• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆମ୍ବୁସ ଫାଶରେ ସହିଦ ଆଉ ୪ ଯବାନ, PLAର ସଂପୃକ୍ତି ସନ୍ଦେହ

  • ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

  • ରାଜନାଥ କହିଲେ ଆକ୍ରମଣକାରୀଙ୍କୁ ଛାଡ଼ିବୁନି...

ଇମ୍ଫାଲ : କିଛି ବର୍ଷର ନୀରବତ୍ତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପୁଣି ଆତଙ୍କବାଦୀଙ୍କ ରକ୍ତର ହୋଲି । ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସହ ୭ ଜଣଙ୍କୁ ବର୍ବର ହତ୍ୟା । ସମୟ ସକାଳ ପ୍ରାୟ ୧୦ଟା ସୂଚନା ଅନୁସାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ୪୬ ଆସାମ ରାଇଫଲ୍ସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ସାଙ୍ଗରେ ଥିଲେ ପତ୍ନୀ ଓ ୮ ବର୍ଷର ପୁଅ । ତାଙ୍କ ସୁରକ୍ଷା ଦାୟିତ୍ୱରେ କ୍ୱିକ୍ ରିଆକ୍ସନ ଟିମର କିଛି ଯବାନ ମଧ୍ୟ ଥିଲେ ।

ମଣିପୁରରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବଢିଲା ତତ୍ପରତା । ଆକ୍ରମଣ ଘଟଣା ନେଇ ସ୍ଥଳସେନା ମୁଖ୍ୟ ନର୍ଭାଣେଙ୍କୁ ଅବଗତ କରାଯାଇଛି । ଆତଙ୍କବାଦୀଙ୍କୁ କାବୁ କରିବା ନେଇ ଜୋରଦାର୍ ଅପରେସନ ଆରମ୍ଭ ହୋଇଛି । ମିଆଁମାର ସୀମାନ୍ତ ଉପରେ ସେନାବାହିନୀର କଡ଼ା ନଜର ରହିଛି । ଆକ୍ରମଣକାରୀ ଯେପରି ଖସି ନ ଯାଆନ୍ତି ତାହା ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଘଟଣାକୁ ଅନୁଧ୍ୟାନ କରୁଛନ୍ତି ସେନା ମୁଖ୍ୟାଳୟ ।

ତେବେ ମିଆମାଁର ସୀମାନ୍ତ ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ହଠାତ ସେମାନଙ୍କ ଗାଡ଼ିକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ । ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ । ଆତଙ୍କବାଦୀଙ୍କ ଏ ଆମ୍ବୁସ ଆକ୍ରମଣରେ ଆଉ କିଛି ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି ।

ଏ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନଥିଲେ ବି ଏହା ପଛରେ ମଣିପୁରର ପିପୁଲସ ଲିବରେସନ ଆର୍ମି PLAର ହାତ ଥିବା କୁହାଯାଉଛି । ସେପଟେ ମଣିପୁରରେ ଗତ କିଛି ଦଶନ୍ଧି ହେବ ସ୍ୱତନ୍ତ୍ର ଭୂଖଣ୍ଡ ଦାବି କରୁଥିବା ଦି ପିପୁଲ୍ସ ରିଭୋଲୁସନାରୀ ପାର୍ଟି ଅଫ୍ କଙ୍ଗଲେଇପାକ୍ ବା ପ୍ରିପାକ୍ ଗୋଷ୍ଠୀ ମଧ୍ୟ ଏ ନରସଂହାର କରିଥିବା ସନ୍ଦେହ କରାଯାଉଛି ।

ସେପଟେ ଆତଙ୍କୀଙ୍କୁ ଧରିବା ଲାଗି ଘଟଣାସ୍ଥଳରେ ଜାରି ରହିଛି ଜୋରଦାର ସର୍ଚ୍ଚ ଅପରେସନ । ସେହି ଅଞ୍ଚଳରେ ରାଜ୍ୟ ସୁରକ୍ଷା ବଳ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଏପଟେ ଘଟଣାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ନିନ୍ଦା କରିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ।

ଗଲା କିଛି ବର୍ଷ ଭିତରେ ମଣିପୁରରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ହମଲା ବୋଲି କୁହାଯାଉଛି । ତେବେ ୟା ପୂର୍ବରୁ ଗତ ୨୦୧୫ରେ ଜୁନ୍ ୪ ତାରିଖରେ ମଣିପୁରର ଚାନ୍ଦେଲ୍ ଜିଲ୍ଲାରେ ଆର୍ମି ଡୋଗ୍ରା ରେଜିମେଣ୍ଟ ଯବାନଙ୍କ ଗାଡ଼ି ଉପରେ ଏକ ବଡ଼ ଧରଣର ହମଲା ହୋଇଥିଲା । UNLFW ଗୋଷ୍ଠୀର ଏ ଅତର୍କିତ ଆକ୍ରମଣରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ମାତ୍ର ଏହାର ୫ ଦିନ ପରେ ଜୁନ୍ ୯ରେ ସେନା ପକ୍ଷରୁ ମିଆଁମାରରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇ ଆତଙ୍କୀ ଶିବିରକୁ ଧ୍ୱଂସ କରି ଦିଆଯାଇଥିଲା, ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ ।