• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାରାଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ଜ୍ଞାନବାପୀ ମସଜିଦର ASI ସର୍ଭେ ଜାରି ରଖିବା ପାଇଁ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବର୍ତ୍ତମାନ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ନ୍ୟାୟ ହିତରେ ଏଏସଆଇ ସର୍ଭେର ଆବଶ୍ୟକତା ରହିଥିବା ଆହ୍ଲାବାଦ ହାଇକୋର୍ଟ କହିଛନ୍ତି । ଅନ୍ୟପଟେ ଏହାକୁ କେତେକ ସର୍ତ୍ତରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

ଜିଲ୍ଲା ଜଜ୍ ଏ.କେ ବିଶ୍ୱଶ ଶୁକ୍ରବାର ଦିନ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଏସଆଇକୁ ୪ ଅଗଷ୍ଟ ପର୍ଯ୍ୟନ୍ତ ସର୍ଭେ ରିପୋର୍ଟ ବାରାଣାସୀ ଜିଲ୍ଲା କୋର୍ଟରେ ଦାଖଲ କରିବାକୁ ପଡିବ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଟିମ୍‌ ସୋମବାର ଦିନ ସର୍ଭେ କରିବା ପାଇଁ ଜ୍ଞାନବାପୀ ମସଜିଦ୍‌ରେ ପହଞ୍ଚିଥିଲା । କିନ୍ତୁ ମୁସଲିମ ପକ୍ଷ ଏହି ସର୍ଭେ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଦୁଇ ଦିନ ପାଇଁ ସର୍ଭେ ଉପରେ ରୋକ ଲଗାଇଥିବା ବେଳେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଏହା ପରେ ମୁସଲିମ ପକ୍ଷ ହାଇକୋର୍ଟରେ ମାମଲା ନେଇ ଆବେଦନ କରିଥିଲେ । ଶୁଣାଣି ପରେ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ହାଇକୋର୍ଟ ରାୟରେ କିଏ କ’ଣ କହିଲେ ?

ୟୁପିର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ମୁଁ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଛି । ଏଏସଆଇ ସର୍ବେକ୍ଷଣରେ ସତ ସାମ୍ନାକୁ ଆସିବା ସହ ବିବାଦର ଅବସାନ ଘଟିବ ବୋଲି ମୋର ବିଶ୍ୱାସ ।’

ସେହିପରି ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ମୁସଲିମ ପକ୍ଷର ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଏସଆଇ ସର୍ଭେ ଆରମ୍ଭ ହେବା ଉଚିତ ଏବଂ ତୁରନ୍ତ ପ୍ରଭାବ ସହିତ ଜିଲ୍ଲା କୋର୍ଟର ନିଷ୍ପତ୍ତି ପ୍ରଯୁଜ୍ୟ । କୋର୍ଟ ଆମର ଦାବିକୁ ଗ୍ରହଣ କରିଛନ୍ତି । କୌଣସି କ୍ଷତି ନକରି ଏହି ସର୍ଭେ କରାଯିବ । ଏଏସଆଇ କୋର୍ଟରେ ଏକ ଆଫିଡେଭିଟ୍ ମଧ୍ୟ ଉପସ୍ଥାପନ କରିଛି । କୋର୍ଟ କହିଛନ୍ତି, ଏଏସଆଇର ଆଫିଡେଭିଟ୍ ଗ୍ରହଣ ନକରିବାର କୌଣସି କାରଣ ନାହିଁ । ଏଥିରେ ଉଲ୍ଲେଖ କରାଯାଇଥିବା ସର୍ତ୍ତ ଅନୁଯାୟୀ ସର୍ଭେ କରାଯିବା ଉଚିତ୍ । ମୋ ମତରେ ଏହି ସର୍ଭେ ହେବା ଉଚିତ । ’