• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିହାରରେ ମେଣ୍ଟ ସରକାର ଚାଲିଥିଲେ ବି ଜେଡିୟୁ ସହ ବିଜେପିର ସଂପର୍କ ଆଦୌ ଭଲ ନଥିଲା । ଏପରିକି ମେଣ୍ଟ ସହଯୋଗୀ ଦଳ ହିସାବରେ ଜେଡିୟୁକୁ ବିଜେପି ସମ୍ମାନ କରୁନଥିବାର ଅଭିଯୋଗ ଆଣିଛନ୍ତି ନୀତିଶ କୁମାର । ଯେଉଁ କାରଣ ପାଇଁ ଗତ କିଛି ଦିନ ଧରି ଏନ୍‌ଡିଏଠୁ ଦୂରେଇ ରହୁଥିଲେ ନୀତିଶ । ନୀତି ଆୟୋଗ ବୈଠକ ହେଉ କିମ୍ବା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ଉପସ୍ଥିତି ନଥିଲା । ତେବେ କେଉଁ କାରଣ ପାଇଁ ନୀତିଶ ବିଜେପିର ହାତ ଛାଡ଼ିଦେଲେ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ କାହିଁକି ଝଟ୍‌କା ଦେଲେ ରାଜନୀତି ଧୂରନ୍ଦର ନୀତିଶ କୁମାର ? ରାଜନୀତି ବିଶ୍ଲେଷକଙ୍କ ମତରେ ବିଜେପିଠାରୁ ଜେଡିୟୁ ହଠାତ ଦୂରେଇ ଯିବା ପଛରେ ଏକାଧିକ କାରଣ ଦାୟୀ..

କାରଣ-୧: କୁହାଯାଉଛି ୨୦୧୯ରେ ବିହାରରେ ଅଧିକ ଲୋକସଭା ସିଟ୍ ହାତେଇବା ଚକ୍କରରେ ଜେଡିୟୁ ସହ ମେଣ୍ଟ କରିଥିଲା ବିଜେପି

କାରଣ-୨: ଜେଡିୟୁର ୧୬ ସାଂସଦ ଥିବା ସତ୍ତ୍ୱେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୋଟିଏ ମାତ୍ର ମନ୍ତ୍ରୀପଦ ମିଳିବାରୁ ଏହାକୁ ନେଇ ଖପ୍ପା ଥିଲେ ନୀତିଶ

କାରଣ-୩: ୨୦୨୦ରେ ମତଭେଦ ସତ୍ତ୍ୱେ ବିକଳ୍ପ ନଥିବାରୁ ବିଜେପି ସହ ବିଧାନସଭା ନିର୍ବାଚନ ଲଢିବାକୁ ବାଧ୍ୟ ହୋଇଥିଲେ ନୀତିଶ । ମାତ୍ର ବିଜେପି, ଏଲ୍‌ଜେପି ନେତା ଚିରାଗ ପାଶଓ୍ୱାନଙ୍କୁ ଅସ୍ତ୍ର କରି ରାଜ୍ୟର ମୋଟ ୨୪୩ ଆସନରୁ ୧୩୫ ଆସନରେ ପ୍ରାର୍ଥୀ ଦେଇ ଜେଡିୟୁ ଭୋଟ କାଟିବାକୁ ଉଦ୍ୟମ ଅଭିଯୋଗ ହୋଇଥିଲା । ବିଜେପିର ଚିଚାଗ ମଡେଲ କୁହାଯାଉଥିବା ଏ ଫର୍ମୁଲା ଯୋଗୁଁ ୧୧୫ ଆସନରେ ଲଢି ବି ଜେଡିୟୁ ମାତ୍ର ୪୩ ଆସନ ପାଇଥିଲା ।

କାରଣ-୪: ମେଣ୍ଟ ସରକାରରେ ଜେଡିୟୁର ସିଟ୍ କମ୍ ଥାଇ ବି ନିତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦ୍ୱାରା ସେ ବିଜେପିର ଦୟାର ପାତ୍ର ହେବା ଏବଂ ପରେ ବିଜେପି ବଡ଼ ଭାଇ ଆସନକୁ ଯିବାରୁ ନିଜକୁ ଅସୁରକ୍ଷିତ ମଣୁଥିଲେ ନିତିଶ

କାରଣ-୫: ହିନ୍ଦୀ ଭାଷୀ ବିହାରରେ ବିଜେପି କେବେବି ଏକାକି ଶାସନକୁ ଆସି ନାହିଁ । ସେ ଦୃଷ୍ଟିରୁ ୨୦୨୪ରେ ଦଳ ଶାସନ ଗାଦି ହାତେଇବା ଚକ୍କରରେ ରହିଥିବାରୁ ନୀତିଶ ବହୁ ଆଗରୁ ଏ ଗନ୍ଧ ବାରି ପଦକ୍ଷେପ ନେଇଥାଇପାରନ୍ତି

