• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଟ୍ରିକ୍‌ରେ ଟପ୍ପର ହେଲେ ଏସିଡ୍‌ ପୀଡିତା । ଦଶମ ପରୀକ୍ଷାରେ ପ୍ରାୟ ୯୫ ଦଶମିକ ୨ ପ୍ରତିଶତ ନମ୍ବର ରଖି ହେଲେ କୃତକାର୍ଯ୍ୟ । ଏହି ଖବର ଜଣାପଡିବା ପରେ ପୂରା ଦେଶରେ ତାଙ୍କୁ ନେଇ ବଢିଛି ଚର୍ଚ୍ଚା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଜଣକ ଚଣ୍ଡୀଗଡର। ତାଙ୍କ ନାଁ କାଫି। ବୟସ ୧୫ ବୋଲି ଜଣାପଡିଛି ।

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଅକ୍ଷରେ ଅକ୍ଷରେ ଶତ ପ୍ରମାଣିତ କରିଛନ୍ତି କାଫି । ତାଙ୍କ ବାପା ସଚ୍ଚିବାଳୟରେ ପିଅନ ଭାବରେ କାମ କରୁଥିବା ବେଳେ ପରିବାରର ଆର୍ଥିକ ଅବସ୍ଥା ବି ଏତେଟା ଭଲ ନୁହେଁ । ହେଲେ କେବେ ହାର୍‌ ମାନିନଥିଲେ କାଫି । ଦିନରାତି ପରିଶ୍ରମ କରି ପଢୁଥିଲେ ଆଉ ଆଜି ସଫଳତା ପାଇଲେ ।

କାଫିଙ୍କ ସଂଘର୍ଷର କାହାଣୀ ଜାଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । କୌଣସି କାରଣରୁ କାଫିଙ୍କ ପଡିଶା ଘର ସହ ତାଙ୍କର ବିବାଦ ଥିଲା । ଯାହାର ଫଳ କାଫିଙ୍କୁ ଭୋଗିବାକୁ ପଡିଥିଲା । ଅର୍ଥାତ୍‌ ତାଙ୍କ ଉପରେ ଏସିଡ ଢାଳି ଦେଇଥିଲେ ପଡିଶା ଘର ଲୋକ । ଏସିଡ୍‌ ଆକ୍ରମଣରେ କାଫିଙ୍କ ମୁଣ୍ଡ ଓ କାନରେ ଆଘାତ ଲାଗିଥିବା ବେଳେ ଆଖି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା ।

ସ୍ଥିତି ଏମିତି ହୋଇଥିଲା ଯେ ୬ ବର୍ଷ ପର୍ଯ୍ୟନ୍ତ ମେଡିକାଲରେ ରହି ଚିକିତ୍ସା ହେଲେ କାଫି। ଝିଅର ଏମିତି ଅବସ୍ଥାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ । ହେଲେ କିଛି ଲାଭ ମିଳିନଥିଲା । ତେଣୁ ଝିଅ କେମିତି ପାଠ ପଢିବ ସେନେଇ ଚେଷ୍ଟା କରିଥିଲେ ପରିବାର ଲୋକେ । ତେଣୁ ବ୍ଲାଇଣ୍ଡ ସ୍କୁଲରେ ଝିଅର ଆଡମିଶନ କଲେ ଆଉ ତାକୁ ପାଠ ବି ପଢାଇଲେ । ଆଉ ନିଜସ୍ୱ ଉଦ୍ୟମରେ ଝିଅ ପାଠ ପଢିଲା, ଟପ୍ପର ହେଲା ।

ତେବେ ଟପ୍ପର ହେବା ପରେ କାଫି କହିଛନ୍ତି, ମୋତେ ଭୂଗୋଳ ବହୁତ ପସନ୍ଦ । ମୁଁ ଆଇଏଏସ୍‌ ହେବାକୁ ଇଚ୍ଛା ରଖିଛି । ପାଠ ପଢାରେ ବାପା-ମାଆ ମୋତେ ବହୁତ ସାହାଯ୍ୟ କରିଛନ୍ତି । ସେମାନଙ୍କ ବିନା ଏତେ ବଡ଼ ସଫଳତା କେବେ ସମ୍ଭବ ନଥିଲା ।

ଆମେ ଅନେକ ସମୟରେ ଦେଖିଛନ୍ତି, ପିଲାଙ୍କୁ ପାଠ ପଢାର ସୁଯୋଗ ଥିବା ପରେ ବି ସେମାନେ ପାଠ ପଢନ୍ତି ନାହିଁ । ହେଲେ ଇଏ ଏମିତି ଜଣେ ଛାତ୍ରୀ, ଆଖିକି ଦିଶୁନାହିଁ ହେଲେ ସେ ହାର ମାନିନାହାନ୍ତି । ବରଂ ଲଢେଇ କରିଛନ୍ତି ଆଉ ବିଜୟୀ ବି ହୋଇଛନ୍ତି ।