Advertisment

ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କି ଓଡ଼ିଆ ଝିଅ ?

ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି।

author-image
Chandan Shishu
jharkhand cm hemant soren wife Kalpana Soren

jharkhand cm hemant soren wife Kalpana Soren

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅପରେସନ୍ ଲୋଟସ୍ ଡର। ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ଛନ୍ଦି ହୋଇ ବିଧାୟକ ପଦ ହରାଇବାର ଆଶଙ୍କା ଭିତରେ, ସରକାର ବଞ୍ଚାଇବାକୁ ଭରପୂର କସରତ ଚଳାଇଛନ୍ତି ହେମନ୍ତ। ନିର୍ବାଚନ କମିଶନଙ୍କ ସୁପାରିସ ଅନୁସାରେ ଯଦି ରାଜ୍ୟପାଳ ରମେଶ ବୈଶ ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ କଣ ହେବ, ସେନେଇ ଆଜି ରାଞ୍ଚିସ୍ଥିତ ନିଜ ସରକାରୀ ବାସଭବନରେ ୟୁପିଏର ବିଧାୟକମାନଙ୍କ ସହ ବୈଠକ କରିଛନ୍ତି ହେମନ୍ତ।

Advertisment

ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି। ସେଇ ଆଶଙ୍କାରେ ବୈଠକ ପରେ ଶାସକ ମେଣ୍ଟର ସମସ୍ତ ବିଧାୟକଙ୍କୁ ୨ଟି ବସ୍‌ରେ ରାଜଧାନୀ ଠାରୁ ୩୦ କିଲୋମିଟର ଦୂରରେ ଥିବା ଖୁଣ୍ଟିକୁ ନିଆଯାଇଛି। ଶାସକ ମେଣ୍ଟର ପ୍ରାୟ ୪୩ ବିଧାୟକଙ୍କୁ ଲତ୍ରାତୁ ଡ୍ୟାମ୍ ରିସୋର୍ଟରେ ରଖାଯାଇଛି। ଡ୍ୟାମ୍‌ରେ ସେମାନେ ବୋଟିଂର ମଜା ନେଉଥିବା ଦେଖିବାକୁ ମିଳିଛି। ତେବେ ଆଗକୁ ସେମାନଙ୍କୁ ଅଣ-ବିଜେପି ଶାସିତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ କିମ୍ବା ପଶ୍ଚିମବଙ୍ଗକୁ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ୨୦୨୧ରେ ରାଞ୍ଚି ଅନଗଡ଼ାରେ ୦.୮୮ ଏକରର ଖନନ ପଟ୍ଟା ମିଳିଥିଲା। ତେବେ ଏହା ଏକ ଲାଭଜନକ ପଦ ଏବଂ ମୁଖ୍ୟମନ୍ତ୍ରୀ ନିଜ ନାଁରେ ଖନନ ପଟ୍ଟା ନେବା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୯-ଏ ଉଲ୍ଲଂଘନ ବୋଲି ରାଜ୍ୟପାଳ ଓ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଥିଲା ବିଜେପି। 

Advertisment

ଏହାପରେ ନିର୍ବାଚନ କମିଶନ ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି। ତେବେ ରାଜ୍ୟପାଳ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହି ମାମଲାରେ ହେମନ୍ତଙ୍କର କେବଳ ବିଧାୟକ ପଦ ରଦ୍ଦ ହେଲେ, ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଦାବି କରି ଜେଏମ୍ଏମ୍ ପ୍ରଥମେ ଅଦାଲତକୁ ଯିବ। ଏଥିସହ ହେମନ୍ତ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ। ହେଲେ ତାଙ୍କୁ ୬ ମାସ ମଧ୍ୟରେ ନିର୍ବାଚନ ଲଢ଼ି ଜିତିବାକୁ ପଡ଼ିବ। ତେବେ ବିଧାୟକ ପଦ ରଦ୍ଦ ସହ ଯଦି ତାଙ୍କର ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲାଗେ, ତେବେ ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ।

ଏଭଳି ସ୍ଥିତିରେ ନୂଆ ମୁଖ୍ୟମନ୍ତ୍ରୀ ରେସ୍‌ରେ ଜେଏମ୍ଏମ୍ ରାଷ୍ଟ୍ରୀୟ ସଭାପତି ଶିବୁ ସୋରେନ୍ ଏବଂ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ୍ ଥିବା ଚର୍ଚ୍ଚା ହେଉଛି।  ଲାଲୁ-ରାବଡ଼ି ଫର୍ମୁଲାରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଓଡ଼ିଆ ଝିଅ କଳ୍ପନା। ମୟୂରଭଞ୍ଜ ବହଳଦାର ତେନ୍ତଳା ଗାଁରେ ଜନ୍ମିତ କଳ୍ପନା ବାରିପଦାରେ ଦଶମ ଓ ଯୁକ୍ତ ୨ କରିବା ପରେ ଭୁବନେଶ୍ୱରରେ ବିଟେକ୍ କରିଛନ୍ତି। ୨୦୦୬ ଫେବୃଆରୀ ୭ରେ ତାଙ୍କର ବିବାହ ହେମନ୍ତ ସୋରେନ୍‌ଙ୍କ ସହ ହୋଇଥିଲା।

ନଜର ପକାନ୍ତୁ ସଂଖ୍ୟା ଗଣିତ ଉପରେ  ଝାଡ଼ଖଣ୍ଡ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୮୧ ହୋଇଥିବା ବେଳେ, ସଂଖ୍ୟା ଗରିଷ୍ଠତା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୪୨।  ଏବେ ଜେଏମ୍ଏମ୍‌ର ୩୦, କଂଗ୍ରେସର ୧୮ ଏବଂ ଆରଜେଡି, ଏନସିପି ଓ ବାମଦଳର ଜଣେ ଲେଖାଏଁ ବିଧାୟକଙ୍କୁ ମିଶାଇ କ୍ଷମତାସୀନ ୟୁପିଏ ପାଖରେ ମୋଟ୍ ୫୧ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ବିଜେପି ବିଧାୟକଙ୍କ ସଂଖ୍ୟା ରହିଛି ୨୬ ଏବଂ ୨ ଜଣ ଲେଖାଏଁ ଅଛନ୍ତି ଏଜେଏସ୍ୟୁ ଓ ସ୍ବାଧୀନ ବିଧାୟକ  ତେଣୁ ଯଦି ହେମନ୍ତ ଝଡ଼ର ସୁଯୋଗ ନେଇ ବିଜେପି ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ବି ଚାହେଁ, ତେବେ ଦଳକୁ ବହୁତ କସରତ କରିବାକୁ ପଡ଼ିବ।

ରିପୋର୍ଟ: ରାଜେଶ ଶର୍ମା ଓ ମାଣିକଲାଲ ପାଣି

Jharkhand Political Crisis
Advertisment
Advertisment