• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ । ହଜାର ହଜାର ଭାରତୀୟ ପର୍ଯ୍ୟଟକ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ମାଳଦ୍ୱୀପ ସରକାର। ଏଣୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।

ଏପରିକି ଚୀନକୁ ସବୁଠାରୁ ଘନିଷ୍ଠ ସହଯୋଗୀ କହିବାକୁ ସେ ପଛାଇନାହାନ୍ତି । ପର୍ଯ୍ୟଟନର ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ୫୦ ମିଲିୟନ ଡଲାରର ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି ।

ମାଳଦ୍ୱୀପ ମନ୍ତ୍ରୀମାନଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରଠାରୁ ହଜାର ହଜାର ଭାରତୀୟ ବୁକିଂ ବାତିଲ କରୁଛନ୍ତି । ଗତବର୍ଷ ଭାରତରୁ ପ୍ରାୟ ଦୁଇ ଲକ୍ଷରୁ ଅଧିକ ପର୍ଯ୍ୟଟକ ମାଳଦ୍ୱୀପ ବୁଲିବାକୁ ଯାଇଥିଲେ ।

ଅନ୍ୟପଟେ ଲାକ୍ଷାଦ୍ୱୀପର ପର୍ଯ୍ୟଟନର ବିକାଶ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଲାକ୍ଷାଦ୍ୱୀପର ମିନିକଏ ଆଇଲାଣ୍ଡରେ ଏୟାର ଷ୍ଟ୍ରିପ୍ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର । ଉଭୟ ସେନା ଓ ବେସାମରିକ ବିମାନ ଚଳାଚଳ ପାଇଁ ଏହା ବ୍ୟବହାର ହୋଇପାରିବ ।

ଯାହା ଦ୍ୱାରା ଆରବ ସାଗର ଉପରେ ତୀକ୍ଷ୍ମଣ ନଜର ରଖିବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର । ଏନେଇ ପ୍ରାଥମିକ ଭାବେ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ପୂର୍ବରୁ ଅଗାଟିରେ ଏକମାତ୍ର ଏୟାରପୋର୍ଟ ଥିବା ବେଳେ ମିନିକଏରେ ଏୟାରଷ୍ଟ୍ରିପ ହେଲେ ଗମନାଗମନ ସୁବିଧା ଆହୁରି ବିସ୍ତାରିତ ହୋଇପାରିବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ବିରୋଧରେ ମାଳଦ୍ୱୀପ ମନ୍ତ୍ରୀଙ୍କ ଅପମାନ ସୂଚକ ମନ୍ତବ୍ୟ ପରେ ମାଳଦ୍ୱୀପ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ହଟାଇବାକୁ ଅନାସ୍ଥା ପ୍ରସ୍ତାବ ଆଣିପାରେ ମୁଖ୍ୟ ବିରୋଧୀ ଦଳ । ମାଳଦ୍ୱୀପ ମନ୍ତ୍ରୀ ଅଲ୍ଲୀ ଅଜିମ କହିଛନ୍ତି, ଘଟଣାରେ କେବଳ ୩ ମନ୍ତ୍ରୀଙ୍କୁ ନିଲମ୍ବନ ନୁହେଁ ବରଂ ରାଷ୍ଟ୍ରପତି ପଦ ଛାଡିବା ଦରକାର ।

ବିବାଦ ସୃଷ୍ଟି ହେବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନିଜଣ ମନ୍ତ୍ରୀ ଶିଉନା, ମାଲଶା ଶରିଫ ଓ ଅମଦୁଲ୍ଲା ମହଜୁମ ମାଜିଦଙ୍କୁ ନିଲମ୍ବିତ କରିଥିଲେ । ସେପଟେ ମୋଦି ବିରୋଧୀ ମନ୍ତବ୍ୟକୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ସଂଘ କହିଛି ଭାରତ ଆମର ନିକଟତମ ପଡ଼ୋଶୀ ଓ ସହଯୋଗୀ ଦେଶ । ସଙ୍କଟ ସମୟରେ ଭାରତ ହିଁ ପ୍ରଥମେ ଆମ କଥା ଶୁଣିଥାଏ । ଏଭଳି ମନ୍ତବ୍ୟ ସଂପର୍କରେ ନକାରାତ୍ମକ ପ୍ରଭାବ ପକାଇବନି ବୋଲି ଆଶା ପ୍ରକଟ କରିଛି ସଂଘ ।