଲୁ ।