Advertisment

PoK at Brink of Destruction: ଭାରତ ଅନୁଶାସିତ କାଶ୍ମୀରରେ ଛୁଟୁଛି ବିକାଶର ଧାରା...ବିନାଶ ମୁହଁରେ ଛିଡ଼ା ହୋଇଛି POK

କାଶ୍ମୀର ଉପତ୍ୟକାରୁ ଧାରା ୩୭୦ ହଟିବା ପରେ ଏଠାରେ ବିକାଶର ଧାରା ଦ୍ରୁତ ଗତିରେ ବଢୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି । ସ୍ଥାନୀୟ ଲୋକଙ୍କର ରୋଜଗାର ବଢିଛି । କାଶ୍ମୀର ଘାଟିର ଏ ବିକାଶକୁ ପଡୋଶୀ ଦେଶ ହଜମ କରିପାରୁନି । କାଶ୍ମୀର ଅକ୍ତିଆର କରିବା ପାଇଁ ଚଲାଇଛି ଆତଙ୍କୀ କାର୍ଯ୍ୟକଳାପ ।

author-image
Minati Mishra
ଅଦ୍ୟତନ ହୋଇଛି
ବିଦ୍ରୋହ କରୁଛନ୍ତି ପାକ୍ ଜନତା

ବିଦ୍ରୋହ କରୁଛନ୍ତି ପାକ୍ ଜନତା

ଆକାଶକୁ ଛୁଇଁଛି ପାହାଡ । ଆଉ ଆକାଶରୁ ପାହାଡ ଦେଇ ମାଟି ଯାଏ ଲମ୍ବି ଯାଇଛି ପ୍ରକୃତିର ସବୁଜ ପଣତ । ତା ଭିତରେ ଝରଣାର ରିମଝିମ ଗୀତ ଆଉ ପବନର ମତୁଆଲା ଛୁଆଁ । ଯିଏ ଥରେ ଅନୁଭବ କରିଛି ସେ ବିଭୋର ହୋଇଛି । ସତରେ ..ଏ କ’ଣ ସ୍ୱର୍ଗ ? ନ ହେଲେ ଏତେ ସୌନ୍ଦର୍ଯ୍ୟ ଏ ମାଟିରେ କେମିତି ସମ୍ଭବ ? ଏଠି କେତେ ମାଖିମୁଖି ସଜେଇ ହୋଇଛି  ଏ ପ୍ରକୃତି ? ତଥାପି ଏ ଭୂସ୍ୱର୍ଗରେ ରକ୍ତର ଛିଟା ! ଆତଙ୍କର ହାହାକାର ! ଅଭାବ, ଅନଟନର ଛାତିଥରା ଦୀର୍ଘଶ୍ୱାସ ! କାହିଁକି ? ଆମେ ଏଠି କହୁଛୁ ପାକ ଅଧକୃତ କଶ୍ମୀରର କଥା । ଭାରତର ଏହି ଭୂସର୍ଗକୁ ଦିନେ ଛଡେଇ ନେଇଥିଲା ପାକିସ୍ତାନ । ଏଇ ୭୭ ବର୍ଷ ଭିତରେ ଭୂସର୍ଗକୁ  ବିଦୀର୍ଣ୍ଣ କରି ଦେଇଛି ପାକିସ୍ତାନ । ଆତଙ୍କବାଦୀଙ୍କ ଗୁଳିଗୁଳା ଶବ୍ଦରେ ଲହୁଲୁହାଣ  ହୋଇଛି  ଏ ମାଟି, ପାହାଡ଼ ଆଉ ଆକାଶ  । 

Advertisment

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଭୂସର୍ଗରେ ପର୍ଯ୍ୟଟନ ଶିଳ୍ପର ବିକାଶ କରି କୋଟି କୋଟ ଟଙ୍କାର ରାଜସ୍ୱ ପାଇ ପାରିଥାନ୍ତା ପାକିସ୍ତାନ । ଲୋକଙ୍କ ଜୀବନଜୀବିକା ବି ସୁଧୁରି ଯାଇଥାନ୍ତା । ହେଲେ ଏହା ଉପରେ କେବେ ବି ଗୁରୁତ୍ୱ ଦେଇନାହିଁ ପାକିସ୍ତାନ । ବରଂ ପିଓକେକୁ ଆତଙ୍କୀ ଆଡ୍ଡାରେ ପରିଣତ କରିଛି । ପ୍ରତିବଦଳରେ କ’ଣ ପାଇଛି ? ଦାରିଦ୍ର୍ୟ..ଲାଞ୍ଛନା..ହିଂସା..ରକ୍ତପାତ । ଯେତିକି ଭୂସର୍ଗ ପାଇଛି ତାର ବିକାଶ ତ କରିପାରିନି, ପୁଣି ନଜର ପକାଇଛି  ଭାରତ ଅନୁଶାସିତ କାଶ୍ମୀର ଭୂଖଣ୍ଡ ଉପରେ ।

