• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୧୩ ବର୍ଷ ତଳ ମାମଲାରେ ଐତିହାସିକ ରାୟ । ୫୬ ଜଣଙ୍କ ଜୀବନ ଯାଇଥିବା ୨୦୦୮ ଅହମ୍ମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶି ଏବଂ ୧୧ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ସ୍ପେଶାଲ୍ କୋର୍ଟ । ଯଦିଓ ହାଇକୋର୍ଟ ଏହି ଦଣ୍ଡାଦେଶକୁ ତର୍ଜମା କରି ଚୂଡ଼ାନ୍ତ ରାୟ ଶୁଣାଇବେ, ତଥାପି ସ୍ପେଶାଲ୍ କୋର୍ଟଙ୍କ ଏହି ଦଣ୍ଡାଦେଶକୁ ଇତିହାସରେ ବିରଳ ବୋଲି କୁହାଯାଉଛି ।

ଭାରତୀୟ ଦଣ୍ଡବିଧାନ ଇତିହାସରେ ବିରଳ ଘଟଣା । ଗୋଟିଏ ମାମଲାରେ ସର୍ବାଧିକ ୩୮ ଜଣଙ୍କୁ ସଜା-ଏ-ମୌତ୍ । ଏମାନଙ୍କ ଅପରାଧ ବି କିଛି କମ୍ ଜଘନ୍ୟ ନଥିଲା । ୫୬ ନିରୀହଙ୍କ ଜୀବନ ନେଇଥିବା ୨୦୦୮ ଅହମ୍ମଦାବାଦ ସିରିଜ୍ ବିସ୍ଫୋରଣର, ୧୩ ବର୍ଷ ପରେ ଐତିହାସିକ ରାୟ ଶୁଣାଇଛନ୍ତି ସ୍ପେଶାଲ୍ କୋର୍ଟ । ୪୯ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶି ଓ ବାକି ୧୧ ଜଣଙ୍କୁ ହୋଇଛି ଆଜୀବନ ଜେଲ୍ ଦଣ୍ଡାଦେଶ । ଏଥିସହ ଜଣେ ଦୋଷୀ ଉସ୍ମାନ ଅଗର୍ବତିଓ୍ୱାଲାକୁ ୨ ଲକ୍ଷ ୮୮ ହଜାର ଟଙ୍କା ଓ ବାକି ସମସ୍ତ ଦୋଷୀଙ୍କୁ ୨ଲକ୍ଷ ୮୫ ହଜାର ଟଙ୍କା ଜରିମାନା ହୋଇଛି ।

ଆଇପିସି ଧାରା ୩୦୨ (ହତ୍ୟା) ଏବଂ ୟୁଏପିଏ ଆକ୍ଟ ସମେତ ବିଭିନ୍ନ ଦଫା ଆଧାରରେ ଏହି ରାୟ ଶୁଣାଇଛନ୍ତି ସ୍ପେଶାଲ୍ କୋର୍ଟ ଜଜ୍ ଏ.ଆର୍. ପଟେଲ୍ । ମାମଲାରେ ୨୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ଏବଂ ମୃତକଙ୍କ ପରିବାରକୁ ୧ ଲକ୍ଷ, ଗୁରୁତର ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଅନୁକଂପା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର । ସଂଧ୍ୟା ୬ଟା ୪୫ରେ ପ୍ରଥମେ ମଣିନଗରରେ ବିସ୍ଫୋରଣ ହେଲା, ଏବଂ ପରେ ପରେ ୨ଟି ହସ୍ପିଟାଲ, ଗୋଟିଏ ବସ୍, ପାର୍କିଂରେ ଥିବା ସାଇକେଲ୍, କାର୍ ଓ ଅନ୍ୟ ସ୍ଥାନରେ ବିସ୍ଫୋରଣ ଘଟିଥିଲା ।

ଘଟଣାରେ ୫୬ ଜଣଙ୍କ ଜୀବନ ଗଲା, ୨୦୦ରୁ ଅଧିକ ଆହତ ହେଲେ । ୨୦୦୨ ଗୁଜରାଟ ଦଙ୍ଗାର ବଦ୍ଲା ନେବାକୁ ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ସିମିର ଆତଙ୍କୀ ଏହି ବିସ୍ଫୋରଣ ଘଟାଇଥିବା ଚାର୍ଜସିଟ୍ ରେ ଦର୍ଶାଇଥିଲା ପୋଲିସ । ୨୦୦୯ ଡିସେମ୍ବରରେ ୭୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଆରମ୍ଭ ହୋଇଥିଲା । ମାମଲାରେ ୧୧ଶହ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ଗତ ଫେବୃଆରୀ ୮ରେ କୋର୍ଟ ୪୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ବି ଏହି ଷଡ଼ଯନ୍ତ୍ର କରାଯାଇଥାଇପାରେ ବୋଲି ଶୁଣାଣି ବେଳେ ଆଶଙ୍କା କରିଛନ୍ତି କୋର୍ଟ । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ମଧ୍ୟ ପାଇଛି । ତେବେ ବିସ୍ଫୋରଣ ପରେ ପୋଲିସର ବାରଣ ସତ୍ତ୍ୱେ, ମୋଦି ଘଟଣାସ୍ଥଳକୁ ଗସ୍ତ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ ।