• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଶ୍ମୀର ଘାଟିରେ ପୁଣି ନିରୀହ ରକ୍ତରେ ହୋଲି ଖେଳିଲେ ଆତଙ୍କୀ । ଜାମ୍ମୁ ଓ କାଶ୍ମୀରରେ ସାଧାରଣ ନଗରିକଙ୍କ ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ ଜାରି ରହିଛି । ଆଜି କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ମୃତ ବ୍ୟାଙ୍କ ମ୍ୟାନେଜର ଜଣକ ହେଲେ ରାଜସ୍ଥାନ ହନୁମାନଗଡ଼ର ବାସିନ୍ଦା ବିଜୟ କୁମାର । ସେ କିଛି ବର୍ଷ ହେଲା ମୋହନପୋରାରେ ଥିବା ଇଲାକୁଆଇ ଦେହାତି ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ।

ସକାଳେ ବିଜୟ ବ୍ୟାଙ୍କରେ ପ୍ରବେଶ କରିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଗତ କିଛି ମାସ ଭିତରେ ସାଧାରଣ ନାଗରିକ ତଥା ଗୋଟିଏ ନିର୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆସୁଛନ୍ତି ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଟଣା ପରେ ପୁରା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ପୂର୍ବରୁ ଦୁଇ ଦିନ ତଳେ ଗୋପାଲପୋରା ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଦକ୍ଷିଣ କଶ୍ମୀର କୁଲଗାମ୍ ଜିଲ୍ଲାର ଗୋପାଳପୁରାରେ ୩୬ ବର୍ଷୀୟା ସ୍କୁଲ୍ ଶିକ୍ଷୟିତ୍ରୀ ରଜନୀ ବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ରଜନୀଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା, ସେଠାରେ ପହଞ୍ଚିବା ବେଳକୁ ସେ ଆଖି ବୁଜିସାରିଥିଲେ ।

ତା ପୂର୍ବରୁ ଗତ ମାସରେ କାଶ୍ମୀର ପଣ୍ଡିତ ବର୍ଗର ଜଣେ ତହସିଲଦାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ତହସିଲ୍ ଅଧିକାରୀ ରାହୁଲ ଭଟ୍ଟଙ୍କ ହତ୍ୟା ପରେ କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।