କାଶ୍ମୀର ଉପତ୍ୟକାରୁ ଧାରା ୩୭୦ ହଟିବା ପରେ ଏଠାରେ ବିକାଶର ଧାରା ଦ୍ରୁତ ଗତିରେ ବଢୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି । ସ୍ଥାନୀୟ ଲୋକଙ୍କର ରୋଜଗାର ବଢିଛି । କାଶ୍ମୀର ଘାଟିର ଏ ବିକାଶକୁ ପଡୋଶୀ ଦେଶ ହଜମ କରିପାରୁନି । କାଶ୍ମୀର ଅକ୍ତିଆର କରିବା ପାଇଁ ଚଲାଇଛି ଆତଙ୍କୀ କାର୍ଯ୍ୟକଳାପ । ଯେତିକି ପାଇଛି ସେତିକିର ଉପଯୁକ୍ତ ବିନିଯୋଗ କରିପାରୁନ ଥିବା ପାକିସ୍ତାନ କାହିଁକି କାଶ୍ମୀର ଉପରେ ଲୋଲୁପ ଦୃଷ୍ଟି ପକାଉଛି ବୁଝି ହେଉନି ।  କାହିଁକି ଜନ୍ମରୁ ଆଜି ଯାଏ ଏ ଦେଶ କାଶ୍ମୀର ପାଇଁ ଗୋଟିଏ ପରେ ଗୋଟିଏ ଯୁଦ୍ଧ କରୁଛି । ହଜାର ହଜାର ସୈନ୍ୟଙ୍କୁ ମରଣ ମୁହଁକୁ ଠେଲୁଛି । କାହିଁକି ନିଜ ଦେଶର ବିକାଶକୁ ଅଧାବାଟରେ ରୋକି ଯୁଦ୍ଧରେ କୋଟି କୋଟି ଟଙ୍କା ଅପବ୍ୟୟ କରୁଛି ତା ବି ବୁଝି ହେଉନି ।  

Advertisment

ପାକ ଅଧିକୃତ କାଶ୍ମୀରକୁ ଛଡେଇ ନେଲେ ବି ମିଶାଇ ପାରିଲାନି

୧୯୪୭ରେ ରାଜ୍ୟ ସମ୍ମିଶ୍ରଣ ସମୟରେ ପୁରା କାଶ୍ମୀର ରାଜ୍ୟ ଭାରତର ଅଭିନ୍ନ ଅଙ୍ଗ ପାଲଟି ଯାଇଥିଲା । ଅକ୍ଟୋବର ୧୯୪୭ରେ ଯେତେବେଳେ ଭାରତ ସହ କାଶ୍ମୀରକୁ ମିଶାଇ ଦେବା ପାଇଁ ମହାରାଜା ହରି ସିଂ ସମ୍ମତି ପ୍ରକାଶ କରିଥିଲେ ସେତେବେଳଠାରୁ ଗିଲଗିଟ-ବାଲ୍ଟିସ୍ଥାନର ଇଲାକା ପାକିସ୍ତାନ ସହ ସାମିଲ ହୋଇ ଯାଇଥିଲା ଯାହାକୁ ଆମେ ପାକ ଅଧିକୃତ କାଶ୍ମୀର ବୋଲି କହୁଛୁ । ସେତବେଳେ ପାକିସ୍ତାନ ସମର୍ଥିତ  ଜନଜାତିଙ୍କ ଆକ୍ରମଣ ଯୋଗୁଁ ପରିସ୍ଥିତି ଏପରି ହୋଇଗଲା ଯେ ଏହି ଇଲାକାରେ ପାକିସ୍ତାନର ସ୍ଥିତି ମଜବୁତ ହୋଇଗଲା ।  କାରଣ ଆଦିବାସୀମାନେ ଏହାକୁ ଦଖଲ କରିବା ସମୟରେ ଶ୍ରୀନଗରରେ ପହଞ୍ଚି ଯାଇଥିଲେ। ସେବେଠାରୁ, ଭାରତର ଏହି ସ୍ୱର୍ଗକୁ ପାକିସ୍ତାନ ଅବୈଧ ଭାବରେ ନିଜ ଦଖଲରେ ରଖିଛି। ଯଦିଓ ଏହା ଏକ ସ୍ୱାୟତ୍ତ ଅଞ୍ଚଳ, ତଥାପି ପାକିସ୍ତାନ ଦୀର୍ଘ ଦିନ ଧରି ଏହାକୁ ନିଜର ପଞ୍ଚମ ରାଜ୍ୟ କରିବାକୁ ଚାହୁଁଛି । 

ବିଦ୍ରୋହ କରୁଛନ୍ତି ପିଓକେ ଜନତା 

ଯାହା ବି ହେଉ, ଏହି ଭୂସର୍ଗର ସ୍ୱାୟତ୍ତ ସ୍ଥିତିକୁ ଯେନତେନ ପ୍ରକାରେ ଶେଷ କରିବା ପାଇଁ ପାକିସ୍ତାନ ଚେଷ୍ଟା କରି ଆସୁଛି । ଏଥିପାଇଁ କିଛି ବର୍ଷ ପୂର୍ବେ ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ଥାନ-୨୦୧୮ ନାମରେ ଏକ ନୂଆ ଆଇନ  ଆଣିଥିଲା । ଏହି ଆଇନ ବଳରେ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ଆଣିବା ପାଇଁ ଚେଷ୍ଟା କରୁଥିଲା । ହେଲେ ଏହି ଅଞ୍ଚଳର ଲୋକ ଏହାକୁ ବିରୋଧ କରି ଆସୁଛନ୍ତି । ଏପରିକି ବିଭିନ୍ନ ସମୟରେ ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି । 

ପିଓକେକୁ ଅବୈଧ କବ୍ଜା କରିଛି ପାକିସ୍ତାନ

ଗିଳଗିଟ-ବାଲ୍ଟିସ୍ଥାନ ଅର୍ଥାତ ପାକ ଅଧିକୃତ କାଶ୍ମୀରକୁ ପାକିସ୍ତାନ ସମ୍ପୂର୍ଣ୍ଣ ଅବୈଧ ଭାବେ କବ୍ଜା କରି ରଖିଛି । କେବଳ ବ୍ରିଟିଶ ସାଂସଦ ନୁହେଁ, ପୁରା ୟୁରୋପିୟ ୟୁନିୟନ ଏହାକୁ କାଶ୍ମୀର ବୋଲି ସ୍ୱୀକାର କରନ୍ତି । ବ୍ରିଟିଶ ସଂସଦରେ କିଛି ଦିନ ପୂର୍ବେ ଏକ ପ୍ରସ୍ତାବ ପାରିତ କରାଯାଇ ଗିଲଗିଟ-ବଲ୍ଟିସ୍ତାନ  ଉପରେ ପାକିସ୍ତାନର କବ୍ଜା ଅବୈଧ ବୋଲି କୁହାଯାଇଥିଲା ।  ଏହି ପ୍ରସ୍ତାବରେ ଏକଥା ମଧ୍ୟ କୁହାଯାଇଥିଲା ଯେ, ଗିଲଗିଟ-ବାଲ୍ଟିସ୍ତାନ ଜମ୍ମୁ-କଶ୍ମୀରର ଏକ ଅଭିନ୍ନ ଅଙ୍ଗ ଅଟେ । ହେଲେ ପାକିସ୍ତାନ ଏହି କ୍ଷେତ୍ରକୁ ବିବାଦିତ କାଶ୍ମୀର କ୍ଷେତ୍ରଠାରୁ ଅଲଗା ବୋଲି କହି ଆସୁଛି । ସେତିକି ନୁହେଁ, ୧୯୬୩ରେ ଏହି ଇଲାକାରୁ ଏକ ଛୋଟ ଭାଗ ଶକ୍ସମ ଘାଟିକୁ ଚୀନକୁ ଦେଇ ଦେଇଛି । 

କାହିଁକି ପାକ କବ୍ଜାକୁ ଗଲା ପିଓକେ  

୧୯୪୭ ନଭେମ୍ବର ୩୧ ତାରିଖରେ କାଶ୍ମୀରର ଶେଷ ସ୍ୱାଧୀନ ରାଜା ହରି ସିଂ ଭାରତ ସହ କାଶ୍ମୀରର ମିଶ୍ରଣକୁ ନେଇ କାଗଜପତ୍ରରେ ଦସ୍ତଖତ କଲେ । ହେଲେ ହରି ସିଂହଙ୍କ ଏହି ପଦକ୍ଷେପ ପରେ ଗିଲଗିଟ-ବାଲ୍ଟିସ୍ତାନରେ ସ୍ଥାନୀୟ କମାଣ୍ଡର କର୍ଣ୍ଣଲ ମିର୍ଜା ହସନ ଖାନ ବିଦ୍ରୋହ ଘୋଷଣା କଲେ । ସେ ୧୯୪୭, ନଭେମ୍ବର ୨ ତାରିଖରେ ସେ ଗିଲଗିଟ-ବାଲ୍ଟିସ୍ତାନକୁ ସ୍ୱାଧୀନ ଘୋଷଣା କଲେ । ୨୧ ଦିନ ଏପରି ସ୍ୱାଧୀନ ରହିବା ପରେ ପାକିସ୍ତାନ ଏହି କ୍ଷେତ୍ରରେ ପ୍ରବେଶ କଲା ଏବଂ ଏହାକୁ ନିଜ କବ୍ଜାକୁ ନେଇ ଯାଇଥିଲା । 

୧୯୪୯ ଏପ୍ରିଲ ପର୍ଯ୍ୟନ୍ତ ଗିଲଗିତ-ବାଲ୍ଟିସ୍ତାନକୁ ପାକିସ୍ତାନ ପାକ ଅଧିକୃତ କାଶ୍ମୀରର ଅଂଶ ବୋଲି ସ୍ୱୀକାର କରାଯାଉଥିଲା । ହେଲେ ସେହିବର୍ଷ ଏପ୍ରିଲ ୨୮ ତାରିଖରେ ପାକିସ୍ତାନ କବଜାରେ ଥିବା କାଶ୍ମୀରର ସରକାରଙ୍କ ସହ ଏକ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁସାରେ, ଗିଳଗିଟକୁ ପାକିସ୍ତାନର ସଂଘୀୟ ସରକାରକୁ ଦେଇ ଦିଆଗଲା । ହେଲେ ଏହାକୁ ନେଇ ବିରୋଧ ମୁଣ୍ଡ ଟେକିଲା । ଗିଲଗିଟ-ବାଲ୍ଟିସ୍ତାନର ଲୋକ ହିଁ ଏହାକୁ ବିରୋଧ କରୁଥିଲେ । ଏଠିକା ଲୋକମାନେ ପାକିସ୍ତାନ କବ୍ଜାରେ ରହିବାକୁ ଚାହୁଁ ନ ଥିଲେ । 

ତେଣୁ ବ୍ରିଟେନର କନଜରବେଟିଭ ପାର୍ଟିର ସାଂସଦ ବାବ ବ୍ଲାକମେନ ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ସଂସଦରେ ଏକ ପ୍ରସ୍ତାବ ଦେଇ କହିଥିଲେ, ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନ ଉପରେ ଅବୈଧ କବଜା କରି ରଖିଛି । ଏହି ଇଲାକାର ତାର ନୁହେଁ । ଏହି ପ୍ରସ୍ତାବରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ,  ପାକିସ୍ତାନ ଗିଲଗିଟ-ବାଲ୍ଟିସ୍ତାନର ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ଏବଂ ମତାମତ ସ୍ୱାଧୀନତା ଅଧିକାରରୁ ବଞ୍ଚିତ କରିଛି। 

କେଉଁଠୁ କେତେ ବ୍ୟାପିଛି ପିଓକେର ପରିସୀମା

ଏହି ଅଞ୍ଚଳର ପରିସୀମା  ପଶ୍ଚିମରେ ଖାଇବର-ପଖତୁନଖ୍ୱାବରୁ ଉତ୍ତରରେ ଆଫଗାନିସ୍ତାନର ୱାଖାନ କରିଡର, ଉତ୍ତର-ପୂର୍ବରେ ଚୀନର ଜିନଜିଆଙ୍ଗ ପ୍ରଦେଶରୁ ଦକ୍ଷିଣରେ ପାକ୍-ଅଧିକୃତ କାଶ୍ମୀର ଏବଂ ଦକ୍ଷିଣ-ପୂର୍ବରେ ଭାରତୀୟ ରାଜ୍ୟ ଜମ୍ମୁ ଏବଂ କାଶ୍ମୀର ସହିତ ସୀମାବଦ୍ଧ। ଗିଲଗିଟ-ବାଲ୍ଟିସ୍ତାନର ମୋଟ କ୍ଷେତ୍ରଫଳ ୭୨,୯୭୧  ବର୍ଗ କିଲୋମିଟର। ଆନୁମାନିକ ଜନସଂଖ୍ୟା ପ୍ରାୟ ଦଶ ଲକ୍ଷ। ଏହାର ପ୍ରଶାସନିକ କେନ୍ଦ୍ର ହେଉଛି ଗିଲଗିଟ ସହର, ଯାହାର ଜନସଂଖ୍ୟା ପ୍ରାୟ ୨.୫ ଲକ୍ଷ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗିଲଗିଟ୍

