• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବନାମ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ଜୋର ଧରିଛି ଆରୋପ-ପ୍ରତ୍ୟାରୋପ ରାଜନୀତି । ରୁଜୁ ହେଉଛି ମାମଲା ପରେ ମାମଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବାପ-ପୁଅ ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ରାହୁଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ବିଜେପି । ଆସାମ ବିଜେପି ପକ୍ଷରୁ ତାଙ୍କ ନାଁରେ ହଜାରେରୁ ଅଧିକ ମାମଲା ରୁଜୁ କରାଯିବ । ଦେଶର ଏକତା ଓ ଅଖଣ୍ଡତା ସଂପର୍କରେ ଉଦାହରଣ ଦେଇ ରାହୁଲ କହିଥିଲେ ଯେ କାଶ୍ମୀରରୁ କେରଳ ଓ ଗୁଜରାଟରୁ ପଶ୍ଚିମବଙ୍ଗ, ଭାରତ ଏକ ସୁନ୍ଦର ଦେଶ । ଏହାର ଆତ୍ମାକୁ ଅପମାନିତ ନକରିବାକୁ ଟୁଇଟ୍ କରି ବିଜେପି ଉପରେ ବର୍ଷିଥିଲେ । ତେବେ ତାଙ୍କର ଏହ ମନ୍ତବ୍ୟକୁ ନେଇ ଖଡ୍ଗହସ୍ତ ହୋଇଛନ୍ତି ମଣିପୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ।

ନର୍ଥ-ଇଷ୍ଟ୍ ଭାରତର ଏକ ଅଙ୍ଗ ବୋଲି ରାହୁଲଙ୍କୁ ମନେ ପକାଇ ଦେବା ସହ ତାଙ୍କ ଅଜାଙ୍କ ଭଳି ରାହୁଲ ମଧ୍ୟ ଉତ୍ତର-ପୂର୍ବାଞ୍ଚଳକୁ ଅଣଦେଖା କରୁଥିବା କହିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ । ଅଜ୍ଞତା କାରଣରୁ କଂଗ୍ରେସ ଉତ୍ତର-ପୂର୍ବରୁ ସଫା ହୋଇଗଲା ବୋଲି ଟୁଇଟ୍ କରିଛନ୍ତି ବିପ୍ଳବ । ସେହିପରି ନିର୍ବାଚନ ହେଉଥିବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂହ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ କିଏ ଦେଶର ବିଭାଜନ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ରାହୁଲଙ୍କ ମନ୍ତବ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକ ପ୍ରତି ଅପମାନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

୨୦୧୬ରେ ପାକିସ୍ତାନ ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ପ୍ରଶ୍ନ ଉଠାଇବା ସହ ଏହାର ପ୍ରମାଣ ମାଗିଥିଲେ ରାହୁଲ । ଏହାର ଜବାବ ଦେବାକୁ ଯାଇ ରାହୁଲଙ୍କ ଉପରେ ବର୍ଷିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାହୁଲ, ରାଜୀବ ଗାନ୍ଧୀଙ୍କ ପୁଅ କି ନୁହନ୍ତି ଆମେ କେବେ ପ୍ରମାଣ ମାଗିଛୁ କି ବୋଲି ପାଲଟା ପ୍ରଶ୍ନ କରିଥିଲେ ହିମନ୍ତ । ତେବେ କଂଗ୍ରେସ ପକ୍ଷରୁ ହିମନ୍ତଙ୍କ ମନ୍ତବ୍ୟର ଜୋରଦାର ସମାଲୋଚନା କରାଯିବା ସହ ଆସାମର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ପକ୍ଷରୁ ବିରୋଧ ଜାରି ରହିଛି । ସେହିପରି ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ମଧ୍ୟ ହିମନ୍ତଙ୍କ ମନ୍ତବ୍ୟର ଜୋରଦାର ବିରୋଧ କରାଯିବା ସହ ତାଙ୍କ ଇସ୍ତଫା ଦାବି କରାଯାଇଛି ।

ହିମନ୍ତଙ୍କ ନାଁରେ ରାଜ୍ୟର ସବୁ ଥାନାରେ ଏଫ୍ଆଇ୍ଆର୍ ରୁଜୁ ହୋଇଛି । ଅନ୍ୟପକ୍ଷରେ ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି ତାଙ୍କ କଟୁ ସମାଲୋଚକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ହିମନ୍ତଙ୍କ ମନ୍ତବ୍ୟକୁ ଅଶାଳୀନ ଦର୍ଶାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି କରିଛନ୍ତି ।

ଏମିତିକି କିଛି ପ୍ରସଙ୍ଗ ରହିଛି ଯାହାକୁ ନେଇ ପ୍ରଶ୍ନ ଉଠାଯାଇପାରିବ ନାହିଁ । ସୀମା ଆରପଟେ ବାୟୁସେନର କାର୍ଯ୍ୟାନୁଷ୍ଠାନ ସେମିତି ଏକ ବିଷୟ । ତେଣୁ ତାଙ୍କ ମନ୍ତବ୍ୟର କଦର୍ଥ କରାଯାଇଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ଉଠାଇଥିବା ପ୍ରଶ୍ନର ଉତ୍ତର ନଦେଇ କଂଗ୍ରେସ ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ଜେନେରାଲ ବିପିନ ରାଓ୍ୱତ୍ ସ୍ଥଳସେନା ମୁଖ୍ୟ ହେବା ଦିନଠାରୁ କଂଗ୍ରେସ ନେତା ତାଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ କରିବା ସହ ତାଙ୍କୁ ଅପମାନିତ କରିଚାଲିଥିଲା ବୋଲି ହିମନ୍ତ କହିଛନ୍ତି ।

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି କଂଗ୍ରେସ ନେତା କରିଥିବା ଟୁଇଟ୍ ଓ ପୂର୍ବତନ ସିଡିଏସଙ୍କ ସଂପର୍କରେ ଦେଇଥିବା ବୟାନକୁ ରି-ଟୁଇଟ୍ କରି ଦଳ ଉପରେ ଜୋରଦାର ପ୍ରତି ଆକ୍ରମଣ କରିଛନ୍ତି । ଏପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାହୁଲଙ୍କ ମନ୍ତବ୍ୟର ଜୋରଦାର ସମାଲୋଚନା କରିବା ସହ ସର୍ଜିକାଲ ଷ୍ଟ୍ରାଇକ ପାଇଁ ସେନାକୁ ସାବାସୀ ଦେଇଛନ୍ତି ।

ଅରୁଣାଚଳ ଓ ଲଦାଖ ଉପରେ ଚୀନ୍ କବଜା କରିଥିବା ରାହୁଲ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ତାଙ୍କ ଟୁଇଟ୍ ଉଦ୍ଦେଶ୍ୟମୂଳକ ଥିଲା ବୋଲି ଚର୍ଚ୍ଚା ହେଉଛି । ଉତ୍ତର-ପୂର୍ବାଞ୍ଚଳର ମଣିପୁର ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ରାହୁଲଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ କିଛି କଂଗ୍ରେସ ନେତା ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି । ତେବେ ଭୋଟରଙ୍କ ଉପରେ କଂଗ୍ରେସ-ବିଜେପି କଳିର କିଛି ପ୍ରଭାବ ରହୁଛି ନା ନାହିଁ ଫଳାଫଳ ପ୍ରକାଶ ପରେ ହିଁ ସ୍ପଷ୍ଟ ହେବ।