Atul's Father Begs for Grandson: ପୁଅ ତ ଚାଲିଗଲା ଏବେ ନାତିକୁ ଫେରାଅ...ନହେଲେ ପୂରା ପରିବାର ଜୀବନ ହାରିବୁ

ନାତିକୁ ଖୋଜିବା ସହ ତା’ର ରକ୍ଷଣାବେକ୍ଷଣ ଦାବି କରି ଅତୁଲ ସୁଭାଷଙ୍କ ପିତା ପୱନ ମୋଦି ବିହାରର ସମସ୍ତିପୁର ଜିଲ୍ଲାର ଭେନି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ପୱନ ମୋଦିଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପୋଲିସ ଜିରୋ ଏଫଆଇଆର ପଞ୍ଜିକରଣ କରିଛି। ପୱନ ମୋଦି କହିଛନ୍ତି, ନାତିକୁ ଫେରି ନପାଇଲେ ଆମେ ପୂରା ପରିବାର ସର୍ବସମ୍ମୁଖରେ ଆତ୍ମହତ୍ୟା କରିବୁ, ପୁଅ ଚାଲିଗଲା ପରେ ନାତି ହିଁ ଆମର ସାହାଭରସା ।

ଆମ ନାତିକୁ ଫେରାଅ ନହେଲେ ଆତ୍ମହତ୍ୟା କରିବୁ

ପୁଅ ଚାଲିଗଲା, ସବୁ ସ୍ୱପ୍ନ ଚୁନା ହୋଇଗଲା । ଗୋଟିଏ ଗୋଟିଏ ମୂହୁର୍ତ୍ତ ବର୍ଷ ପରି ଲାଗୁଛି । ଜୀବନ ପ୍ରତି ମୋହ ତୁଟିଯାଇଛି । ପୁଅର ଏକମାତ୍ର ସନ୍ତକ ନାତିକୁ ପାଇବାକୁ ଜେଜେବାପାର ଆକୁଳ ନିବେଦନ । ବୁଢ଼ା ବରଗଛ ପରି ଛାତିରେ ଛାତିଏ କୋହକୁ ଜାବୁଡ଼ି ଧରି ନାତି ପାଇଁ କାନ୍ଦି କାନ୍ଦି ଗୁହାରୀ କରୁଛନ୍ତି ପୁଅକୁ ହରାଇଥିବା ଜଣେ ହତଭାଗା ବାପା । ଜୀବନର ଶେଷ ସମୟରେ ଆଶାବାଡ଼ି ସାଜିବ ବୋଲି ଦଇବ ଯାହାକୁ ପଠାଇଥିଲା, ସେ ତ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲା, ଆଉ ଏ ବୁଢ଼ା ବାପାଟା କାନ୍ଧରେ ଦେଇଗଲା କୁନି ପୁଅର ଭାର । ହେଲେ ସେ ନାତିକୁ ଖୋଜିବେ କ’ଣ, ପୁଅକୁ ହରାଇବାର ଦୁଃଖରେ ସେ ମ୍ରିୟମାଣ ।

ଯେତେ ଚେଷ୍ଟା କଲେ ବି ଏ ବୁଢ଼ା ବାପାର ମନ ବୁଝୁନି କି ଆଖିରୁ ଲୁହ ଶୁଖୁନି । ଜୀବନର ସବୁକିଛି ଯେପରି ତାସଘର ପରି ଭାଙ୍ଗିଯାଇଛି । ଆଖି ସାମ୍ନାରେ ଜୀବନ ଦେଇଛି ପୁଅ । ଇଚ୍ଛା ହେଉଛି ଛାତି ଭିତରେ ଉଠୁଥିବା କୋହର ନିଆଁରେ ଅପରାଧୀଙ୍କୁ ଜାଳିପୋଡ଼ି ପାଉଁଶ କରିଦେବାକୁ । ହେଲେ ଏ ବୁଢ଼ା ହାତ ତ ବନ୍ଧା ପଡ଼ିଛି, ଆଉ ସେ ବପୁ ନାହିଁ..କି ବୟସ ନାହିଁ . ସେ ଆଜି ନିରୁପାୟ, ନିଃସହାୟ ।

