ବେଙ୍ଗାଲୁରରେ ଆତ୍ମହତ୍ୟା କରିଥିବା ୩୪ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର୍ ଅତୁଲ୍ ସୁଭାଷଙ୍କ ବାପା ଏବେ ଖାଲି କାନ୍ଦୁଛନ୍ତି । କାନ୍ଦି କାନ୍ଦି କହୁଛନ୍ତି, ବୋହୂର ନିର୍ଯ୍ୟାତନା ପାଇଁ ମୋ ପୁଅର ଜୀବନ ଗଲା । ମୋ ନାତି ଏବେ କେଉଁଠି, ମୁଁ ଜାଣିପାରୁନାହିଁ । ମୋ ନାତିକୁ ମୋତେ ଦିଆଯାଉ । ମୋ ନାତି ମୋ ପାଖରେ ରହିବ ବୋଲି ନିବେଦନ କରିଛନ୍ତି ଅତୁଲଙ୍କ ବାପା ପୱନ କୁମାର ମୋଦି ।
ତେବେ ଗୁରୁତର ଅଭିଯୋଗ କରିଛନ୍ତି ଅତୁଲଙ୍କ ବାପା । ସେ କହିଛନ୍ତି, ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।ଗତ ୯ ତାରିଖରେ ବେଙ୍ଗାଲୁରରେ ସଫ୍ଟୱେର୍ ଇଞ୍ଜିନିୟର ଅତୁଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ୯୦ ମିନିଟର ଏକ ଲମ୍ୱା ଭିଡିଓ ଓ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି । ମିଥ୍ୟା କେଶ୍ କରି ପତ୍ନୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବାର ସେ ସିଧାସଳଖ ଆକ୍ଷେପ କରିଥିଲେ । ପୁଅର ଅକାଳ ମୃତ୍ୟୁ ପାଇଁ ବୋହୂ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଅତୁଲଙ୍କ ବାପା ।
Also Read
ଅଧିକ ପଢନ୍ତୁ:ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ
ପୱନ କୁମାର କହିଛନ୍ତି ଯେ, ଅତୁଲ ଓ ନିକିତାଙ୍କ ମଧ୍ୟରେ ୨୦୨୧ରେ ମଧ୍ୟସ୍ଥତା ପାଇଁ ଉଦ୍ୟମ ହୋଇଥିଲା । ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ନିକିତା ଡିଭୋର୍ସ ପାଇଁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଯୌତୁକକୁ ଦିଆଯାଇଥିବା ଜିନିଷର ଏକ ହାତଲେଖା ତାଲିକା ନିକିତା ଦେଇଥିଲେ । ଏହି ତାଲିକା ଏବେ ବି ପୱନ କୁମାରଙ୍କ ପାଖରେ ଥିବାର ସେ କହିଛନ୍ତି ।
ସେମାନେ ପ୍ରଥମେ ସମାଧାନ ପାଇଁ ରାଜି ଥିଲେ । କିନ୍ତୁ ପରେ ଟଙ୍କା ଲୋଭରେ ପଡି ମନଇଛା ଦାବି କଲେ । ନିକିତାର ଉଦ୍ଦେଶ୍ୟ ଭଲ ନଥିବା ଅତୁଲ ତାଙ୍କୁ ସେତେବେଳେ କହିଥିବାର ମନେ ପକାଇଛନ୍ତି ପୱନ କୁମାର । ଟଙ୍କା ପାଇଁ ରାଜି ହେବା ପରେ ମଧ୍ୟ ସେ ଡିଭୋର୍ସ ନକରି ସମୟ ଗଡାଇ ଚାଲିଲେ । ମିଥ୍ୟା କେଶ୍ ଦେଇ ଚାଲିଲେ ବୋଲି କହିଛନ୍ତି ଅତୁଲଙ୍କ ବାପା । ଏପରିକି ସେମାନେ ୩ କୋଟି ଟଙ୍କା ଦାବି କରିଥିଲେ ।
ବାପା ହିସାବରେ ଅତୁଲ୍ ପୁଅର ଜନ୍ମଦିନରେ ଉପହାର ନେଇ ଯାଇଥିଲା କିନ୍ତୁ ତାକୁ ପୁଅ ସହ ଦେଖା କରିବାର ସୁଯୋଗ ମିଳିନଥିଲା ବୋଲି କହିଛନ୍ତି ପୱନ କୁମାର । ଏହା ପରେ ଅତୁଲ ଭାଙ୍ଗିପଡିଥିଲା । ଏବେ ମୁଁ ମୋ ନାତିକୁ ନେବାକୁ ଚାହୁଁଛି । ମୋ ନାତି ଭଲରେ ବଞ୍ଚିବା ଉଚିତ । ନାତି ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗୁହାରି କରିଛନ୍ତି ଅତୁଲଙ୍କ ବାପା ।