• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାନୁଆରୀ ୨୨ ତାରିଖ । ମଝିରେ ଆଉ ୨୪ଟି ଦିନ । ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଏହି ଦିନର ମହାର୍ଘ ମୁହୂର୍ତ୍ତ । ଦେଶବାସୀଙ୍କ ଆସ୍ଥାର ପ୍ରତୀକ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚୂଡାନ୍ତ ହୋଇଛି କାର୍ଯ୍ୟ ନିର୍ଘଣ୍ଟ । ସପ୍ତାହେ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚ୍ଚନା ।

ଜାନୁୟାରୀ ୧୬ ତାରିଖ: ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠାର ପ୍ରଥମ କାର୍ଯ୍ୟକ୍ରମ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିୟୋଜିତ ଯଯମାନଙ୍କ ଦ୍ୱାରା କରାଯିବ ପ୍ରାୟଶ୍ଚିତ ସମାରୋହ । ପରେ ପରେ ସରଜୁ ନଦୀ ତଟରେ ଦଶବିଧ ସ୍ନାନ, ବିଷ୍ଣୁ ପୂଜା ଏବଂ ଗୋଦାନ କରାଯିବ ।

ଜାନୁୟାରୀ ୧୭: ଶୋଭାଯାତ୍ରା ସହ ଅଯୋଧ୍ୟାରେ ପହଁଚିବ ରାମଲାଲାଙ୍କ ବିଗ୍ରହ । ଶତାଧିକ ଶ୍ରଦ୍ଧାଳୁ କଳସରେ ସରଜୁ ନଦୀର ପବିତ୍ର ଜଳ ଧାରଣ କରି ମନ୍ଦିରରେ ପହଁଚିବେ। 

ଜାନୁୟାରୀ ୧୮: ମନ୍ତ୍ର ଓ ବେଦପାଠରେ ଗୁଞ୍ଜରିତ ହେବ ସାରା ଅଯୋଧ୍ୟା । ଗଣେଶ, ବରୁଣ, ମାତୃକା ଓ ବାସ୍ତୁ ପୂଜନ ସହ ବ୍ରାହ୍ମଣ ବରଣ କରାଯିବ।

ଜାନୁୟାରୀ ୧୯: ଆରମ୍ଭ ହୋଇଯିବ ମହାଯଜ୍ଞ ।

ଜାନୁୟାରୀ ୨୦: ସରଜୁ ନଦୀର ପବିତ୍ର ଜଳରେ ମନ୍ଦିର ଗର୍ଭଗୃହ ଶୋଧନ ପରେ ବାସ୍ତୁ ଶାନ୍ତି ଏବଂ ଅନ୍ନାଧିବାସ ନୀତି ସମ୍ପନ୍ନ ହେବ ।

ଜାନୁୟାରୀ ୨୧: ୧୨୫ କଳସ ଜଳରେ ରାମଲାଲାଙ୍କ ବିଗ୍ରହକୁ ସ୍ନାନ କରାଯିବ ।

ଜାନୁୟାରୀ ୨୨: ସକାଳ ଧୂପ ପରେ ମଧ୍ୟାହ୍ନରେ ମୃଗଶିରା ନକ୍ଷତ୍ରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ ।

ଏଥିସହ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଆରମ୍ଭ ହୋଇଯିବ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତାଙ୍କ ପୂଜାର୍ଚ୍ଚନା । ଏହାପୂର୍ବରୁ ଶଙ୍ଖନାଦରେ ପ୍ରକମ୍ପିତ ହୋଇଗଲାଣି ରାମନଗରୀ । ରଙ୍ଗ ମହଲ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ସ୍ତୁତି ବୋଲି ଶଙ୍ଖ ବଜାଇଛନ୍ତି ବିଷ୍ଣୁ ଶଙ୍ଖ ଦଳ ।

ରାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବା ବେଳେ ଅଯୋଧ୍ୟାରେ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ । ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଆଜି ମନ୍ଦିର ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ମନ୍ଦିର ପରିସର ପରିଦର୍ଶନ କରି କାମ କେତେ ସରିଛି ତାର ସମୀକ୍ଷା କରିଛନ୍ତି ।

ଏହାରି ଭିତରେ ବଦଳିଛି ନୂଆ ରୂପ ନେଇଥିବା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ । ନୂଆ ନାଁ ରଖାଯାଇଛି ଅଯୋଧ୍ୟା ଧାମ୍ ଜଙ୍କସନ୍ । ଦେଶ ବିଦେଶର ଶ୍ରଦ୍ଧାଳୁଙ୍କୁ ରାମନଗରୀକୁ ସ୍ୱାଗତ ଜଣାଇବାକୁ ଏୟାରପୋର୍ଟ ବି ପ୍ରସ୍ତୁତ । ବ୍ରାଣ୍ଡ ନ୍ୟୁ ବିମାନ ବନ୍ଦରର ପାଖାପାଖି ୯୦ ପ୍ରତିଶତ କାମ ସରିଲାଣି । ଏୟାରପୋର୍ଟର ଭିତର ଏବଂ ବାହାରେ ଦେଖିବାକୁ ମିଳିଛି ଭବ୍ୟ ଓ ଦିବ୍ୟତାର ଛାପ । ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାର ବିକଶିତ ରେଳ ଷ୍ଟେସନ ଏବଂ ନୂଆ ବିମାନ ବନ୍ଦରକୁ ଲୋକାର୍ପିତ କରିବେ ।

ବାସ୍ତବତାର ରୂପ ନେଇଛି ୫୦୦ ବର୍ଷର ଅପେକ୍ଷା । ପୂରଣ ହେବାକୁ ଯାଉଛି କୋଟି କୋଟି ହିନ୍ଦୁ ଦେଖିଥିବା ସ୍ୱପ୍ନ । ଏବେ ଅପେକ୍ଷା ଜାନୁୟାରୀ ୨୨ର ସେହି ବ୍ରହ୍ମ ମୁହୂର୍ତ୍ତକୁ ।