• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ଲଦାଖରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚାଲିଛି । ଯେକୌଣସି ପରିସ୍ଥିତିରେ ମୁକାବିଲା ଲାଗି ଲାଗି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଖାସ୍ କରି ଉଚ୍ଚ ଗିରିଶୃଙ୍ଗ ସାଙ୍ଗକୁ ଅତି ଥଣ୍ଡା ପରିବେଶରେ ଭାରତୀୟ ଯବାନ ଯେଭଳି ଶତ୍ରୁ ମୁକାବିଲା କରିପାରିବେ, ସେଥିଲାଗି ଚାଲିଛି ନାନା ରକମର ସମରକଳା ଅଭ୍ୟାସ ଚାଲିଛି । ଗତକାଲି ସେନା ଓ ବାୟୁସେନା ପକ୍ଷରୁ ମିଳିତ ସମରାଭ୍ୟାସ କରାଯିବା ସହ ଉଭୟ ବାହିନୀ ମଧ୍ୟରେ କିଭଳି ଉପଯୁକ୍ତ ସମନ୍ୱୟ ରହିବ ତାର ଅଭ୍ୟାସ କରାଯାଇଛି ।

ପୂର୍ବ ଲଦାଖର ଉଚ୍ଚ ପର୍ବତ ଶିଖରରେ ଭାରତୀୟ ସେନା ଶତ୍ରୁଜିତ୍ ବ୍ରିଗେଡର ଚିତାକର୍ଷକ ସମରାଭ୍ୟାସ । ଟ୍ୟାଙ୍କ, ଭାରି ମେସିନ୍‌ଗନ୍ ସାଙ୍ଗକୁ ଆକ୍ରମଣକାରୀ ହେଲିକପ୍ଟର ସହ ଅଭ୍ୟାସ ଚାଲିଛି । ସ୍ଥଳସେନା ଓ ବାୟୁସେନା ମଧ୍ୟମରେ ସମନ୍ୱୟ ବୃଦ୍ଧି ଲାଗି ଏହି ସମରାଭ୍ୟାସ କରାଯୁଥିବାର କୁହାଯାଉଛି । ଉଚ୍ଚ ଶିଖରରେ କିଭଳି କମ୍ ସମୟରେ ସୈନ୍ୟ ମୁତୟନ କରିହେବ, ସେଥିଲାଗି ଦୁଃସାହସିକ ଫ୍ରି ଫଲ୍ କୌଶଳ ପ୍ରଦର୍ଶନ କରିଛନ୍ତି ଯବାନ । ସମୁଦ୍ର ପତ୍ତନ ଠାରୁ ୧୪ହଜାର ଫୁଟ୍ ଉଚ୍ଚତାରେ ଥିବା ଡ୍ରପ୍ ଜୋନରେ ଅବତରଣ କରିଥିଲେ ଯବାନ୍ । ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣପ୍ରାପ୍ତ ଯବାନ ଏଥିରେ ଭାଗ ନେଇଥିଲେ ।

ଏହି ସମରାଭ୍ୟାସ ଲାଗି ୫ଟି ପାହାଡି ବେସ୍‌ରୁ C-130 ଓ AN-32 ବିମାନ ଯୋଗେ ସୈନ୍ୟ ଓ ଭାର ଯୁଦ୍ଧାସ୍ତ୍ରକୁ ସମରାଭ୍ୟାସ ସ୍ଥାନକୁ ନିଆଯାଇଥିଲା । ଜରୁରୀସ୍ଥିତିରେ ଅତି କମ୍ ସମୟରେ ସୈନ୍ୟ ଓ ଯୁଦ୍ଧାସ୍ତ୍ରକୁ କିଭଳି ପାହାଡି ଇଲାକାରେ ପହଞ୍ଚାଇ ହେବ, ସେଇ ଲକ୍ଷ୍ୟରେ ଏହି ମିଳିତ ଅଭ୍ୟାସ କରାଯାଇଛି । ଲଦାଖର ନିମ୍ନ ତାପମାତ୍ରାରେ ଏଭଳି ସମରାଭ୍ୟାସ ଅତି ଆହ୍ବାନପୂର୍ଣ୍ଣ ଥିଲେ ମଧ୍ୟ ବିପରିତ ସ୍ଥିତିରେ ଶତ୍ରୁ ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ ରଖିବା ପାଇଁ ଯବାନ ଏହି ଦୁଃସାହସିକ ଅଭ୍ୟାସ କରିଥିଲେ ।

ଲଦାଖରେ ଚୀନ୍ ସହ ମୁହାଁମୁହିଁ ସ୍ଥିତି ଦୃଷ୍ଟିରୁ ସ୍ଥଳ ଓ ବାୟୁସେନାର ଏହି ମିଳିତ ସମରାଭ୍ୟାସର ବେଶ୍ ଗୁରୁତ୍ୱ ରହିଛି । ଉଚ୍ଚ ପର୍ବତାଞ୍ଚଳରେ ଶତ୍ରୁ ମୁକାବିଲାର ପ୍ରତିଟି କୌଶଳକୁ ପରଖି ନେଉଛନ୍ତି ଭାରତୀୟ ଯବାନ । ଲଦାଖରେ ବରଫପାତ ଆରମ୍ଭ ହୋଇଯାଇଥିବା ବେଳେ ଚୀନ୍ ସୈନ୍ୟ ସୀମାରେ ଆଡ୍ଡା ଜମାଇ ରହିଛନ୍ତି । ଦୁଇ ଦେଶ ମଧ୍ୟରେ ସାମରିକସ୍ତରୀୟ କଥାବାର୍ତ୍ତା ଜାରି ରହିଥିଲେ ବି ଚୀନ୍ ନିଜ ଜିଦ୍‌ରୁ ଅଟଳ ରହିବା ସହ ୫୦ ହଜାର ସୈନ୍ୟ ମୁତୟନ କରିଛି । ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି, ତେବେ ସ୍ଥାୟୀ ଶାନ୍ତି ଫେରିବା ଲାଗି ଉଭୟ ଦେଶଙ୍କୁ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପଡିବ ବୋଲି କୁହାଯାଉଛି । ମାତ୍ର ଯେଉଁ ପର୍ଯ୍ୟନ୍ତ ଚୀନ୍ ଏଥିରେ ରାଜି ନହୋଇଛି ସେପର୍ଯ୍ୟନ୍ତ ଭାରତକୁ ସଂପୂର୍ଣ୍ଣ ସଜାଗ ରହିବାକୁ ପଡିବ ବୋଲି ସୂଚନା ମିଳିଛି ।