Advertisment

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ୧୦% ମିଳିବ ସଂରକ୍ଷଣ

କେନ୍ଦ୍ର ସରକାରଙ୍କ ଏ ଘୋଷଣା ପରେ ବିଏସଏଫ, ସିଆଇଏସଏଫ୍ ଏବଂ ଆରପିଏଫ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

author-image
Satyendu Shekher Mishra
Agniveer

Agniveer

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ବିଏସ୍ଏଫ୍, ସିଆଇଏସ୍ଏଫ ଓ ଆରପିଏଫରେ କନେଷ୍ଟବଳ ପୋଷ୍ଟ ଲାଗି ପୂର୍ବତନ ଅଗ୍ନିବୀରଙ୍କ ପାଇଁ ରହିବ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ। ବୟସସୀମା ଓ ଶାରୀରିକ ପରୀକ୍ଷା କ୍ଷେତ୍ରରେ ପୂର୍ବତନ ଅଗ୍ନବୀର ଯବାନଙ୍କ ପାଇଁ କୋହଳ ବ୍ୟବସ୍ଥା ରହିବ। କେନ୍ଦ୍ର ସରକାରଙ୍କ ଏ ଘୋଷଣା ପରେ ବିଏସଏଫ, ସିଆଇଏସଏଫ୍ ଏବଂ ଆରପିଏଫ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Advertisment

୨୦୨୨ରେ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। ସାଢେ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ଯୁବକଙ୍କୁ ସେନାରେ ୪ ବର୍ଷ ଲାଗି ଏହି ନିଯୁକ୍ତି ମିଳିବ। ନିଯୁକ୍ତ ଅଗ୍ନବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଯବାନଙ୍କ ଚାକିରି କାଳ ଆଉ ୧୫ ବର୍ଷ ପାଇଁ ବଢ଼ାଯିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୫ ପ୍ରତିଶତ ଯବାନଙ୍କୁ କ୍ଷତିପୂରଣ ସହ ଅବସର ଦିଆଯିବ। ତେବେ ସେନାବାହିନୀରେ ଏ ସାମୟିକ ନିଯୁକ୍ତି ବ୍ୟବସ୍ଥାକୁ ବିରୋଧୀ ଘୋର ବିରୋଧ କରି ଆସୁଛନ୍ତି।

ଅନ୍ୟପଟେ ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ଆଜି ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ। ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରକ୍ରିୟାରେ ସାମିଲ ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ସବିଶେଷ ସୂଚନା ଦେଇ ଶ୍ରୀ ଭଦୌରିଆ ସମ୍ପୂର୍ଣ୍ଣ ଅର୍ଥପଇଠ ପାଇଁ ଲାଗୁଥିବା ସମୟକୁ ନେଇ ଦେଖା ଦେଇଥିବା ସମସ୍ତ ବିବାଦକୁ ଖଣ୍ଡନ କରିଛନ୍ତି।

Advertisment

ସେ କହିଛନ୍ତି, ଅନୁକମ୍ପାମୂଳକ ଅର୍ଥରାଶି ଓ ଅନ୍ୟାନ୍ୟ ସହାୟତା ଅର୍ଥ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ପ୍ରଥମେ ଏହା ଯୁଦ୍ଧଜନିତ ମୃତ୍ୟୁ କିମ୍ବା ଅନ୍ୟ କୌଣସି ଶାରୀରିକ ଆଘାତ ଜନିତ ମୃତ୍ୟୁ ତାହା ପ୍ରମାଣିତ କରିବାକୁ ହୋଇଥାଏ। ଏହା ସରକାରଙ୍କ ଦ୍ୱାରା ପରିଚାଳନା କରାଯାଏ ତେଣୁ ପ୍ରମାଣ କରିବା ଜରୁରୀ। ପ୍ରମାଣ କରିବାର ପ୍ରକ୍ରିୟାରେ ମଧ୍ୟ କେତେକ ମାର୍ଗଦର୍ଶିକା ପାଳନ କରାଯାଏ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଜରୁରୀ। ଏହାବ୍ୟତୀତ ସବୁ ଘଟଣାର ରିପୋର୍ଟ, କୋର୍ଟ ଅଫ୍ ଇନକ୍ଵାରୀ ଏବଂ ପୁଲିସ ଠାରୁ ରିପୋର୍ଟ ମିଳିବା ଏହି ପ୍ରକ୍ରିୟାର ପ୍ରମୁଖ ଅଂଶବିଶେଷ। କ୍ଷତିପୂରଣ ପ୍ରଦାନ ପୂର୍ବରୁ ଏସବୁ ପ୍ରକ୍ରିୟା ପ୍ରଥମେ ସମ୍ପୂର୍ଣ୍ଣ ହେବା ଉଚିତ୍। ସାଧାରଣ ସୈନିକ ଏବଂ ଅଗ୍ନିବୀରଙ୍କ କ୍ଷେତ୍ରରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଥାଏ। ଏଥିରେ କୌଣସି ଭିନ୍ନତା ନାହିଁ ବୋଲି ଶ୍ରୀ ଭଦୌରିଆ କହିଛନ୍ତି ।

Agnipath Agniveer
Advertisment
Advertisment