• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବମ୍ବେ ହାଇକୋର୍ଟରେ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

  • ଆର୍ୟନଙ୍କ ପାଇଁ ମାମଲା ଲଢୁଛନ୍ତି ପୂର୍ବତନ ଏଜି ମୁକୁଲ ରୋହତଗୀ

  • ପାଖରେ ଡ୍ରଗ୍ସ ନଥିବାରୁ ଆର୍ୟନଙ୍କୁ ବେଲ୍ ପାଇଁ ପକ୍ଷ ରଖିଛନ୍ତି ରୋହତଗୀ

  • ୩ ସପ୍ତାହ ହେଲା ଜେଲରେ ଅଛନ୍ତି ଆର୍ୟନ ଖାନ୍

ମୁମ୍ବାଇ : ଆର୍ୟନଙ୍କୁ ମିଳିବ କି ବେଲ୍ ? ନା ପୁଣି ଜେଲରେ ରହିବେ ବାଦଶାହଙ୍କ ପୁଅ ? ମୁମ୍ବାଇ କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଅପରାହ୍ଣ ସାଢେ ୨ଟାରେ ପୁଣିଥରେ ବଲିଉଡ ଅଭିନେତା ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଗତକାଲି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଥିଲା । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆର୍ୟନଙ୍କ ପାଇଁ ବମ୍ବେ ହାଇକୋର୍ଟରେ କେସ୍ ଲଢ଼ୁଛନ୍ତି ।

ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ । ଏଣୁ ତାଙ୍କ ଗିରଫଦାରି ବେଆଇନ । ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ହ୍ୱାଟ୍ସଅପ୍ ଚାଟ ପୁରୁଣା ସେଗୁଡ଼ିକ କ୍ରୁଜ୍ ପାର୍ଟି ସହ ସଂପର୍କିତ ନୁହେଁ ।

ଏହସାହ ମୁକୁଲ ରୋହତଗୀ ଆର୍ୟନ ଖାନ କୌଣସି ଷଡଯନ୍ତ୍ରରେ ସାମିଲ ଥିବା କଥା ଅସ୍ୱୀକାର କରିଛନ୍ତି । ଆର୍ୟନ ମାମଲାରେ କୌଣସି ଆର୍ଥିକ କାରବାର ହୋଇ ନାହିଁ । ଅନ୍ୟପଟେ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ୍ ଚାଟ୍ । ଯେଉଁଥିରେ ଉଠିଛି ଗଞ୍ଜେଇ ଓ କୋକେନ୍ କଥା । ମିଳିଥିବା ସୂଚନା ଅନୁସାରେ ଏନସିବି ହାତରେ ଆର୍ୟନଙ୍କ ମୋବାଇଲ୍ ଲାଗିବା ପରେ, ସେଥିରୁ ଅନନ୍ୟାଙ୍କ ସହ ହ୍ବାଟ୍ସଆପ୍ ଚାଟର ଖୁଲାସା ହୋଇଛି କୁହାଯାଉଛି । ଏହି ଚାଟକୁ ହିଁ ଆୟୁଧ କରି ଆର୍ୟନଙ୍କୁ ବେଲ୍ ନ ଦେବାକୁ ଯୁକ୍ତି ବାଢିଆସୁଛି ଯାଞ୍ଚ ଏଜେନ୍ସି ।

ଏପଟେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଓଡିଶାର ମନୀଷ ରାଜଘରିଆ ଏବଂ ଅଭିନ୍ ସାହୁଙ୍କୁ ଜାମିନ୍ ମିଳିଛି । ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜାମିନ ମିଳିବା ପ୍ରଥମ । ମନୀଷ ରାଜଗାରିଆଙ୍କ ଠାରୁ ୨.୪ ଗ୍ରାମ ଓଜନର ଗଞ୍ଜେଇ ମିଳିବାକୁ ତାଙ୍କୁ ଏନସିବି ଗିରଫ କରିଥିଲା । ଏବେ ହାଇକୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି । ମନୀଷଙ୍କ ଘର ରାଉରକେଲା ଓ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ ।

ସେପଟେ ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ବଢ଼ୁଛି । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ । ସମୀର କିଭଳି ଡ୍ରଗ୍ସ ଜବତ ନାଁରେ ଲୋକଙ୍କ ବିରୋଧରେ ମିଛ ମାମଲା କରି ସେମାନଙ୍କୁ ଜେଲରେ ଭର୍ତ୍ତି କରନ୍ତି, ତାର ପୂରା ବିବରଣୀ ଦେଇଛନ୍ତି ଏହି ବ୍ୟକ୍ତି । ଏଥିରେ ୨୫ରୁ ଅଧିକ ମିଛ ମାମଲା ସଂପର୍କରେ ଉଲ୍ଲେଖ ରହିଛି । 

ଅନ୍ୟପଟେ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ପତ୍ନୀ କ୍ରାନ୍ତି ରେଡକର୍ । ଅନ୍ୟ କୌଣସି ମାମଲାରେ ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ତେବେ ଏହି ମାମଲାରେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ତାଙ୍କର ୧୫ ବର୍ଷର ଚାକିରି କ୍ୟାରିୟରରେ ପ୍ରଥମ ଥର ପାଇଁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି ।