• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣିପୁରରେ ଦଙ୍ଗାକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କଡ଼ା ଚେତାବନୀ । ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ଦଙ୍ଗାକାରୀଙ୍କୁ ଚେତାବନୀ ଦେଇଛନ୍ତି ଶାହା । ଏହା ସହ ହିଂସାପ୍ରବଣ ଅଞ୍ଚଳରେ କାଲିଠୁ କମ୍ବିଂ ଅପରେସନ ଜୋରଦାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କରିଛନ୍ତି ଶାହା । ଆଲୋଚନା ମାଧ୍ୟମରେ ଶାନ୍ତି ସମ୍ଭବ । ଗୁଜବ ଠାରୁ ଦୂରରେ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ହିଂସା ସମ୍ପର୍କିତ ୬ଟି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବ CBI ।

ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ଦ୍ୱାରା ନ୍ୟାୟିକ କମିଟି ତଦନ୍ତ କରିବ ବୋଲି ଶାହା ସୂଚନା ଦେଇଛନ୍ତି । ହିଂସା ତ୍ରସ୍ତ ମଣିପୁରରେ ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦଙ୍ଗାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷର ଅନୁକମ୍ପା ରାଶି ମିଳିବ ବୋଲି ସେ ଘୋଷଣା କରିଛନ୍ତି ।

ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯିବ ବୋଲି ଶାହା ଘୋଷଣା କରିଛନ୍ତି । ତିନି ଦିନିଆ ମଣିପୁର ଗସ୍ତରେ ଯାଇ ହିଂସା ଘଟଣାର ସମୀକ୍ଷା କରିଥିଲେ ଶାହା । ଏହି ସମୟରେ ସେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ୯ଟି ସ୍ଥାନରେ ଆୟୋଜିତ ବୈଠକରେ ବିଭିନ୍ନ ସଂପ୍ରଦାୟଙ୍କ ସହ ଆଲୋଚନା କରିଥିଲେ ।

ସେପଟେ ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସ୍ଥିତିକୁ ଦେଖି ଇମ୍ଫାଲ ଇଷ୍ଟ, ୱେଷ୍ଟ ସମେତ ଅନ୍ୟ କିଛି ଅଂଚଳରେ କର୍ଫ୍ୟୁ କୋହଳ କରାଯାଇଛି। ୬ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିବାରୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଦୋକାନ ବଜାରକୁ ବାହାରିଥିବା ଦେଖାଦେଇଥିଲା ।