ଗିଲଗିଟ ଭୂଖଣ୍ଡ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । କାରାକୋରମ ପର୍ବତମାଳାର ଛୋଟବଡ଼ ପାହାଡ ଏହାକୁ ଘେରି ରହିଛି। ସିନ୍ଧୁ ନଦୀ ଭାରତର ଲଦାଖରୁ ଉତ୍ପନ୍ନ ହୋଇ ବାଲ୍ଟିସ୍ତାନ ଏବଂ ଗିଲଗିଟ ଦେଇ ବହି ଯାଇଛି । ଗିଲଗିଟ-ବାଲ୍ଟିସ୍ତାନରେ ରହିଛି ପ୍ରସିଦ୍ଧ ବାଲ୍ଟୋରୋ ଗ୍ଲାସିୟର । କାରାକୋରମ ଅଞ୍ଚଳରେ ହିନ୍ଦୁକୁଶ ଏବଂ ତିରିଚ୍ ମିର ନାମକ ଦୁଇଟି ଉଚ୍ଚ ପର୍ବତ ଅଛି। ଗିଲଗିଟ ଉପତ୍ୟକାରେ ସୁନ୍ଦର ଜଳପ୍ରପାତ ଏବଂ ଫୁଲର ସୁନ୍ଦର ଉପତ୍ୟକା ମଧ୍ୟ ଅଛି।  

ଏ ସୌନ୍ଦର୍ଯ୍ୟକୁ ପାଦରେ ଆଡେଇ ଦେଇଛି ପାକିସ୍ତାନ

ହେଲେ ଧର୍ମ ନାଁରେ  ହିଂସା, ଘୃଣା, ରକ୍ତପାତକୁ ଆପଣେଇଥିବା  ଆତଙ୍କବାଦୀଙ୍କର ଦେଶ ପାକିସ୍ତାନ କେମିତି ବୁଝିବ ପ୍ରକୃତି ଅଯାଚିତ ଭାବେ ଦେଇଥିବା ଏ ସମ୍ପଦକୁ ? ଯେଉଁ ଦେଶ ସ୍ୱାଧୀନ ହେବାର ଖୁସିରେ ଲକ୍ଷ ଲକ୍ଷ ଲୋକଙ୍କୁ ହାଣିମାରି ରକ୍ତର ନଦୀ ବୁହାଇ ଦେଇ ପାରେ ସେ  ଦେଶ ଖାଲି  ଜାଣେ ନିଜ ସମ୍ପଦକୁ ଆଡେଇ ଦେଇ ଅନ୍ୟଠାରୁ ଛଡାଇନେବା । ହେଲେ କେତେ ଦିନ ? ୭୭ ବର୍ଷ କାଳ ନିଜ କବ୍ଜାରେ ରଖିଥିବା ପାକ ଅଧିକୃତ କାଶ୍ମୀର ଅବସ୍ଥା କ’ଣ କରିଛି ?

୧: ପାକ ଅଧିକୃତ କାଶ୍ମୀରରେ ଶିକ୍ଷା ବ୍ୟବସ୍ଥା

ପାକ ଅଧିକୃତ କାଶ୍ମୀରରେ ସାକ୍ଷରତା ହାର ୭୨% ବୋଲି ପାକିସ୍ତାନ ଦାବି କରୁଛି । ଏହି ସଂଖ୍ୟା କେବଳ ମୌଳିକ ଶିକ୍ଷା ଭିତରେ ସୀମିତ ରହିଛି । ଏଠାରେ ଉଚ୍ଚଶିକ୍ଷା ପାଇଁ ସ୍କୁଲ, କଲେଜ, ୟୁନିଭର୍ସିଟିର ଅଭାବ  ରହିଛି । ଏଠାରେ ମାତ୍ର ୬ଟି ବିଶ୍ୱବିଦ୍ୟାଳୟ ରହିଛି । ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ତ ଆହୁରି ଶୋଚନୀୟ । ଶିକ୍ଷକ, ପୁସ୍ତକାଳୟ, ଗବେଷଣାଗାରର ଘୋର ଅଭାବ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଝିଅମାନେ ପାଠ ପଢି ନ ଥାନ୍ତି । 

