• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ :  ଯୌତୁକ ସଂପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଘର ନିର୍ମାଣ ପାଇଁ ଟଙ୍କା ମାଗିବାକୁ ମଧ୍ୟ ଅପରାଧ କୁହାଯିବ । ବର୍ତ୍ତମାନ ସମୟରେ ଯୌତୁକର ପରିଭାଷା ବ୍ୟାପକ ହେବା ଉଚିତ୍ । ଏଥିପାଇଁ କନ୍ୟାଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷକୁ ଯୌତୁକ ଭାବରେ ପରିଗଣିତ କରାଯିବ । ଜମିବାଡି, ସମ୍ପତ୍ତି, ସୁନାରୁପା, ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁ କିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ଯେ କୌଣସି ମୁଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା 304-B ଓ ଆତ୍ମହତ୍ୟା ପାଇଁ ଉସକାଇବା ଅପରାଧରେ ଅନ୍ତର୍ଭୁକ୍ତ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି ।  

ଜଣେ ମହିଳାଙ୍କଠାରୁ ଘର ନିର୍ମାଣ ପାଇଁ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ । ହେଲେ ମହିଳାଙ୍କ ପରିବାର ଲୋକ ଟଙ୍କା ଦେବା ପାଇଁ ସମର୍ଥ ନଥିଲେ ଓ ଦେଇ ପାରିନଥିଲେ। ଟଙ୍କା ପାଇଁ ମହିଳାଙ୍କୁ ଲଗାତାର ହଇରାଣ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଯେଉଁଥି ପାଇଁ ମହିଳା ଜଣକ ଆତ୍ମହତ୍ୟା କରିଥିଲେ । ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଶୁଣାଣି କରି କହିଥିଲେ ଯେ,  ଗୃହ ନିର୍ମାଣ ପାଇଁ ଟଙ୍କା ଦାବି କରାଯିବାକୁ ଯୌତୁକ ଭାବରେ ଗ୍ରହଣ କରାଯିବ ନାହିଁ। ଆଉ ଏହି ରାୟକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । 

ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରାଯିବା ଉଚିତ୍ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ । ଯୌତୁକ ବିରୋଧୀ ଆଇନ୍ (Anti-Dowry ) ମାମଲାରେ ଏହା ପ୍ରଯୁଜ୍ୟ ଅଟେ । କାରଣ ଆମ ସମାଜରେ ଯୌତୁକ ଜନିତ ଅପରାଧ ଥମୁନି, ଗଭୀର ଭାବରେ ଲୋକଙ୍କୁ ପ୍ରଭାବିତ କରୁଛି  । ଶିକ୍ଷିତ ଲୋକଙ୍କ ଠାରୁ ଆରମ୍ଭ କରି ଅପାଠୁଆ ସମସ୍ତେ ଯୌତୁକକୁ ଉପହାର ବୋଲି କହି ପାର୍ ପାଇବାକୁ ଚେଷ୍ଟା କରୁଛନ୍ତି ।