Advertisment

ମେଗାଷ୍ଚାରଙ୍କ ଗରିମା ବଜାୟ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ

ଅମିତାଭଙ୍କ ନାଁ, ଚେହେରା, କଣ୍ଠସ୍ବର... ସବୁର ରହିଛି ନିଜସ୍ବ ପରିଚୟ, ଅମାପ ଲୋକପ୍ରିୟତା।

author-image
Chandan Shishu
Amitabh Bachchan

Amitabh Bachchan

ସେଲୁନ୍ ସାଇନ୍ବୋର୍ଡରେ ଅମିତାଭ, ଟି-ସାର୍ଟ ଟୋପିରେ ଅମିତାଭ, ପୋଷ୍ଟର୍ ଓ ପାମ୍ଫଲେଟ୍‌ରେ ଅମିତାଭ। ଏଣିକି ଏମିତି ଯେଉଁଠି ଇଚ୍ଛା ସେଇଠି ଅମିତାଭଙ୍କ ନାଁ ଓ ଫଟୋ ଛାପିବା ମନା। ବିନା ଅନୁମତିରେ ବିଗ୍ ବିଙ୍କ ଛବି ଛାପିବା ବେଆଇନ। ଅମିତାଭ ବଚ୍ଚନଙ୍କ ନାଁ ବ୍ୟବହାର କଲେ ବି ବଢ଼ିବ ଅଡ଼ୁଆ। କଣ୍ଠସ୍ବର ବ୍ୟବହାର କଲେ ବି ଯିବେ କୋର୍ଟର କାଠଗଡ଼ାକୁ। ବଲିଉଡ୍‌ର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ପର୍ସନାଲିଟି ଓ ପବ୍ଲିସିଟି ରାଇଟ୍ ଯାଚିକାର ଶୁଣାଣି କରି ଅନ୍ତରୀଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ  କହିଛନ୍ତି- ଅମିତାଭ ବଚ୍ଚନଙ୍କ ନାଁ, ଛବି, କଣ୍ଠସ୍ୱର ଓ ବ୍ୟକ୍ତିତ୍ୱ ଆଦିକୁ ତାଙ୍କ ବିନା ଅନୁମତିରେ ବ୍ୟବହାର କରାଯାଇପାରିବ ନାହିଁ। 

Advertisment

କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନିଜ ଉତ୍ପାଦ ବିକ୍ରି ବା ବ୍ୟବସାୟ ବଢ଼ାଇବାକୁ ଅମିତାଭଙ୍କ ଅନୁମତି ନନେଇ ତାଙ୍କ ସେଲିବ୍ରିଟି ମାନ୍ୟତାର ଉପଯୋଗ କରିପାରିବେ ନାହିଁ । ଏହାଦ୍ୱାରା ତାଙ୍କୁ ଅପୂରଣୀୟ କ୍ଷତି ହେବାର କିମ୍ବା ବଦନାମ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏଭଳି କାର୍ଯ୍ୟକୁ ବେଆଇନ ବୋଲି ଗ୍ରହଣ କରାଯିବ। ଚର୍ଚ୍ଚିତ ଆଇନଜୀବୀ ହରିଶ ସାଲଭେ ଦିଲ୍ଲୀ ହାଇକୋର୍ଟରେ ଅମିତାଭଙ୍କ ପକ୍ଷ ରଖିଥିବା ବେଳେ, ତାଙ୍କ ସପକ୍ଷରେ ଅନ୍ତରୀଣ ରାୟ ଦେଇଛନ୍ତି ଜଷ୍ଟିସ୍ ନବୀନ ଚାଓ୍ୱଲା।  ଏଥିସହ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଏବଂ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ସେଭଳି ବିଷୟବସ୍ତୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅମିତାଭଙ୍କ ନାଁ, ଚେହେରା, କଣ୍ଠସ୍ବର... ସବୁର ରହିଛି ନିଜସ୍ବ ପରିଚୟ, ଅମାପ ଲୋକପ୍ରିୟତା। ବିଶ୍ୱବ୍ୟାପୀ ତାଙ୍କର ଅସଂଖ୍ୟ ଫ୍ୟାନ୍। କିଏ ତାଙ୍କ ଚେହେରା ଓ ଠାଣିକୁ ନକଲ କରେ, ତ ଆଉ କିଏ ତାଙ୍କ ଭଏସ୍ ଓ ଡାଏଲଗକୁ। ତେବେ ହଠାତ୍ କାହିଁକି ଏସବୁକୁ ନେଇ ଚିନ୍ତିତ ହୋଇପଡ଼ିଲେ ଅମିତାଭ? କାହିଁକି ବିଗ୍ ବିଙ୍କୁ ନେବାକୁ ପଡ଼ିଲା ଆଇନର ଆଶ୍ରୟ? ସୂଚନା ଅନୁସାରେ, ହ୍ବାଟ୍ସଆପ୍ ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍ ଜରିଆରେ କୌନ୍ ବନେଗା କରୋଡ଼ପତି ଲକି ଡ୍ର, କେବିସି ଲଟେରୀ, ଅମିତାଭ ବଚ୍ଚନ ଭିଡିଓ କଲ୍ ଆଦି ନାଁରେ ସ୍କାମ୍ ଚାଲିଥିଲା। ୨୫ ଲକ୍ଷ ପ୍ରାଇଜ୍ ଜିତିବା କିମ୍ବା ଅମିତାଭଙ୍କ ସହ ଫୋନ୍‌ରେ କଥା ହେବା ଆଶାରେ ବହୁ ଲୋକ ଠକେଇର ଶିକାର ହୋଇଥିଲେ।

Advertisment

ଏସବୁରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ଅମିତାଭଙ୍କ ଫଟୋ ଓ ତାଙ୍କ କଣ୍ଠସ୍ବରକୁ ବ୍ୟବହାର କରୁଥିଲେ ସାଇବର୍ ଲୁଟେରା। କିଛି ଲୋକ ଅମିତାଭଙ୍କ ଅଜାଣତରେ ତାଙ୍କ ନାଁରେ ୱେବସାଇଟ୍ ଖୋଲିଥିବା ଓ ବହିରେ ତାଙ୍କ ଫଟୋ ଛାପିଥିବା ମଧ୍ୟ କୋର୍ଟରେ କହିଛନ୍ତି ଓକିଲ ସାଲଭେ। ତେଣୁ ନିଜ ପରିଚୟର ଦୁରୁପଯୋଗକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ବିଗ୍ ବି। ତେବେ ଦିଲ୍ଲୀ ହାଇକୋର୍ଟଙ୍କ ଅନ୍ତରୀଣ ରାୟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛି।  ଆସନ୍ତାବର୍ଷ ମାର୍ଚ୍ଚରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

(କଟକରୁ ବିଶ୍ୱଜିତ ଆଚାର୍ଯ୍ୟ ଓ ଭୁବନେଶ୍ୱରରୁ ଅତୁଲ୍ୟ ବାଉତଙ୍କ ରିପୋର୍ଟ)

Amitabh Bachchan Bollywood
Advertisment
Advertisment