• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଫୁଟିବନି ଗୁଳି, ଶୁଭିବନି ଶବ୍ଦ, ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଖସାଇ ଦିଆଯାଇ ପାରିବ ଶତ୍ରୁ ସେନାର କ୍ଷତିକାରକ ଡ୍ରୋନ୍ । ଆମ ଦେଶରେ ଏଭଳି ଟେକ୍ନୋଲୋଜି ବିକଶିତ ହେଲାଣି । ଆଜି ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ତିନି ସେନାକୁ ନେଇ ଆୟୋଜିତ ସେମିନାରରେ ଏହି ଜ୍ଞାନକୌଶଳ ପ୍ରଦର୍ଶନ କରାଯାଇଛି ।

ଗୁଳି ଫୁଟିବନି କି ଶବ୍ଦ ହେବନି..ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍ । ବହୁ ଦୂରରୁ ଅକାମୀ କରିଦେବ ଜାମର୍ । ଏବେ ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ହେଉଥିବା ବେଳେ ଏହା ଯେତିକି ସୁବିଧା ଦେଉଛି ସେତିକି ସମସ୍ୟା ମଧ୍ୟ ଛିଡା କରିଛି । ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ବିଗାଡିବା ପାଇଁ ଶତ୍ରୁରାଷ୍ଟ୍ର କେତେବେଳେ ଭାରତ ଆକାଶରେ ଡ୍ରୋନ୍ ଉଡାଉଛି ତ ଆଉ କେତେବେଳେ ଡ୍ରୋନରେ ବିସ୍ଫୋରକ ଥିବା ସନ୍ଦେହ ମଧ୍ୟ କରାଯାଉଛି ।

ଏଭଳି ସ୍ଥଳେ ଡ୍ରୋନ ଡିଟେକ୍ଟର, କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି ତଥା ଡ୍ରୋନ୍ ଗନ୍ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ଗୁରୁତ୍ୱ ବେଶ୍ ବଢ଼ିଯାଇଛି । ଆଉ ଏବେ ସାମ୍ନାକୁ ଆସିଛି ଆଣ୍ଟି ଡ୍ରୋନ ଜାମର୍ ଏବଂ ଡ୍ରୋନ୍ ଗନ୍ । ଯେଉଁଥିରେ ଦୂରରୁ ଡ୍ରୋନକୁ ଡିଟେକ୍ଟ କରିବା ସହିତ ତାକୁ ଅକାମୀ ମଧ୍ୟ କରାଯାଇ ପାରିବ । ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ । ଆଉ ଏହି କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି ଏବେ ଆମ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେବା ପାଇଁ ପ୍ରକ୍ରିୟା ଚାଲିଛି । ଏହା ଦ୍ୱାରା ପ୍ରାୟ ୮ କିଲୋମିଟର ଦୂରରୁ ଜାଣି ହେବ କୌଣସି ଡ୍ରୋନ୍ ଆସୁଛି କି ନାହିଁ ।

ଏହାର ଗୁରୁତ୍ୱକୁ ବିଚାର କରି ବ୍ରହ୍ମପୁର ନିକଟ ଗୋଳାବନ୍ଧ ସ୍ଥିତ ଆର୍ମି ଏୟାରଡିଫେନ୍ସ କଲେଜ୍ ଏବଂ ଆର୍ମି ଟ୍ରେନିଂ କମାଣ୍ଡ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜନା କରାଯାଇଛି । 'ଶତ୍ରୁ ଡ୍ରୋନମ୍ ବିନାସ' ଶୀର୍ଷକ କର୍ମଶାଳାରେ ତିନି ସେନାର ପଦଧିକାରୀ ଯୋଗଦେବା ସହିତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ- CAPF, ଇଣ୍ଡିଆନ୍ କୋଷ୍ଟ ଗାର୍ଡ, ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଯବାନମାନଙ୍କୁ ଏହି ଅନମ୍ୟାନ୍ଡ ଏରିଏଲ୍ ଥ୍ରେଟ୍ ସମ୍ପର୍କରେ ସଚେତନ କରାଯିବ ସହିତ ଆଣ୍ଟି ଡ୍ରୋନ୍ ସିଷ୍ଟମ ଉପରେ ଡେମୋନଷ୍ଟ୍ରେନ ମଧ୍ୟ ଦିଆଯାଇଛି ।