• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପରୀକ୍ଷା ହଲ୍‌ରେ କପି କରୁଥିଲେ, ଧରା ପଡ଼ିଲେ ବିଟେକ୍‌ ଛାତ୍ର । ପିତାମାତା ଜାଣିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ । କଲେଜ୍‌ର ୮ ମହଲାରୁ ଡେଇଁ ଜୀବନ ହାରିଲେ । କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ୧୯ ବର୍ଷୀୟ ବି-ଟେକ୍‌ ଛାତ୍ର ଆଦିତ୍ୟ ପ୍ରଭୁ ବୋଲି ଜଣାପଡ଼ିଛି । ତାଙ୍କ ଘର ମାଙ୍ଗାଲୁରୁରେ ହୋଇଥିବା ବେଳେ ସେ PES ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ ।

ସୂଚନାନୁଯାୟୀ ଗତ ସୋମବାର କଲେଜରେ ପରୀକ୍ଷା ଚାଲିଥିଲା । ଏହି ସମୟରେ ହଲ୍‌ରେ ବସିଥିବା ଆଦିତ୍ୟ ମୋବାଇଲରେ କପି କରୁଥିବା ବେଳେ ପରୀକ୍ଷକଙ୍କ ହାତରେ ଧରା ପଡ଼ିଯାଇଥିଲେ। ପରୀକ୍ଷକ ତୁରନ୍ତ ମୋବାଇଲକୁ ସିଜ୍‌ କରି ଆଦିତ୍ୟଙ୍କୁ ଷ୍ଟାଫ କମନ ରୁମ୍‌କୁ ନେଇ ଯାଇଥିଲେ । ସେଠାରେ ପଚରାଉଚରା ପରେ ସେ କପି କରୁଥିବା ମାନି ଯାଇଥିଲେ । ଏନେଇ କଲେଜ ତରଫରୁ ତାଙ୍କ ବାପାମା’ଙ୍କୁ ସୂଚନା ଦିଆଯାଇଥିଲା।

ବାପାମା’ ଜାଣିବା ପରେ କ’ଣ ହେବ, ତାଙ୍କୁ ମୁହଁ ଦେଖାଇ ପାରିବେ କି ନାହିଁ । ଏଭଳି ଚିନ୍ତା ତାଙ୍କ ମନରେ ଘାରି ହେଉଥିଲା । ତେଣୁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ ଆଦିତ୍ୟ । ସେ ତୁରନ୍ତ କଲେଜର ୮ ତାଲାକୁ ଉଠି ଯାଇ ତଳକୁ ଡେଇଁ ପଡ଼ିଥିଲେ । ଏହାପରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଆଦିତ୍ୟ ତାଙ୍କ ବାପାମା’ଙ୍କ ଏକମାତ୍ର ସନ୍ତାନ ବୋଲି ଜଣାଯାଇଛି । ତାଙ୍କ ବାପାମା’ କଲେଜରେ ପହଞ୍ଚି ପୁଅର ମୃତଦେହ ଦେଖିବା ପରେ ସେମାନଙ୍କ ମୁଣ୍ଡରୁ ଆକାଶ ଛିଣ୍ଡି ପଡ଼ିଥିଲା । ଏନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଅକୁ କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେବା ଯୋଗୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପାମା’ ଅଭିଯୋଗ କରିଛନ୍ତି।