• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଠକେଇ ମାମଲାରେ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ଆସାମର ଲେଡି ସିଂଘମ (Assam Lady Singham) ଶେଷରେ ନିଜେ ଦୁର୍ନୀତି ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ପୋଲିସ୍‌ ଅଧିକାରୀ ଜନମୋନି ରାଭାଙ୍କୁ ଶନିବାର ଦିନ ଗିରଫ କରାଯାଇଛି। ପୂର୍ବତନ ପ୍ରେମିକଙ୍କ ସହ ମିଶି ଭ୍ରଷ୍ଟାଚାରରେ ସାମିଲ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ପୋଲିସ୍‌ ସୂଚନା ଅନୁସାରେ, ଆସାମର ନୌଗାଓଁ ଜିଲ୍ଲାର କାଲିଆବୋର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ରାଭାଙ୍କୁ  ଲଗାତାର୨ ଦିନ ପଚରାଉଚରା ପରେ ଗିରଫ କରାଯାଇଛି। ଏହାପରେ ୧୪ ଦିନ ପାଇଁ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ସୂଚନା ଅନୁସାରେ, ମାଜୁଲିରେ କାର୍ଯ୍ୟରତ ଥିବାବେଳେ ରାଭା ୨ ଜଣ ଠିକାଦାରଙ୍କୁ ପୂର୍ବତନ ପ୍ରେମିକ ରାଣା ପୋଗାମଙ୍କ ସହ ପରିଚିତ କରାଇଥିଲେ। ଏହାପରେ ସେ ରାଣାଙ୍କ ସହ ମିଶି ଡିଲ୍‌ କରିଥିଲେ। ପରେ ସେମାନଙ୍କ ସହ ଠକେଇ ହୋଇଥିବା ନେଇ ଦୁଇ ଠିକାଦାର ଅଭିଯୋଗ ଆଣିଥିଲେ।

ରାଣାଙ୍କ ବିରୋଧରେ ରାଭା FIR ରୁଜୁ କରିଥିଲେ। ଅଭିଯୋଗ ଥିଲା ଯେ, କିଛି ଯୁବକଙ୍କୁ ONGCରେ ଚାକିରି ଓ ଠିକା କାମ ଦେବାର ପ୍ରତିଶ୍ରୁତି ଦେଇ ରାଣା ସେମାନଙ୍କୁ ଠକି ଥିଲେ। ଏହାପରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି। ରାଭାଙ୍କ ନାଁରେ ରାଣା ପଇସା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ସୂତ୍ରରୁ ପ୍ରକାଶ ଯେ, ଲେଡି ସିଙ୍ଘମ ରୂପେ ପ୍ରସିଦ୍ଧ ରାଭାଙ୍କ ବିରୋଧରେ ପୋଗାଗଙ୍କ ସହ ମିଶି ଠକେଇ ଓ ଦୁର୍ନୀତି କରିଥିବା ନେଇ ଅନେକ ଅଭିଯୋଗ ରହିଛି। ଏହି ଅଭିଯୋଗକୁ ଆଧାର କରି ଉକ୍ତ ମହିଳା ପୋଲିସ୍‌ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାଥାଉ କି, ଗତବର୍ଷ ଅକ୍ଟୋବରରେ ପୋଲିସ୍‌ ଅଧିକାରୀ ରାଭା ପ୍ରେମିକ ପୋଗାମଙ୍କ ସହ ନିର୍ବନ୍ଧ କରିଥିଲେ। ନଭେମ୍ବର ୨୦୨୨ରେ ଉଭୟ ବିବାହ କରିଥା’ନ୍ତେ। ହେଲେ ଏହା ପୂର୍ବରୁ ପୋଗାଗଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। ପୋଗାମ  ONGCରେ ଚାକିରି କରାଇ ଦେବାକୁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲା। ତା’ନିକଟରୁ ଓଏନ୍‌ଜିସିର ନକଲି ଷ୍ଟାମ୍ପ ଓ ଦସ୍ତାବିଜ ମଧ୍ୟ ମିଳିଥିଲା। ଏହି ମାମଲାର ଅଧିକ ତଦନ୍ତ ପରେ ଏହି ଠକେଇରେ ଆସାମର ଲେଡି ସିଙ୍ଘମଙ୍କର ମଧ୍ୟ ହାତ ଥିବା ଏବେ ଖୁଲାସା ହୋଇଛି।