ତଥାପି ଛାତିକୁ ଦମ୍ଭ କରି ନାତିକୁ ପାଇବା ପାଇଁ ଅଣ୍ଟା ଭିଡ଼ିଛି । ହେଲେ ନାତି ବି କୋଉ ହାତ ପାଆନ୍ତାରେ ଅଛି ଯେ ତାକୁ କୋଳେଇ ନେଇ ବୋକ ଦେବେ । ତାକୁ ଯେପରି କେହି ସାତତାଳ ପଙ୍କ ଭିତରେ ଲୁଚେଇ ରଖିଛି । ଏ ବୁଢ଼ା ବୟସରେ କ’ଣ କରିବେ, କେଉଁଠି ଖୋଜିବେ, କିଏ ବା ସାହାଯ୍ୟ କରିବ ତାଙ୍କୁ , ସେଥିପାଇଁ ଶେଷରେ ସେହି ଆଇନ ଉପରେ ଭରସା କରି ନାତିକୁ ଖୋଜିବାର ଦାୟିତ୍ୱ ଦେଇଛନ୍ତି । ନାତିକୁ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅତୁଲ ସୁଭାଷଙ୍କ ବାପା । ବଞ୍ଚି ଥାଉ ଥାଉ ପୁଅ ତ ନାତିର ମୁହଁ ଦେଖିପାରିଲାନି, ହେଲେ ତା’ର ଶେଷ ଇଚ୍ଛା ପୂରଣ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛି ଜଣେ ହତଭାଗା ବାପ ।

ନାତିକୁ ଖୋଜିବା ସହ ତା’ର ରକ୍ଷଣାବେକ୍ଷଣ ଦାବି କରି ଅତୁଲ ସୁଭାଷଙ୍କ ପିତା ପୱନ ମୋଦି ବିହାରର ସମସ୍ତିପୁର ଜିଲ୍ଲାର ଭେନି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ପୱନ ମୋଦିଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପୋଲିସ ଜିରୋ ଏଫଆଇଆର ପଞ୍ଜିକରଣ କରିଛି। ପୱନ ମୋଦି କହିଛନ୍ତି, ନାତିକୁ ଫେରି ନପାଇଲେ ଆମେ ପୂରା ପରିବାର ସର୍ବସମ୍ମୁଖରେ ଆତ୍ମହତ୍ୟା କରିବୁ, ପୁଅ ଚାଲିଗଲା ପରେ ନାତି ହିଁ ଆମର ସାହାଭରସା । ତେବେ ଏ ମାମଲା ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲା ସହ ଜଡିତ । ଏଥିପାଇଁ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଜୋନପୁର ପୋଲିସକୁ ଏଫଆଇଆର ପଠାଇ ଦିଆଯାଇଛି । ବେନି ଥାନା ଦାୟିତ୍ୱରେ ଥିବା ଆନନ୍ଦ ଶଙ୍କର କହିଛନ୍ତି, ଜୋନପୁର ପୋଲିସ ଏହି ଘଟଣାର ତଦନ୍ତ କରିବ।

ଏପଟେ ପୱନ ମୋଦି ତାଙ୍କର ୪ ବର୍ଷର ନାତିକୁ ଭେଟି ପାରୁନଥିବାରୁ ଦୁଃଖ ବ୍ୟକ୍ତ କରିଛନ୍ତି । ଭିଡିଓ କଲ ମାଧ୍ୟମରେ ହିଁ ନାତିକୁ ଥରେ ମାତ୍ର ଦେଖିବାର ସୁଯୋଗ ପାଇଥିବା ସେ କହିଛନ୍ତି । ଏବେ ସେ ପିଲାଟିର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ନାତି କିପରି ଅବସ୍ଥାରେ ଅଛି, ଭଲରେ ଅଛି ନା ନାହିଁ ସେଥିପାଇଁ ପୂରା ପରିବାର ଭାଳି ହେଉଛନ୍ତି । ଅତୁଲଙ୍କ ଆତ୍ମହତ୍ୟା ଅଭିଯୋଗରେ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମା’ ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗ ସିଙ୍ଗାଣିଆଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଶନିବାର ସକାଳେ ଗିରଫ କରାଯାଇ ବେଙ୍ଗାଲୁରୁ ଅଣାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ସମସ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଘଟଣାର ତଦନ୍ତ ଚାଲିଛି । ହେଲେ ଏବେ ସୁଦ୍ଧା ଅତୁଲଙ୍କ କୁନି ପୁଅର କୌଣସି ପତ୍ତା ମିଳିନାହିଁ । ପିଲାଟି କେଉଁଠି ଅଛି କେହି ଜାଣିନାହାନ୍ତି ।

ଅଧିକ ପଢ଼ନ୍ତୁ:AI ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା; ଜେଲ୍ ଗଲେ ପତ୍ନୀ ନିକିତା-ଶାଶୁ-ଶାଳକ

ଗିରଫ ହୋଇଥିବା ଅତୁଲଙ୍କ ପତ୍ନୀ ନିକିତା ପୋଲିସକୁ କହିଥିଲେ, ତାଙ୍କ ପୁଅ ଏବେ ହରିୟାଣାର ଫରିଦାବାଦସ୍ଥିତ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଛି । ପୁଅର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ନିକିତାଙ୍କ ବଡ଼ବାପା ସୁଶୀଲ ସିଂଘାନିଆଙ୍କ ପାଖରେ ଥିବା ସେ କହିଥିଲେ। ହେଲେ ସୁଶୀଲ ସିଂଘାନିଆ ପୁଅ ବିଷୟରେ କିଛି ଜାଣିନଥିବା ପୋଲିସକୁ କହିଥିଲେ। ଅନ୍ୟପଟେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଚାରି ଦିନ ପୂର୍ବରୁ ଅତୁଲଙ୍କ ମା’ ନିଜର ନାତିର କଷ୍ଟଡି ଦାବି କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ହରିୟାଣା ଏବଂ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭ରେ ହେବ।

୩୪ ବର୍ଷୀୟ ଇଞ୍ଜିନିୟର ଅତୁଲ ସୁଭାଷ ଡିସେମ୍ବର ୯ ତାରିଖରେ ବେଙ୍ଗାଲୁରୁର ମୁନ୍ନେକୋଲାଲୁ ସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ୨୪ ପୃଷ୍ଠାର ଏକ ସୁସାଇଡ୍ ନୋଟ୍ ଏବଂ ଦେଢ଼ ଘଣ୍ଟାର ଭିଡିଓ ମେସେଜ୍ ଛାଡିଥିଲେ। ଭିଡିଓରେ ଆତ୍ମହତ୍ୟା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି କହିଥିଲେ । ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀ ଏବଂ ଶାଶୁ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ମାନସିକ ନିର୍ଯାତନା ଦେଉଥିଲେ, ଯାହା ଦିନକୁ ଦିନ ଅସହ୍ୟ ହେଉଛି । ସେମାନେ ହିଁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅତୁଲ ଭିଡିଓରେ ଅଭିଯୋଗ କରିଥିଲେ।
ଅତୁଲ ଭିଡିଓ ମେସେଜରେ କହିଥିଲେ, ବିବାହର ଦୁଇବର୍ଷ ଏକାଠି ରହିବା ପରେ ଦେଢ଼ବର୍ଷର ପୁଅକୁ ଧରି ପତ୍ନୀ ଘର ଛାଡ଼ି ପଳାଇଥିଲେ । ବାହାରେ ରହି ସବୁବେଳେ ଟଙ୍କା ଦାବି କରୁଥିଲେ । ପ୍ରତିମାସ ୪୦ ହଜାର ଟଙ୍କା ଭରଣପୋଷଣ ନେଉଥିଲେ । କିନ୍ତୁ ପିଲା ପାଇଁ ଅଧିକ ଖର୍ଚ୍ଚ ହେଉଥିବା କହି ପତ୍ନୀ ମାସକୁ ୨-୪ ଲକ୍ଷ ଟଙ୍କା ମାଗିଥିଲେ । ମାମଲା କୋର୍ଟକୁ ଯାଇଥିଲା । ହେଲେ ସେଠାରେ ବି ତାଙ୍କୁ ଧୋକା ମିଳିଥିଲା । ମାମଲାର ରଫାଦଫା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ମଗାଯାଇଥିଲା । 

