• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶୀତ ଅଧିବେଶନର ପ୍ରଥମ ଦିନରେ ଆସିବ କୃଷି ଆଇନ ଉଚ୍ଛେଦ ବିଲ୍

  • ବିଧେୟକ ଆସିବା ନେଇ ସୂଚନା ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଲାଗି ବିଧେୟକ ସୋମବାର ଦିନ ସଂସଦରେ ଉପସ୍ଥାପନ କରାଯିବ । ନଭେମ୍ବର ୨୯ ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ହିଁ ବିଧେୟକ ଆଗତ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ଏହାସହ ସଂସଦୀୟ ପ୍ରକ୍ରିୟାରେ ଆଇନ ଉଚ୍ଛେଦ କରାଯିବ । ତେବେ ଏମଏସପି ପ୍ରସଙ୍ଗରେ କୃଷକମାନେ ଅଡ଼ି ବସିଥିବା ନେଇ ସେ କହିଛନ୍ତି ଯେ, ଏମଏସପି ସଂପର୍କରେ ନିଷ୍ପତ୍ତି ଲାଗି କମିଟି ଗଠନ ହୋଇଛି । ଏହି କମିଟିରେ କୃଷକ ସଂଗଠନରୁ ହିଁ ପ୍ରତିନିଧି ରହିବେ ।

କ୍ରପ୍ ଡାଇଭର୍ସିଫିକେସନ, ଜିରୋ ବଜେଟ୍ ଫାର୍ମିଂ ଓ ଏମଏସପି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ କମିଟି ବିଚାର ବିମର୍ଷ କରିବ । ସେ ଆହୁରି କହିଛନ୍ତି ଅନଡ଼ା ଜାଳିବା ଘଟଣାକୁ ଅପରାଧ ବୋଲି ବିବେଚନା ନ କରିବା ନେଇ ହୋଇଥିବା ଦାବିକୁ ବିଚାର ପାଇଁ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ମଧ୍ୟ କୃଷକ ସଂଗଠନ ବିକ୍ଷୋଭ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସରକାର ଘୋଷଣା କରିବା ପରେ ଆଉ ଆନ୍ଦୋଳନ କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି ।

ଏଣୁ ଚାଷୀମାନେ ନିଜ ନିଜ ଘରକୁ ଫେରିଯିବାକୁ ସେ ନିବେଦନ କରିଛନ୍ତି । ଏହାଛଡ଼ା ଆନ୍ଦୋଳନକୁ ନେଇ ଚାଷୀଙ୍କ ବିରୋଧରେ ହୋଇଥିବା ମୋକଦ୍ଦମା ସଂପର୍କରେ ସେ କହିଛନ୍ତି ଯେ, ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରର କଥା ଏଣୁ ସେମାନେ ଏହା ଉପରେ ପଦକ୍ଷେପ ନେବେ ବୋଲି ତୋମାର କହିଛନ୍ତି ।