• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
System Administrator

ହେଲିକପ୍ଟର ରଖାଯାଇଥିଲା । କେଁ କେଁ ସାଇରନ୍‌ ଦେଇ ଆମ୍ବୁଲାନ୍ସ ଆସୁଥିଲା । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ଭାବୁଥିବେ ବୋଧହୁଏ ସେହି ହେଲିକପ୍ଟରରେ ରୋଗୀ ଆସିଛନ୍ତି ତାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ଧାଇଁ ଆସିଛି । ହେଲେ ସେହି ହେଲିକପ୍ଟରରେ ରୋଗୀ ଆସିନାହାନ୍ତି ବରଂ ଆସିଛି ହାର୍ଟ, ଲିଭର ଓ କିଡନୀ । ଆଶ୍ଚର୍ଯ୍ୟ ହୋଇଗଲେ କି ? ହେଲେ ଘଟଣା ପୂରା ସତ । ସେ ସିନା ଦୁନିଆ ଛାଡି ଚାଲିଗଲେ ହେଲେ ବଂଚାଇ ଦେଲେ ପାଂଚ ଜଣଙ୍କ ଜୀବନ ।

ଆନ୍ଧ୍ର-ପ୍ରଦେଶ ଗୁଣ୍ଟୁରର ୧୯ ବର୍ଷିୟ ଯୁବକ କେ.କ୍ରିଷ୍ଣା । ସବୁଦିନ ପରେ ସେଦିନ ବି ସେ ଘରୁ ବାହାରିଥିଲେ । ହେଲେ ରାସ୍ତାରେ ସତେ ଯେମିତି ଦୁର୍ଘଟଣା ତାଙ୍କୁ ଅପେକ୍ଷା କରିଥିଲା । ଦୁର୍ଘଟଣା ପରେ କ୍ରିଷ୍ଣାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ କ୍ରିଷ୍ଣାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଖି ସାମ୍ନାରେ ପୁଅର ମୃତ୍ୟୁକୁ ଗ୍ରହଣ ବି କରିପାରିନଥିଲେ । ଆଉ ଏତିକିବେଳେ କ୍ରିଷ୍ଣାଙ୍କ ଅଙ୍ଗଦାନ କରିବାକୁ ପରିବାର ଲୋକଙ୍କୁ ବୁଝାଇଥିଲେ ଡାକ୍ତର । ଡାକ୍ତରଙ୍କ ପରାମର୍ଶେ କ୍ରମେ ପରିବାର ଲୋକ ଅଙ୍ଗଦାନ କରିବାକୁ ରାଜି ହୋଇଗଲେ । ଆଉ ଆରମ୍ଭ ହୋଇଯାଇଥିଲା ଜୋରଦାର ପ୍ରସ୍ତୁତି ।

ଡାକ୍ତରଙ୍କ ପରାମର୍ଶେ କ୍ରମେ କ୍ରିଷ୍ଣାଙ୍କ ଅଙ୍ଗପ୍ରତଙ୍ଗ ତିରୁପତି, ବିଶାଖାପାଟଣା, ଗୁଣ୍ଟୁରୁ ଓ ବିଜୟୱାଡା ଆସିବା ଲାଗି ବ୍ୟବସ୍ଥା କରାଯାଇଥିଲା । ହେଲେ ପରିବହନ ବ୍ୟବସ୍ଥା ଠିକ୍‌ ନଥିବାରୁ ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ ଓ ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଏନେଇ ଅବଗତ କରାଯାଇଥିଲା । ଆଉ ମହତ କାମରେ ନିଜକୁ ବ୍ୟକ୍ତିଗତ ଭାବରେ ସାମିଲ କରିଥିଲେ ଜଗନ ମୋହନ । ଖାଲି ସାମିଲ କରିଥିଲେ ତାହା ନୁହେଁ ବରଂ କେମିତି ଠିକ୍‌ ସମୟରେ ଠିକ୍‌ ଜାଗାରେ ଅଙ୍ଗପ୍ରତଙ୍ଗ ପହଞ୍ଚିବ ସେନେଇ ହେଲିକପ୍ଟରଠୁ ଆରମ୍ଭ କରି ଆମ୍ବୁଲାନ୍ସ ଲାଗି ଗ୍ରୀନ କରିଡରର ବ୍ୟବସ୍ଥା ବି କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇଟି ହେଲିକପ୍ଟରରେ ଯଥାକ୍ରମେ ତିରୁପତି ଓ ବିଶାଖାପାଟଣାରେ ହାର୍ଟ ଓ ଲିଭର ପହଞ୍ଚିବା ବେଳେ ଗ୍ରୀନ କରିଡରରେ ବିଜୟୱାଡା ଓ ଗୁଣ୍ଟୁରୁରେ କିଡନୀ ସହ ଅନ୍ୟ ଅଙ୍ଗ ପହଞ୍ଚିଥିଲା । ଆଉ କ୍ରିଷ୍ଣାଙ୍କ ଅଙ୍ଗରେ ନୂଆ ଜୀବନ ପାଇଲେ ୫-୫ ଜଣ ବ୍ୟକ୍ତି । ସେପଟେ କ୍ରିଷ୍ଣାଙ୍କ ପରିବାରକୁ ସରକାରୀ ଭାବରେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ବି ସେ ଦେଇଛନ୍ତି । ଦର୍ଶକବନ୍ଧୁ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀ ଚର୍ଚ୍ଚାରେ ରୁହନ୍ତି । ହେଲେ ଆଜି ସିଏ ଅଙ୍ଗଦାନର ଯେପରି ସୁବ୍ୟବସ୍ଥା କରିଥିଲେ ତାହାକୁ ନେଇ କେବଳ ଆନ୍ଧ୍ର କାହିଁକି ବରଂ ପୂରା ଦେଶରେ ଜୋର ଧରିଛି ଚର୍ଚ୍ଚା ।

(ବିଶାଖପାଟଣାରୁ ଯଶୋବନ୍ତ ପାଢୀଙ୍କ ରିପୋର୍ଟ)