ପରେ ପରେ ଅତୁଲଙ୍କ ବିରୋଧରେ ପତ୍ନୀ ମିଥ୍ୟା ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅତୁଲ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିବାରୁ ତାଙ୍କ ପିତା ହୃଦଘାତର ଶିକାର ହୋଇଥିବା ପତ୍ନୀ ଅଭିଯୋଗ କରିଥିଲେ । ଏହିଭଳି ଅନେକ ମିଥ୍ୟା ମାମଲା କରି ପତ୍ନୀ ତାଙ୍କୁ ୧ କୋଟି ଟଙ୍କା ମାଗିଥିଲେ । ପରେ ଏହାକୁ ୩ କୋଟି ଟଙ୍କାକୁ ବଢ଼ାଇଥିଲେ । ଜୋନପୁର ଫ୍ୟାମିଲି କୋର୍ଟ ଜଜ୍ ବି ପତ୍ନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ୨୪ ପୃଷ୍ଠାର ଚିଠିରେ ଅତୁଲ ରାଷ୍ଟ୍ରପତିଙ୍କ ନାମ ଉଲ୍ଲେଖ କରି ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ ଏବଂ ସମସ୍ତ ମାମଲାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ । ତାଙ୍କ ପିତାମାତା ଓ ଭାଇଙ୍କୁ ହଇରାଣ ନ କରିବାକୁ ଅନୁରୋଧ କରିବା ସହ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ନ ଦେବାକୁ କହିଥିଲେ । ଏପରିକି ଏହି ଭିଡ଼ିଓଟିରେ ସେ ତାଙ୍କ ମାତାପିତାଙ୍କୁ କ୍ଷମା ମାଗି କହିଥିଲେ, ମୋତେ କ୍ଷମା କରିଦିଅନ୍ତୁ, ମୁଁ ତୁମ ମାନଙ୍କ ଯତ୍ନ ନେଇପାରୁନି।

ନିଜ ପୁଅର ଦାୟିତ୍ୱ ପତ୍ନୀଙ୍କୁ ନୁହେଁ, ବାପାମା’ଙ୍କୁ ଦେବାପାଇଁ ସେ ଅନୁରୋଧ କରିଥିଲେ । କାରଣ ତାଙ୍କ ବାପାମା’ ହିଁ ନାତିକୁ ଉଚିତ ଶିକ୍ଷା ଓ ମୂଲ୍ୟବୋଧ ସହ ଭଲ ମଣିଷ କରି ଗଢ଼ିତୋଳିପାରିବେ । ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ ଅତୁଲ, ଯଦ୍ୱାରା ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିବ । ଆଗାମୀ ସମୟରେ ଆଉ ଜଣେ ଅତୁଲକୁ ଏପରି ମାନସିକ ଯନ୍ତ୍ରଣାରେ ଜଡ଼ସଡ଼ ହୋଇ ଯେପରି ଜୀବନ ଦେବାକୁ ପଡ଼ିବ ନାହିଁ, ଅପରାଧୀଙ୍କୁ ସେହିପରି ଦଣ୍ଡ ଦିଆଯାଉ ବୋଲି ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ ।