ଏକଜାଟ୍ ହେଲା ଏକଜିଟ୍ ପୋଲ୍। ଦିଲ୍ଲୀରେ କମଲର କମାଲ୍। ଆପ୍ ସଫା। ପଦ୍ମ ଝଡ଼ରେ ଉଡ଼ିଗଲା ଝାଡୁ। କଂଗ୍ରେସର ଖାତା ଶୂନ୍। ଦୀର୍ଘ ୨୭ ବର୍ଷ ପରେ ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି।
ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଆରମ୍ଭରୁ ଆଗୁଆ ଚାଲିଥିଲା ପଦ୍ମ ଦଳ। ସମୟ ଗଡ଼ିବା ସହିତ ଟଳୁଥିଲେ ଆପ୍ର ଜଣକ ପରେ ଜଣେ ଦିଗ୍ଜ ନେତା। ମଧ୍ୟାହ୍ନ ୧୨ଟା ବେଳକୁ ଆପକୁ ଲାଗିଥିଲା ସବୁଠୁ ଶକ୍ତ ଝଟକା। ନୂଆଦିଲ୍ଲୀ ଆସନରୁ ହାରି ଯାଇଥିଲେ ନିଜେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ବିଜେପିର ପରବେଶ ବର୍ମା ତାଙ୍କୁ ୪ ହଜାର ୮୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
Also Read
ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଜଙ୍ଗପୁରା ଆସନରେ ସିସୋଦିଆଙ୍କୁ ହରାଇଛନ୍ତି ବିଜେପି ଯୋଦ୍ଧା ତରବିନ୍ଦର ସିଂ ମାରୱା। ଆପ୍ର ଅନ୍ୟତମ ପ୍ରମୁଖ ଚେହେରା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସକୁର୍ ବସ୍ତି ଆସନରୁ ହାରି ଯାଇଛନ୍ତି। ସେହିପରି ସୋମନାଥ ଭାରତୀ ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ବଡ଼ ଚେହେରା ଭାବେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା କାଲକାଜି ଆସନରେ କଡ଼ା ଟକ୍କର ସାମ୍ନା କରି ବିଜୟୀ ହୋଇଥିବା ବେଳେ ବବରପୁରରୁ ଜିତିଛନ୍ତି ଗୋପାଳ ରାୟ। କେଜ୍ରିୱାଲଙ୍କୁ ଧୂଳି ଚଟାଇଥିବା ପରବେଶ ବର୍ମା ଦିଲ୍ଲୀ ବିଜୟର ଶ୍ରେୟ କାର୍ଯ୍ୟକର୍ତ୍ତାଙ୍କଠୁ ଆରମ୍ଭ କରି ପିଏମ୍ ନରେନ୍ଦ୍ର ମୋଦି ଓ ପାର୍ଟି ସଭାପତି ଜେ.ପି. ନଡ୍ଡାଙ୍କୁ ଦେଇଛନ୍ତି।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଜୟ ପରେ ସୋସିଆଲ ମିଡିଆ ‘ଏକ୍ସ’ରେ ଲୋକଙ୍କ ଶକ୍ତି ସର୍ବୋପରି ଶ୍ରେଷ୍ଠ ବୋଲି ଲେଖିଛନ୍ତି। ତା’ସହ ବିକାଶ ଜିତିଲା ଓ ସୁଶାସନ ଜିତିଲା ବୋଲି ଲେଖିବା ସହିତ ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ ଓ ଜୀବନଧାରଣ ମାନ ଉଚ୍ଚ କରିବୁ ବୋଲି ଦର୍ଶାଇଛନ୍ତି। ବିକଶିତ ଭାରତ ଗଠନରେ ଦିଲ୍ଲୀର ଭୂମିକା ଗୁରତ୍ୱପୂର୍ଣ୍ଣ ଓ ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତାଙ୍କ ପାଇଁ ସେ ଗର୍ବିତ ବୋଲି ଦର୍ଶାଇଛନ୍ତି। ଦିଲ୍ଲୀ ରାୟ ପରେ ଜନତାଙ୍କ ଫୈସଲାକୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ସ୍ୱୀକାର କରିବା ସହ ବିଜୟ ପାଇଁ ବିଜେପିକୁ ଶୁଭେଚ୍ଛା ଜଣାଇଛନ୍ତି।
ରେଜଲ୍ଟ ପରେ ବିଜେପିର ବିଜୟ ଉତ୍ସବ। ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟ ଆଗରେ ବାଣ ଫୁଟାଇ, ବାଜା ବଜାଇ ନାଚଗୀତରେ ମସଗୁଲ୍ ନେତା ଓ କର୍ମୀ। ଦୀର୍ଘ ୨୭ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ଦଖଲ କରିଛି ଦଳ। ଦିଲ୍ଲୀ ବିଜୟ ପାଇଁ ଦଳର ନେତାମାନେ ପ୍ରଧାନମନ୍ତ୍ରୀଙ୍କଠୁ ପାର୍ଟି ଅଧ୍ୟକ୍ଷ ଓ ନିର୍ବାଚନ ପ୍ରଭାରୀଙ୍କୁ ଧନ୍ୟବାଦ ଦେବା ସହ ଦିଲ୍ଲୀରେ ଏକ କୁ-ଶାସନ ଯୁଗର ଅନ୍ତ ହେଲା ବୋଲି କହିଛନ୍ତି।
ସେପଟେ ମୋଦିଙ୍କ ଗ୍ୟାରେଣ୍ଟିରୁ ସଫଳତା ମିଳିଲା ବୋଲି ନିଜ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ଦିଲ୍ଲୀ ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଛନ୍ତି, ଆମର ଲକ୍ଷ ଲକ୍ଷ କର୍ମକର୍ତ୍ତା ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ମାର୍ଗଦର୍ଶନ ପ୍ରସ୍ତୁତ କରିଥିଲେ। ୧୨ ବର୍ଷ ଧରି ଚାଲିଥିବା ଭ୍ରଷ୍ଟାଚାରକୁ ବଦଳାଇବାକୁ ଲୋକେ ଚାହୁଁଥିଲେ। ୨୭ ବର୍ଷ ପରେ ବିଜେପି କ୍ଷମତାକୁ ଫେରିବା ଐତିହାସିକ ବୋଲି ଦର୍ଶାଇଛନ୍ତି ବୈଜୟନ୍ତ।
୧୯୯୮ ମସିହାରୁ ଦିଲ୍ଲୀରେ ଆଉ ପଦ୍ମ ଫୁଟି ନଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୧୫ବର୍ଷ କ୍ଷମତାରେ ଥିଲା। ତମାମ ବିବାଦ ଓ ଚ୍ୟାଲେଞ୍ଜ ମଧ୍ୟରେ ଏହାପରେ ଅପ୍ରତ୍ୟାଶିତ ଭାବେ ଦିଲ୍ଲୀ ଗାଦିକୁ ଜିତିଥିଲା ଆପ୍। ଏବେ ଆପକୁ ସଫା କରି ଶାସନ ଗାଦିକୁ ଫେରିଛି ବିଜେପି।