• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମାତ୍ର ୪ ବର୍ଷରେ ଏଭରେଷ୍ଟ ବେସ କ୍ୟାମ୍ପ ଟ୍ରେକିଂ

  • ଏସିଆର ସର୍ବକନିଷ୍ଠ ପର୍ବତାରୋହୀ

ନୂଆଦିଲ୍ଲୀ: ମା’ର ଇଚ୍ଛାକୁ ପୂରଣ କଲା ଚାରି ବର୍ଷର କୁନି ପୁଅ । ବିଶ୍ୱର ଉଚ୍ଚତମ ଶୃଙ୍ଘ ଏଭରେଷ୍ଟର ବେସ କ୍ୟାମ୍ପ ପର୍ଯ୍ୟନ୍ତ ପଦଯାତ୍ରା କରି ରେକର୍ଡ ସୃଷ୍ଟି କରିଛି ଏହି  ଶିଶୁ । ବର୍ତ୍ତମାନ ସେ ଏସିଆର ସବୁଠାରୁ କନିଷ୍ଠ ପର୍ବତାରୋହୀ ଭାବେ ରେକର୍ଡ ହାସଲ କରିଛି । ତେବେ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଯେ ମାତ୍ର ୪ ବର୍ଷର ଶିଶୁ କିପରି ଏଭରେଷ୍ଟ ଭଳି ପାହାଡରେ ଚଢିଲା । ଆସନ୍ତୁ ଜାଣିବା କିପରି ପିଲାଟି ଏହି ମାଇଲଖୁଣ୍ଟକୁ ସିଦ୍ଧ କରିବାରେ ସଫଳ ହୋଇଛି ।

ଗତ ୧୦ ବର୍ଷ ଧରି ଶ୍ୱେତା ଗୋଲେଚା ନାମକ ଜଣେ ପର୍ବତାରୋହୀ ବଡ ବଡ ପାହାଡରେ ଟ୍ରେକିଂ କରି ଆସୁଛନ୍ତି । ତେବେ ଶ୍ୱେତା ଯେତେବେଳେ ୨୦୧୭ ରେ ଗର୍ଭବତୀ ହୋଇଥିଲେ, ସେ ସମୟରେ ସ୍ଥିର କରିଥିଲେ ଯେ ତାଙ୍କ ସନ୍ତାନ ଏଭରେଷ୍ଟ ପାହାଡ ଚଢି ଏସିଆର କନିଷ୍ଠ ପର୍ବତାରୋହୀ ଭାବରେ ଖ୍ୟାତି ଲାଭ କରିବ । ତେବେ ସେ ଦେଖିଥିବା ସ୍ୱପ୍ନ ଏବେ ସତ ସାବ୍ୟସ୍ତ ହୋଇଛି । ତାଙ୍କ ପୁଅ ଆଡଭିଟ୍ ମାତ୍ର ୪ ବର୍ଷ ବୟସରେ ଏହି ରେକର୍ଡ ହାସଲ କରିଛି ।

ଆଡଭିଟ୍‌ଙ୍କୁ ଏବେ ଚାରି ବର୍ଷ ଏକ ମାସ ଚାଲିଛି । ସେ ତାଙ୍କ ମା ଓ ମାମୁଁ ସୌରଭ ସୁଖାନୀଙ୍କ ସହ ଅକ୍ଟୋବର ୨୮ ରେ ପାହାଡ ଚଢିବା ଆରମ୍ଭ କରିଥିଲେ । ନଭେମ୍ବର ୬ ସୁଦ୍ଧା ସେ ୫,୩୬୪ ମିଟର ଉଚ୍ଚତା ଯାଏଁ ପହଞ୍ଚି ସାରିଥିଲେ । ଆଡଭିଟ୍‌ଙ୍କ ସହ ଚାଲୁଥିବା ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଥିଲେ କି ଏତେ କମ୍ ବୟସର ପିଲା କିପରି ଏତେ ବାଟ ଚାଲିବ । ତେବେ ତାଙ୍କ ମା ଶ୍ୱେତା ଗୁଲେଚା କହିଥିଲେ ଯେ, ଆଡଭିଟ୍‌ଙ୍କୁ ସେ ଖୁବ୍‌ କମ୍ ବୟସରେ ପାହାଡ ଚଢିବା ଓ ବାୟୁ ଚାପ ନିୟନ୍ତ୍ରଣ କରିବା ନେଇ ତାଲିମ୍ ଦେଇଥିଲେ ।

ଶ୍ୱେତା କହିଛନ୍ତି ଯେ ଏଭରେଷ୍ଟ ଟ୍ରେକିଂର ଶେଷ ଆଡକୁ ଆଡଭିଟ୍‌ଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ତାର ନିଷ୍ଠା ଓ ଆଗ୍ରହ କାରଣରୁ ସେ ଏଭରେଷ୍ଟ ବେସ୍ କ୍ୟାମ୍ପ ଯାଏଁ ପହଞ୍ଚିବାରେ ସଫଳ ହୋଇ ପାଇଥିଲେ ଏବଂ ଆଡଭିଟ୍ ଏନେଇ ବହୁତ ଖୁସି ମଧ୍ୟ ହୋଇଥିଲେ । ଆଡଭିଟ୍‌ର ପ୍ରାରମ୍ଭିକ ତାଲିମରେ ପରିବାର ଲୋକେ ତାକୁ ଆବୁଧାବିର ଏକ ୧୫ ତାଲା ଫ୍ଲାଟ ଚଢାଇଥିଲେ । ପିଲାବେଳୁ ଆଡଭିଟ୍‌ଙ୍କୁ ଲିଫ୍ଟ ପରିବର୍ତ୍ତେ ସିଢିରେ ଚଲାଯାଉଥିଲା ।

ଶେଷରେ ଶ୍ୱେତା କହିଛନ୍ତି ଯେ ଆଡଭିଟ୍‌ଙ୍କ ଏହି ରେକର୍ଡ ନେଇ ସେ ଏଯାଏଁ ଆଶ୍ଚର୍ଯ୍ୟ ରହିଛନ୍ତି । ସେ କହିଛନ୍ତି ଯେ ଏହି ରେକର୍ଡ ହାସଲରେ ଆଡଭିଟ୍‌ଙ୍କ ପିତା ଗୌରଭଙ୍କର ମୁଖ୍ୟ ଭୂମିକା ରହିଛି । ତେବେ ଆଡଭିଟ୍ ଆଗକୁ ମଧ୍ୟ ଅନେକ ରେକର୍ଡ ହାସଲ କରିବ ବୋଲି ତାଙ୍କ ମା ଶ୍ୱେତା ଗୁଲେଚା କହିଛନ୍ତି ।