ଭାରତ ଅନୁଶାସିତ ଜମ୍ମୁକାଶ୍ମୀରରେ ଶିକ୍ଷା ବ୍ୟବସ୍ଥା

ଭାରତ ଅନୁଶାସିତ ଜମ୍ମୁକାଶ୍ମୀରରେ ସାକ୍ଷରତା ହାର ୨୦୨୧ ମଧ୍ୟରେ ଦେଖିଲେ ୭୭.୩% ରହିଛି । ଯଦିଓ ଏହି ସଂଖ୍ୟା ପିଓକେଠାରୁ ସାମାନ୍ୟ ଅଧିକ ହେଲେ ଏଠାରେ ଶିକ୍ଷାର ବ୍ୟବସ୍ଥା ଯଥେଷ୍ଟ ଉଚ୍ଚକୋଟୀର । ଜମ୍ମୁ-କାଶ୍ମୀରରେ ୩୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଥିବାବେଳେ ଆଇଆଇଟି ଶ୍ରୀନଗର, ଆଇଆଇଏମ ଜମ୍ମୁ ପରି ଅନେକ ସର୍ବଭାରତୀୟ ଯାନ୍ତ୍ରିକ ପ୍ରତିଷ୍ଠାନ ରହିଛି । ସ୍କୁଲ-କଲେଜ ସଂଖ୍ୟା ଯଥେଷ୍ଟ ଅଧିକ । 

୨: ପାକ ଅଧିକୃତ କାଶ୍ମୀରରେ ଅର୍ଥ ବ୍ୟବସ୍ଥା

ପାକ ଅଧିକୃତ କାଶ୍ମୀରରେ ଅର୍ଥ ବ୍ୟବସ୍ଥା ୨୦୧୧ ଅନୁସାରେ ଦେଖିଲେ, ପିଓକେର ଜିଡିପି ପାଖାପାଖି ୩.୨ ବିଲିଅନ ଡଲାର । ପ୍ରତିବ୍ୟକ୍ତିର ଆୟ ଏଠାରେ ଜମ୍ମୁକାଶ୍ମୀର ତୁଳନାରେ ଅଧାରୁ କମ । ଏଠାରେ ଲୋକେ ବିଶେଷ କରି ମକ୍କା, ଗହମ, ପଶୁପାଳନକୁ ଜୀବିକା ଭାବେ ଗ୍ରହଣ କରିଥାନ୍ତି । ଦକ୍ଷିଣ ଜିଲ୍ଲାର ଅନେକ ଲୋକ ପାକିସ୍ତାନୀ ସେନାରେ ଭର୍ତ୍ତି ହୋଇଥାନ୍ତି  । ଅନ୍ୟମାନେ ୟୁରୋପ ଓ ମଧ୍ୟ ପୂର୍ବକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥାନ୍ତି । ଏଠାରେ ଗରିବି ହାର ୩୪% ଏବଂ ବେରୋଜଗାରୀ ହାର ୧୮.୧% ।  PoKରେ ବିକାଶ ପାଇଁ ପାକିସ୍ତାନର ସରକାରଙ୍କ ନିବେଶ ବହୁତ ସୀମିତ । 

ଭାରତ ଅନୁଶାସିତ ଜମ୍ମୁକାଶ୍ମୀରରେ ଅର୍ଥ ବ୍ୟବସ୍ଥା

ଭାରତ ଅନୁଶାସିତ ଜମ୍ମୁକାଶ୍ମୀରରେ ମୁଣ୍ଡ ପିଛା ଆୟ ୧,୨୫,୦୦୦ଟଙ୍କାରୁ  ଅଧିକ ଯାହା ପିଓକେଠାରୁ ଯଥେଷ୍ଟ ଅଧିକ । କେନ୍ଦ୍ର ସରକାରଙ୍କ ନିବେଶ ଅର୍ଥାତ ‘ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ-୨୦୧୫’ ଏଠିକାର ଆର୍ଥିକ ବିକାଶକୁ ବଢାଇ ଦେଇଛି । ପର୍ଯ୍ୟଟନ ଜମ୍ମୁ-କଶ୍ମୀର ଅର୍ଥ ବ୍ୟବସ୍ଥାର ମୁଖ୍ୟ ଆଧାର ଯାହା ମୋଟ ଆୟରେ ପାଖାପାଖି ୭% ଯୋଗାଦାନ ରହିଛି । ଏହାବ୍ୟତୀତ ଫଳଚାଷ(ସେଓ, ଅଙ୍ଗୁର, କେଶର), ହସ୍ତଶିଳ୍ପ(ଶାଲ, କାର୍ପେଟ) ଏବଂ କୃଷି ଅର୍ଥ ବ୍ୟବସ୍ଥାରେ ମହତ୍ୱପୂର୍ଣ୍ଣ ଅଂଶ ଅଟେ ।  ଜମ୍ମୁକଶ୍ମୀରରେ ଗରିବୀ ହାର ୧୦.୩୫% ଏବଂ ବେରୋଜଗାରୀ ଦର ୧୨.୧୩% ଅଟେ ଯାହା PoK ତୁଳନାରେ ଯଥେଷ୍ଟ କମ । 

ଧାରା ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ ନିବେଶ ଏବଂ ମୌଳିକ ଭିତ୍ତିଭୂମି ଯେପରି ରେଳ, ସଡକ ଆଦିର ଯଥେଷ୍ଟ ବିକାଶ ହୋଇଛି । କେନ୍ଦ୍ର ସରକାରଙ୍କ ଯୋଜନା ଓ ଏଫଡିଆଇ ଯୋଗୁ ଆର୍ଥିକ ବ୍ୟବସ୍ଥାରେ ବହୁତ ସୁଧାର ଆସିଛି ।

 ୩) ପାକ ଅଧିକୃତ କାଶ୍ମୀରରେ ସମ୍ପତ୍ତି

ପାକ ଅଧିକୃତ କାଶ୍ମୀରରେ  ଜମି ମୁଖ୍ୟତଃ କୃଷି ଏବଂ ଜଙ୍ଗଲ ପାଇଁ ବ୍ୟବହୃତ ହୋଇଥାଏ । ଏଠାରେ ସହରୀକରଣ ସୀମିତ। ସମ୍ପତ୍ତିର ମୂଲ୍ୟ ବି କମ୍ ଓ ବଜାର ଅସ୍ଥିର। ଗୃହ ସ୍ଥିତି ମଧ୍ୟମଧରଣର ।  ବିଦ୍ୟୁତ, ପାଣି, ରାସ୍ତା ପରି ମୌଳିକ ସୁବିଧା ମଧ୍ୟ ଏଠାରେ ନାହିଁ ।   ଗ୍ରାମାଞ୍ଚଳରେ ଅଧିକାଂଶ ଘର ସାଧାରଣ।

ଭାରତ ଅନୁଶାସିତ ଜମ୍ମୁକାଶ୍ମୀରର ସମ୍ପତ୍ତି

ଜମ୍ମୁକାଶ୍ମୀରର ସହରାଞ୍ଚଳରେ ସମ୍ପତ୍ତିର ମୂଲ୍ୟ ଯଥେଷ୍ଟ ଅଧିକ । ଗ୍ରାମୀଣ ଅଞ୍ଚଳରେ ଜମି ମୂଲ୍ୟ ଶସ୍ତା । ହେଲେ କ୍ଷେତବାଡି ଏବଂ କୃଷି ପାଇଁ ଜମି ମୂଲ୍ୟବାନ । ମୌଳିକ ଭିତ୍ତିଭୂମି କଥା କହିବାକୁ ଗଲେ PoK ତୁଳନାରେ ଜମ୍ମୁକାଶ୍ମୀରର ସ୍ଥିତି ବହୁତ ଭଲ । ଧାରା ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ ବଜାର ନିବେଶ ବୃଦ୍ଧି ପାଇଛି ।

୪) ପାକ ଅଧିକୃତ କାଶ୍ମୀରରେ ଜୀବନଶୈଳୀ

ପାକ ଅଧିକୃତ କାଶ୍ମୀରରେ ଜୀବନଶୈଳୀ ନିମ୍ନ ସ୍ତରର । ସ୍ୱାସ୍ଥ୍ୟ, ବିଜୁଳି, ପରିବହନ ପରି ମୌଳିକ ସୁବିଧା ଏଠାରେ ବହୁତ କମ । ଖରାପ ଆର୍ଥିକସ୍ଥିତି ଯୋଗୁ ଏମାନଙ୍କର ଜୀବନଶୈଳୀ ଅତି ସାଧାରଣ । ଏଠାରେ କେବଳ ୨୩ଟି ସରକାରୀ ଡାକ୍ତରଖାନା ରହିଛି । ଅନ୍ତରାଷ୍ଟ୍ରୀୟ ସହାୟତା ଆର୍ଥିକ  ସ୍ଥିତିରେ କିଛି ସୁଧାର ଆଣିଥିଲା । ହେଲେ ତାହା ଯଥେଷ୍ଟ ନୁହେଁ । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସୀମିତ । କ୍ରିକେଟ ଏଠାରେ ଲୋକପ୍ରିୟ ଖେଳ ଏବଂ ମୁଜାଫରାବାଦ, ନ୍ୟୁ ମୀରପୁରରେ ଷ୍ଟାଡିୟମ ରହିଛି । ଏଠାର ମିଡିଆ ବ୍ଲାକ ଆଉଟ ଏବଂ ସରକାରୀ ନିୟନ୍ତ୍ରଣ ଯୋଗୁ ସାମାଜିକ ସ୍ୱାଧୀନତା ଯଥେଷ୍ଟ କମ । ଏଠାରେ ମାନବାଧିକାର ଉଲଂଘନ ଏବଂ ପାକିସ୍ତାନୀ ସେନାର ଦଖଲ ଥିବା ପରି ଅଭିଯୋଗମାନ ଆସେ  । ସ୍ଥାନୀୟ ଲୋକେ ଅଧିକାଂଶ ସମୟରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇ ଆସିଥାନ୍ତି । ଏମାନେ ପାକିସ୍ତାନଠାରୁ ଅଲଗା ହୋଇ ଭାରତ ସହ ମିଶିବାକୁ ଚାହୁଁଛନ୍ତି

ଭାରତ ଅନୁଶାସିତ କାଶ୍ମୀରରେ ସମ୍ପତ୍ତି

ଜମ୍ମୁକାଶ୍ମୀରରେ ସାମାଜିକ ଜୀବନଶୈଳୀ ଭାରତ ତୁଳନାରେ ଯଥେଷ୍ଟ  ଭଲ । ବିଶେଷ କରି ସହରାଞ୍ଚଳରେ  ।ଏଠାରେ ପର୍ଯ୍ୟଟନ, ବ୍ୟବସାୟ ଲୋକଙ୍କ ଜୀବନଶୈଳୀକୁ ସମୃଦ୍ଧ କରିଛି । ଜମ୍ମୁକାଶ୍ମୀରରେ ୨,୮୦୦ରୁ ଅଧିକ ସରକାରୀ ଡାକ୍ତରଖାନା ରହିଛି ଯାହା ପିଓକେ ତୁଳନାରେ ବହୁତ ଅଧିକ । AIIMS ପରି ସଂସ୍ଥା ସ୍ୱାସ୍ଥ୍ୟ ସେବାରେ ଯଥେଷ୍ଟ ପରିବର୍ତ୍ତିନ ଆଣିଛି  । ଜାମ୍ମୁ କାଶ୍ମୀରରେ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ (କାଶ୍ମୀରୀ, ଡୋଗରା, ଲଦାଖୀ) ଏବଂ ଧାର୍ମିକ ବିବିଧତା ରହିଛି  । ତେବେ ବୈଷ୍ଣୋ ଦେବୀ, ଅମରନାଥ, ଗୁଲମାର୍ଗ ପରି ପର୍ଯ୍ୟଟନ ସ୍ଥଳ  ଜୀବନଶୈଳୀକୁ ସତେଜ ରଖିଛି। ଧାରା ୩୭୦ ହଟିବା ପରେ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆସିଛି, କିନ୍ତୁ କିଛି ଅଞ୍ଚଳରେ ଏବେ ବି ଆତଙ୍କବାଦୀ କାର୍ଯ୍ୟକଳାପ ଓ ତତଜ୍ଜନିତ ଉତ୍ତେଜନା ଲାଗି ରହିଛି  । 

ଯାହା ବି ହେଉ, ପିଓକେରେ ପାକିସ୍ତାନ ସରକାରର ଦୃଢ଼ ନିୟନ୍ତ୍ରଣ, ସୀମିତ ସମ୍ବଳ ଏବଂ ଅନ୍ତର୍ଜାତୀୟ ବିଚ୍ଛିନ୍ନତା ଏହାର ବିକାଶକୁ ବାଧା ଦେଇଥିବାବେଳେ ଭାରତ ସରକାରଙ୍କ ଜାମ୍ମୁ କାଶ୍ମୀରରେ ନିବେଶ, ପର୍ଯ୍ୟଟନ ଏବଂ ନୀତିଗତ ସଂସ୍କାର ଏହାକୁ ଅଧିକ ସମୃଦ୍ଧ କରି ପାରିଛି ।

LoC Pakistan Kashmir Destruction
Advertisment
Advertisment