• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ(Assembly Election 2023) ପାଇଁ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ କମିଶନର ପ୍ରେସମିଟ୍ କରି ତାରିଖ ଘୋଷଣା କରିଛନ୍ତି । ଗତଥର ଭଳି ଏଥର ମଧ୍ୟ ତିନି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୧୬ ରେ ତ୍ରିପୁରାରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ଫେବ୍ରୁଆରୀ ୨୭ରେ ନାଗାଲାଣ୍ଡ ଏବଂ ମେଘାଳୟରେ ଏକକାଳୀନ ଭୋଟ୍ ଅନୁଷ୍ଠିତ ହେବ । ଏହାସହ ମାର୍ଚ୍ଚ୨ରେ ଏହି ତିନୋଟି ରାଜ୍ୟରେ ଫଳାଫଳ ଆସିବ । ଏହି ତିନୋଟି ରାଜ୍ୟରେ ୬୦ ଟି ଲେଖାଏଁ ବିଧାନସଭା ଆସନ ଅଛି । ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ ପାଇଁ ୩୧ ସିଟ୍‌ ଆବଶ୍ୟକ ।

 ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍‌ର ମୁଖ୍ୟାଂଶ

  • ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ଭୋଟରଙ୍କ ସଂଖ୍ୟା ହେଉଛି ୬୨.୮ ଲକ୍ଷ
  • ମହିଳା ଭୋଟରଙ୍କ ସଂଖ୍ୟା - ୩୧.୪୭ ଲକ୍ଷ
  • ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା – ୧.୭୬ ଲକ୍ଷ
  • ଏହି ତିନୋଟି ରାଜ୍ୟରେ ୨.୨୩ ଲକ୍ଷ ନୂତନ ଭୋଟର ମତଦାନ କରିବେ
  • ଏହି ତିନୋଟି ରାଜ୍ୟରେ ୯୦୦୦ରୁ ଅଧିକ ମତଦାନ କେନ୍ଦ୍ର ରହିବ
  • ଏଥିମଧ୍ୟରୁ ୩୭୬ଟି ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ 
  • ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟରେ ୬୨.୮ ଲକ୍ଷ ଭୋଟର ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୩୨ ଲକ୍ଷ ଅଛନ୍ତି ମହିଳା ଭୋଟର ।
  • ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଗଣତନ୍ତ୍ରରେ ହିଂସା ପାଇଁ ସ୍ଥାନ ନାହିଁ ଏବଂ ଏହି ରାଜ୍ୟଗୁଡିକରେ ମଧ୍ୟ ହିଂସା ରୋକିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।
  • ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟରେ ନିରପେକ୍ଷ ଏବଂ ଭୟମୁକ୍ତ ନିର୍ବାଚନ କରିବାକୁ ଆୟୋଗ ସମ୍ପୂର୍ଣ୍ଣ ଆଶସ୍ତ ରହିଛି । ଏହି ତିନୋଟି ରାଜ୍ୟରେ ମହିଳା ଭୋଟରଙ୍କ ଅଂଶଗ୍ରହଣ ଅଧିକ ରହିଛି।

ନଜର ପକାଇବା ଏହି ୩ ରାଜ୍ୟର ୨୦୧୮ ନିର୍ବାଚନ ଫଳାଫଳ ଉପରେ

୬୦ ଆସନ ବିଶିଷ୍ଠ ନାଗାଲାଣ୍ଡରେ ଏନଡିପିପି ପାଖରେ ୪୨, ବିଜେପି ପାଖରେ ୧୨, ଏନପିଏଫ୍ ପାଖରେ ୪ ଓ ସ୍ୱାଧୀନ ପାଖରେ ୨ଟି ସିଟ୍ ରହିଛି । ମେଘାଳୟରେ ୬୦ଟି ଆସନରୁ ଏନସିପି ୨୦, ୟୁଡିପି ୮, ବିଜେପି ପାଖରେ ୩ଟି ସିଟ୍ ରହିଛି । ଏହାଛଡ଼ା ପିଡିଏଫର ୨ଟି, AITC ୮ଟି, ଏନସିପି ପାଖରେ ଗୋଟିଏ ଆସନ ରହିଛି । ସେହିଭଳି ତ୍ରିପୁରାର ୬୦ଟି ଆସନରୁ ବିଜେପି ପାଖରେ ୩୩, IPFT ୪, ସିପିଆଇଏମ ୧୫ ଏବଂ କଂଗ୍ରେସର ଗୋଟିଏ ଆସନ ରହିଛି ।

ସୂଚନାଯୋଗ୍ୟ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୨୨ ଓ ୧୫ ମାର୍ଚ୍ଚରେ ଶେଷ ହେବ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ତିନି ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ପଡିବ । ତେଣୁ ସ୍ଥାନୀୟ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ଯାଏ ଏହି ତିନି ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।