• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କୋର୍ଟଙ୍କ ଚେତାବନୀ ପରେ ଭାରତୀୟ ସେନା ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବା ନେଇ ଆଶ୍ୱାସନା ଦେଇଛି । ଏହାପୂର୍ବରୁ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ଯେ, ସେନାରେ ମହିଳାଙ୍କୁ ଭେଦଭାବ କରାଯାଇପାରିବ ନାହିଁ ଏବଂ ସେମାନଙ୍କୁ ପୁରୁଷଙ୍କ ପରି ସ୍ଥାୟୀ କମିଶନ ମଧ୍ୟ ଦିଆଯାଉ । ଏହା ପରେ ସେନା ପକ୍ଷରୁ ଅନେକ ମହିଳାଙ୍କୁ ସ୍ଥାୟୀ କମିଶନରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କିଛି ଜଣଙ୍କୁ ଦିଆଯାଇନଥିଲା । ସୁପ୍ରିମକୋର୍ଟରେ ଏଭଳି ୭୧ ଜଣ ମହିଳା ପିଟିସନ ଦାଖଲ କରି କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗ ଆଣିଥିଲେ । ଏହି ଆବେଦନର ଶୁଣାଣି ହେଉଥିଲା । କିନ୍ତୁ ଏବେ ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି ।

ଏହି ମାମଲାରେ ସେନା ପକ୍ଷରୁ କୁହାଯାଇଛି ଯେ, ୭୨ ଜଣ ମହିଳାଙ୍କ ମଧ୍ୟରୁ କେବଳ ୧୪ ଜଣଙ୍କୁ ସ୍ଥାୟୀ କମିଶନ ଦିଆଯାଇ ନାହିଁ । କାରଣ ସେମାନେ ମେଡିକାଲି ଫିଟ୍ ନୁହଁନ୍ତି । ଏହି ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ, ଆମର ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା । ଏହା ସତ୍ତ୍ୱେ ସେନା ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଇନାହିଁ ଏବଂ ଆଦେଶ ପାଳନ କରାଯାଇନାହିଁ । ସେନା ମନେ ରଖିବା ଉଚିତ୍‌ ଯେ, ସେ ସମ୍ବିଧାନଠାରୁ ଉର୍ଦ୍ଧ୍ୱରେ ନୁହେଁ । ପ୍ରଥମତଃ ଏହା କୋର୍ଟଙ୍କ ଅବମାନନା ମାମଲା ଭଳି ଲାଗୁଛି ।

ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ, କୋର୍ଟଙ୍କ ଆଦେଶକୁ ଅବମାନନା କରାଯାଇଥିବା ସ୍ପଷ୍ଟ ବାରି ହେଉଛି । ତଥାପି, ସେନାକୁ ଆଉ ଏକ ସୁଯୋଗ ଦିଆଯାଉଛି । ଯଥାଶୀଘ୍ର ନିଜ ଭୁଲ ସୁଧାରି ନିଅନ୍ତୁ । ପୁଣି ଥରେ ସେନା ପକ୍ଷରୁ କୁହାଗଲା ଯେ, ୭୨ ଜଣଙ୍କ ମଧ୍ୟରୁ ୧୪ ଜଣ ମେଡିକାଲି ଅନ୍‌ଫିଟ୍‌ ରହିଛନ୍ତି । ଜଣେ ମହିଳାଙ୍କ ମାମଲା ବିଚାରଧୀନ ରହିଛି । ଅନ୍ୟ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଚିଠି ପଠାଯାଇଛି । ଏହା ପରେ ସେନା ପକ୍ଷରୁ ତୁରନ୍ତ ନିଷ୍ପତ୍ତି ନିଆଗଲା ଯେ, ୧୪ ଜଣ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କୁ ୧୦ ଦିନ ମଧ୍ୟରେ ସ୍ଥାୟୀ କମିଶନରେ ନିଯୁକ୍ତି ଦିଆଯିବ । କେବଳ ୩ ଜଣ ମହିଳାଙ୍କୁ ଦିଆଯାଇପାରିବ ନାହିଁ କାରଣ ମାନଦଣ୍ଡ ଅନୁସାରେ ସେ ସମ୍ପୂର୍ଣ୍ଣ ଅନଫିଟ୍‌ ।

ସୁପ୍ରିମକୋର୍ଟ ଏଥିରେ ରାଜି ହୋଇ ୧୧ ଜଣ ମହିଳାଙ୍କୁ ଚିଠି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଯେଉଁ ମହିଳାମାନେ ସୁପ୍ରିମକୋର୍ଟ ଆସି ପାରିନାହାଁନ୍ତି ଏବଂ ମାମଲା ଦାୟର କରିପାରି ନାହାଁନ୍ତି, ସେମାନଙ୍କୁ ମଧ୍ୟ ସ୍ଥାୟୀ କମିଶନରେ ନିଯୁକ୍ତି ପାଇଁ ଚିଠି ପଠାଯାଉ । ଏହା ଆଗାମୀ ୨୦ ଦିନ ମଧ୍ୟ ସମ୍ପୂର୍ଣ୍ଣ ହେବା ଜରୁରୀ ।