• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜମି ବିବାଦରୁ ହତ୍ୟାକାଣ୍ଡ । ୪ ଜଣଙ୍କୁ ନିର୍ମମ ହତ୍ୟା । ଉତ୍ତରପ୍ରଦେଶର ଆମେଠିରେ ଗାଁ ସମାଜର ଜମିକୁ ନେଇ ବିବାଦ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜମି ପାଇଁ ଗୋଟିଏ ପରିବାର ଅନ୍ୟ ପରିବାରକୁ ବାଡ଼ି ଓ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଛନ୍ତି । ଏହି ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଆମେଠିର ଗୁଙ୍ଗୱାଛର କୋହାର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । କୋହାର ଗାଁ ନିବାସୀ ସଙ୍କଟା ପ୍ରସାଦଙ୍କ ଘର ନିକଟରେ ରହିଛି ଗାଁ ସମାଜର ଜମି । ତେବେ ଏହି ଜମିକୁ ଗାଁର ରାମଦୁଲେ, ବ୍ରିଜେଶ ଏବଂ ଅଖିଳେଶ ଏହାକୁ ଜବରଦଖଲ କରିବାକୁ ଚେଷ୍ଟା କରିଥିଲେ । ତେବେ ସଙ୍କଟା ପ୍ରସାଦ ଏନେଇ ବିରୋଧ କରିବାକୁ ଜବରଦଖଲକାରୀମାନେ ସଙ୍କଟା ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଆକ୍ରମଣକାରୀମାନେ ସଙ୍କଟା ପ୍ରସାଦ, ହନୁମାନ ଯାଦବ, ଧନୋ ଦେବୀ, ନୟାକା ଦେବୀ, ରାଜକୁମାର ଯାଦବ, ଅଶୋକ କୁମାରଙ୍କୁ ବାଡ଼ିରେ ପଟିବା ସହ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ । ଏହି ଆକ୍ରମଣ ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ସଙ୍କଟା ଯାଦବ, ହନୁମାନ ଯାଦବ, ଅମରଶ ଯାଦବ ଏବଂ ପାର୍ବତୀ ଯାଦବଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏସମ୍ପର୍କରେ ଖବର ପାଇବା ପରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ପୋଲିସ୍‌ ଛାଉଣୀ କରାଯାଇଛି । ସେପଟେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଯାଇଛି । ଡାକ୍ତରଖାନାରେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଛି ।