• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍-ଅଟଳ ସେତୁ । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରୁଛି । ୨୧ କିଲୋମିଟର ୮ଶହ ମିଟର ଲମ୍ବ ଏହି ସେତୁ ଭାରତୀୟ ଇଞ୍ଜିନିୟରିଂ ଏକ ବଳିଷ୍ଠ ଉଦାହରଣ ।

ଆରବ ସାଗର ଉପରେ ନିର୍ମାଣ ହୋଇଛି ଏହି ସେତୁ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ ଲେନ ବିଶିଷ୍ଟ ଏହି ଟ୍ରାନସ୍ ହାର୍ବର ସି ଲିଙ୍କ ସେଣ୍ଟ୍ରାଲ ମୁମ୍ବାଇକୁ ନଭି ମୁମ୍ବାଇ ସହ ସଂଯୋଗ କରୁଛି । ପୂର୍ବରୁ ଏହି ଦୂରତା ଅତିକ୍ରମ କରିବା ଲାଗି ଦୁଇ ଘଣ୍ଟା ସମୟ ଲାଗୁଥିଲା । ମାତ୍ର ଏବେ କେବଳ ୧୫ରୁ ୨୦ ମିନିଟ ସମୟ ଲାଗିବ । ମୁମ୍ବାଇ ମହାନଗରୀର ଟ୍ରିଫିକ ଜାମ୍ ହ୍ରାସ କରିବାରେ ଅଟଳ ସେତୁ ବହୁ ମାତ୍ରରେ ସହାୟକ ହେବ ବୋଲି କୁହାଯାଉଛି ।

ଇଂଜିନିୟରିଂ ଦୃଷ୍ଟିରୁ ଏହା ବିଶ୍ୱର ଏକ ଅତ୍ୟାଧୁନିକ ବ୍ରିଜ୍ । ଏଥିରେ ଏକାଧିକ ଟେକନିକ ଦେଶରେ ପ୍ରଥମ ଥର ବ୍ୟବହାର ହୋଇଛି । ଯେମିତିକି ଅର୍ଥୋଟ୍ରପିକ ଷ୍ଟିଲ ଡେକ୍ । ଏହାର ଗୋଟିଏ ଲେଖାଏଁ ସ୍ପାନ ପ୍ରାୟ ୧୮୦ ମିଟର । ଜାପାନ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରାଯାଇଛି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ସେତୁର ଶିଳାନ୍ୟାସ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୭ ବର୍ଷ ଲାଗିଗଲା ।

ଅଟଳ ସେତୁ ଉପରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ କରିପାରିବ ନାହିଁ । ମୋଟର ସାଇକେଲ, ମୋପେଡ୍‌, ତିନି ଚକିଆ ଯାନ, ଟ୍ରାକ୍ଟରକୁ ନେଇ ଯାଉଥିବା ଗାଡ଼ି ତଥା ଧିମା ଗତିରେ ଚାଲୁଥିବା ଗାଡ଼ିଗୁଡ଼ିକ ଏହା ଉପରେ ଚାଲି ପାରିବ ନାହିଁ । ଅଟଳ ସେତୁ ଉପରେ କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍ ଓ ଟୁ ଏକ୍ସେଲ ବସ୍‌ ଗୁଡ଼ିକ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାଇପାରିବେ । ସେତୁରେ ପ୍ରବେଶ କରିବା ତଥା ସେତୁରୁ ବାହାରିବା ବେଳେ ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମି ରଖିବାକୁ କୁହାଯାଇଛି ।