• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ । ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଦ୍ୱିତୀୟ ଦିନ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ଯୋଜନାରେ ଚାକିରିର ଅବଧି ୪ ବର୍ଷ ଥିବାରୁ ଏହାକୁ ଜୋରଦାର ବିରୋଧ କରାଯାଉଛି ।  ବିଶେଷ କରି ବିହାରରେ ଏହାର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି ।  ଗୁରୁବାର ଦିନ ରାଜ୍ୟର ଜହାନାବାଦ, ନୱାଡା, କୈମୁର, ଚପରା, ମୋତିହାରୀରେ ପ୍ରଦର୍ଶନ ଖବର ସାମ୍ନାକୁ ଆସୁଛି । ଏଥି ସହ ଅନେକ ଜିଲ୍ଲାରେ ରେଳ କୋଚରେ ନିଆଁ ମଧ୍ୟ ଲଗେଇ ଦେଇଛନ୍ତି ।

ଜହାନାବାଦର ଯୁବକମାନେ ଅଗ୍ନିପଥ ଯୋଜନାକୁ ବିରୋଧ କରି କାକୋମୋର୍ ନିକଟରେ ନିଆଁ ଲଗାଇ ବିରୋଧ କରିବା ସହ NH-83 ଏବଂ NH-110 କୁ ଅବରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ସେପଟେ କିଛି ଯୁବକ ରେଲୱେ ଟ୍ରାକ୍‌ରେ ଧାରଣା ଦେ‍ବା ଫଳରେ ପାଟନା-ଗୟା ଯାତାୟାତ ବ୍ୟାହତ ହୋଇଛି । କେତେକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି । ସେମାନେ ଚାକିରିର ସୁରକ୍ଷା ଏବଂ ପେନସନ ବ୍ୟବସ୍ଥା ଦାବି କରିଛନ୍ତି । କେବଳ ବିହାରରେ ନୁହେଁ ଦେଶରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଜାଫୁରଟାଉନର ଶତାଧିକ ସେନା ଅଶାୟୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।  ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି । ଦେଶର ଅନ୍ୟ କିଛି ସ୍ଥାନମାନଙ୍କରେ ମଧ୍ୟ ଏହି ଆନ୍ଦୋଳନ ଆଜି ଜୋର ଧରିଛି ।

ସୂଚନାଯୋଗ୍ୟ ମଙ୍ଗଳବାର ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେବାର ମୁଖ୍ୟମାନେ ଦିଲ୍ଲୀରେ ଏହି ଯୋଜନାର ଘୋଷଣା କରିଛନ୍ତି। ସାଢେ ୧୭ ବର୍ଷରୁ ୨୧ ବର୍ଷର ଯୁବକଯୁବତୀଙ୍କୁ ଏହି ସ୍କିମରେ ନିଯୁକ୍ତି ମିଳିବ । ଦଶମ ପାସ୍ ଓ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକଯୁବତୀ ଅଗ୍ନିବୀର ପଦବୀ ଲାଗି ଆବେଦନ କରିପାରିବେ । ଆସନ୍ତା ୩ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ ୨୦୨୩ ସୁଦ୍ଧା ଅଗ୍ନିବାରୀଙ୍କ ପ୍ରଥମ ବ୍ୟାଚ୍ ସେନାରେ ଯୋଗଦେବେ । ଏମାନଙ୍କୁ ସେନାରେ ସଂପୂର୍ଣ୍ଣ ରୂପେ ମିଶ୍ରଣ କରାଯିବ । ଅର୍ଥାତ୍ ନିୟମିତ ସୈନ୍ୟ ଓ ଏମାନଙ୍କ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ରହିବ ନାହିଁ ।

ଏହି ସ୍କିମ ଅନ୍ତର୍ଗତ ନିଯୁକ୍ତ ସୈନ୍ୟ ଅଗ୍ନିବୀର ନାମରେ ତିନି ବାହିନୀରେ ଭର୍ତ୍ତି ହେବେ । ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ । ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ ।