/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736315470.jpg)
assam coal mines
ଆସାମର ଏକ କୋଇଲା ଖଣିରେ ଅଚାନକ ଜଳସ୍ତର ୧୦୦ ଫୁଟ ବଢି ଯାଇଥିଲା। ଫଳରେ ୯ ଜଣ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବା ଜଣାପଡିଛି। ଭାରତୀୟ ନୌସେନାର ଡାଇଭର ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟ ୮ ଶ୍ରମିକଙ୍କ ପତା ମିଳି ପାରି ନାହିଁ। ଆସାମର ଦିମା ହାସାଓ ଜିଲ୍ଲାରେ ଥିବା ଏକ କୋଇଲା ଖଣିରେ ଏଭଳି ଅଘଟଣ ଘଟିଥିଲା। ସୋମବାର ସନ୍ଧ୍ୟାରୁ ଖଣି ମଧ୍ୟରେ ପାଣି ବଢିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଧିକାରୀଙ୍କ ମତରେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇ ୧୦୦ ଫୁଟରେ ପହଞ୍ଚି ସାରିଲାଣି।
ଏନଡିଆରଏଫର ୩୦ ଜଣିଆ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ବିଶାଖାପାଟଣାରୁ ଭାରତୀୟ ନୌସେନାର ଡାଇଭର ମାନେ ଯାଇ ସୁରକ୍ଷା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ସହିତ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମର ୮ ଜଣ ସଦସ୍ୟ ଏଥିରେ ସାମିଲ ଅଛନ୍ତି।
ଏହା ସହ ଏହି କୋଇଲା ଖଣି ବେଆଇନ ଭାବରେ ଚାଲୁଥିବା ନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମ। ମାଇନ୍ସ ଓ ମିନେରାଲ୍ସ ଆକ୍ଟ ୧୯୫୭ ଅନୁସାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବେଆଇନ ଖଣି ଚଲାଉଥିବା ମାମଲାରେ ପୁନିଶ ନୁନିଶା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ; ଉଠୁଛି ପଡ଼ୁଛି ଭୁବନେଶ୍ୱର
ଖଣି ମଧ୍ୟରେ ଜଳସ୍ତର ବଢି ଯାଇଥିବା ବେଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ସେନା ଓ ଆସାମ ରାଇଫଲ୍ସର ଯବାନ ଓ ସ୍ଥାନୀୟ ଅଧିକାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ମେଡିକାଲ ଟିମ ଓ ଡାଇଭର ମାନଙ୍କୁ ସାମିଲ କରାଯାଇଥିଲା। ଭାରତୀୟ ସେନା ଓ ଆସାମ ରାଇଫଲ୍ସର ଡାଇଭର ଓ ଇଞ୍ଜିନିୟର ମାନଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଦୁଇଟି ମୋଟର ପମ୍ପ ଜରିଆରେ ଜଳ ନିସ୍କାସନ ଜାରି ରହିଥିବା ଜଣାପଡିଛି।
୩୦-୩୫ ଜଣ ଶ୍ରମିକ ବାହାରିବାରେ ସମର୍ଥ ହୋଇଥିବା ବେଳେ ଅନ୍ୟ ମାନେ ଫସି ଯାଇଥିଲେ। ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଖଣି ମାଲିକଙ୍କ ଭାଇ ମଧ୍ୟ ସାମିଲ ଅଛନ୍ତି। ଫସି ରହିଥିବା ଶ୍ରମିକ ମାନେ ହେଉଛନ୍ତି ଗଙ୍ଗା ବାହାଦୂର ଶ୍ରେଷ୍ଠ, ହୁସେନ ଅଲୀ, ଜାକିର ହୁସେନ, ସରପା ବର୍ମନ, ମୁସ୍ତାଫା ଶେଖ, ଖୁସି ମୋହନ ରାୟ, ସଞ୍ଜିତ ସରକାର, ଲିଜନ ମଗର ଓ ଶରତ ଗୋୟାରି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଜଳସ୍ତର ବୃଦ୍ଧି ପାଇବା ନେଇ କୌଣସି ଆଗୁଆ ସୂଚନା ଉପଲବ୍ଧ ନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)