କାରଣ-୬: ମହାରାଷ୍ଟ୍ର ଭଳି ବିହାରରେ ବି ଦଳୀୟ ବିଦ୍ରୋହ ଆଶଙ୍କା କରୁଥିଲେ ନୀତିଶ । ବିହାରର ଏକନାଥ ସିନ୍ଧେ କୁହାଯାଉଥିବା ଆରସିପି ସିଂହଙ୍କ ଉପରେ ସନ୍ଦେହ ବଢ଼ିବାରୁ ଜେଡିୟୁ ଭାଙ୍ଗିବା ଆଗରୁ ଚତୁର ନିତିଶ ରାସ୍ତା ବଦଳାଇଥିବା କୁହାଯାଉଛି

କାରଣ-୭: ଏଣେ ଦୁର୍ନୀତି ମାମଲାରେ ଧନ୍ଦି ହେଉଥିବା ମମତା ବାନାର୍ଜୀ ବିରୋଧୀଙ୍କ ମଶାଲ ବାହାକ ଦୌଡ଼ରୁ ବାଦ୍ ପଡ଼ିବା ପରେ ଏବେ ଜାତୀୟ ସ୍ତରରେ ନୀତିଶ ହିଁ ଶ୍ରେଷ୍ଠ ବିକଳ୍ପ । ତେଣୁ ସେ କାରଣ ପାଇଁ ବି ନୀତିଶି ବିଜେପି ହାତ ଛାଡ଼ିଥିବା ଚର୍ଚ୍ଚା ହେଉଛି ।

ବିଜେପି ହେଉ କି ଅନ୍ୟ ସହଯୋଗୀ ଦଳ । ମଉକା ଉଣ୍ଡି ମେଣ୍ଟ ଦଳର ହାତ ଛାଡ଼ିବା ଆଉ ବିରୋଧୀଙ୍କ ହାତ ଧରିବାରେ ନିତିଶ ବହୁ ଆଗରୁ ମାହିର । ୨୦୦୫ରେ ବିଜେପି ସହ ହାତ ମିଳାଇ ବିହାରରେ ଲାଲୁଙ୍କ ଯୁଗ ଶେଷ କରିଥିଲେ ନିତିଶ । ପରେ ୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି କ୍ୟାମ୍ପେନ୍ କମିଟି ମୁଖ୍ୟ କରାଯିବାରୁ ବିଜେପି ସହ ୧୭ ବର୍ଷର ସମ୍ପର୍କ ଛିନ୍ନ କରିଥିଲେ । ୨୦୧୫ରେ ଆରଜେଡି ଓ କଂଗ୍ରେସ ସହ ମହାଗଠବନ୍ଧନ କରି ପୁଣି କ୍ଷମତାକୁ ଆସିଥିଲେ ନୀତିଶ । କିନ୍ତୁ ମାତ୍ର ୨ ବର୍ଷ ପରେ ୨୦୧୭ରେ ଉପମୁଖ୍ୟମନ୍ତ୍ରୀ ଥିବା ଆରଜେଡିର ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ ସରକାରରୁ ଓହରି ଯାଇଥିଲା ଜେଡିୟୁ ।

ପରେ ପୁଣି ବିଜେପି ସମର୍ଥନରେ ରାଜ୍ୟରେ ମେଣ୍ଟ ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୦ରେ ବିଜେପି ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ବୈତରଣୀ ପାର ହେବା ସହ ପୁଣି ମୁଖ୍ୟମନ୍ତ୍ରୀ ପଦ ହୋଇଥିଲେ ନୀତୀଶ । ଆଉ ଏଥର ବିଜେପି ସହ ମେଣ୍ଟ ଭାଙ୍ଗି ଆର୍‌ଜେଡି ମହାମେଣ୍ଟ ସହ ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି ନୀତୀଶ । ଯାହା ଭାରତୀୟ ରାଜନୀତିରେ ଏକନୂଆ ରେକର୍ଡ ।

ନିଜ ଲମ୍ବା ରାଜନୈତିକ କ୍ୟାରିୟର ଭିତରେ ଏଭଳି ଅନେକ ବାର୍ ଚକମା ଦେଇ ପଲ୍‌ଟି ମାରି ଚର୍ଚ୍ଚାକୁ ଆସିଛନ୍ତି ନୀତିଶ । ତେବେ ଏଥର ତାଙ୍କ ପଲ୍‌ଟିମାର୍ ଷ୍ଟ୍ରାଟେଜୀ କେତେ ସଫଳ ହେଉଛି, ତାକୁ ଅପେକ୍ଷା ।