• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧରାପଡ଼ିଲା ପଶ୍ଚିମବଙ୍ଗର କ୍ଷମତାଶାଳୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ମିଛ । କାମ ଦେଲାନି ଇଡି ଜେରା ଟାଳିବା ଲାଗି କରିଥିବା ଫନ୍ଦି । ପାର୍ଥଙ୍କର ସେଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବା କହିଛି ଭୁବନେଶ୍ୱର ଏମ୍ସ । ଶିକ୍ଷକ ନିଯୁକ୍ତି ସ୍କାମରେ ପାର୍ଥଙ୍କୁ ଇଡି ଗିରଫ କରିଥିବା ବେଳେ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ କୋଲକାତା ହସପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଇଡି ଏହାକୁ ଚ୍ୟାଲେଞ୍ଜ କରିବା ପରେ ଭୁବନଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏପଟେ ଏମ୍ସର ରିପୋର୍ଟ ପରେ ବଢିବାକୁ ଯାଉଛି ପାର୍ଥଙ୍କ ଅଡ଼ୁଆ ।

ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ପାର୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ କୋଲକାତା ହାଇକୋର୍ଟଙ୍କ ନିକଟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିଛନ୍ତି । ପାର୍ଥ ଚାଟାର୍ଜୀ ଗୁରୁତର ଅସୁସ୍ଥ ନାହାନ୍ତି କି ତାଙ୍କ ଛାତି ଯନ୍ତ୍ରଣା ବି ନାହିଁ । ତେବେ ତାଙ୍କର ୪-୫ଟି ରୋଗ ରହିଛି, ଯେଉଁଥିପାଇଁ ସେ ପୂର୍ବରୁ ମେଡିସିନ୍ ଖାଉଛନ୍ତି । ତେବେ ଏହା ସେଭଳି ଗୁରୁତର ନୁହେଁ ବୋଲି ଏମ୍ସ କର୍ତ୍ତପକ୍ଷ ପକ୍ଷରୁ କୁହାଯାଇଛି ।

ଶିକ୍ଷକ ନିଯୁକ୍ତି ସ୍କାମ୍ ମନି ଲଣ୍ଡରିଂ ମାମଲାକୁ ନେଇ ଗିରଫ ପାର୍ଥ ଇଡି ଜେରା ଟାଳିବା ଉଦ୍ଦେଶ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଆଳ ଦେଖାଇଥିଲେ । ଏପରିକି କୋଲକାତାର SSKM ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଇଡି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରିଥିଲା । ଆବେଦନର ବିଚାର କରି ଇଡି ଜେରାରୁ ବର୍ତ୍ତିବା ଲାଗି ପାର୍ଥ ସ୍ୱାସ୍ଥ୍ୟ ସମସ୍ୟାକୁ ଢାଲ କରୁଥିବା କୋର୍ଟ ଅନୁଭବ କରିବା ସହ ତାଙ୍କୁ ଭର୍ତ୍ସନା ବି କରିଥିଲେ । ପାର୍ଥ ଜଣେ କ୍ଷମତାଶାଳୀ ମନ୍ତ୍ରୀ ହୋଇଥିବା ଦର୍ଶାଇ କୋକାତା ବଦଳରେ ଭୁବନେଶ୍ୱର ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ହୋଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ସକାଳେ ପାର୍ଥଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସ ଅଣାଯାଇଥିଲା ।

ଶିକ୍ଷକ ନିଯୁକ୍ତି ସ୍କାମକୁ ନେଇ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାର୍ଥ ଓ ତାଙ୍କ ସହଯୋଗୀ ତଥା ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା । ସେହିପରି ଅର୍ପିତାଙ୍କ ଆପାର୍ଟମେଣ୍ଟରୁ ନଗଦ ୨୦ କୋଟି ଟଙ୍କା ଜବତ କରିଥିଲା ଇଡି । ଏହାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିବା ବେଳେ ଟିଏମସୀ ନିଜ ହାତ ଝାଡି ଦେଇଛି । ଏମିତିକି ଗିରଫ ହେବାପରେ ପାର୍ଥ ବିଳମ୍ବିତ ରାତିରେ ମମତାଙ୍କୁ ୩ ଥର ଫୋନ କରିଥିଲେ ମଧ୍ୟ ଦିଦି ଫୋନ୍ ଉଠାଇ ନ ଥିବା କୁହାଯାଉଛି ।