• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଋଣ ଆଣିଥିଲା ପରିବାର । ଶୁଝି ନପାରିବାରୁ ଘର ନିଲାମ କଲା ବ୍ୟାଙ୍କ । ଆଉ ଏହି ଘଟଣାକୁ ନେଇ ବିଧାନସଭା ଆଗରେ ଚାଲିଲା ହାଇଡ୍ରାମା । ଗୋଟିଏ ପରିବାରର ଛୋଟବଡ଼ ମିଶି ୮ଜଣ କିରୋସିନି ଢାଳିହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟ ବଶତଃ ପୋଲିସ ସେମାନଙ୍କୁ ଅଳ୍ପକେ ବଞ୍ଚାଇ ଦେଇଛି ।

ଆଜି କର୍ଣ୍ଣାଟକ ବିଧାନସଭା ଆଗରେ ଏପରି ଘଟଣା ଘଟିଛି । ଗୋଟିଏ ପରିବାରର ୮ ଜଣ ସଦସ୍ୟ ଆତ୍ମାହୂତି ଉଦ୍ୟମ କରିଛନ୍ତି । ମହିଳା ଓ ଶିଶୁଙ୍କ ସମେତ ପରିବାରର ସଦସ୍ୟମାନେ କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।

ଏପରି କରିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ପୋଲିସର କହିବା ଅନୁସାରେ ଋଣ ଫେରସ୍ତ ନକରିବାରୁ ବ୍ୟାଙ୍କ ସେମାନଙ୍କ ଘର ନିଲାମ କରିଥିଲା । ତେଣୁ ସେମାନେ ଏଥିରେ ଅସନ୍ତୋଷ ହୋଇ ଏପରି କାର୍ଯ୍ୟ କରିଛନ୍ତି ।

ପରିବାରର କହିବା ଅନୁସାରେ ସେମାନେ ଅଦା ଚାଷ କରି ବ୍ୟବସାୟ ଆରମ୍ଭ କରିଥିଲେ । ୨୦୧୬ରେ ଏଥିପାଇଁ ବେଙ୍ଗାଲୁରୁ ସିଟି କୋଅପରେଟିଭ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ହେଲେ ବ୍ୟବସାୟରେ ବହୁ କ୍ଷତି ହେବାରୁ ଋଣ ଶୁଝିବାରେ କଷ୍ଟ ହୋଇଥିଲା ।

ପରେ ପରେ ଏ ସମ୍ପର୍କରେ ପରିବାର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଋଣର ସୁଧକୁ କମ୍‌ କରିବାକୁ ନିବେଦନ କରିଥିଲେ । ଋଣ ସୁଧ କମ୍‌ କରିବାକୁ ମନ୍ତ୍ରୀ କଥା ଦେଇଥିଲେ ବି ବ୍ୟାଙ୍କ ପୂର୍ବପରି ଅଧିକ ସୁଧ ଲାଗୁ କରୁଥିଲା । ତେଣୁ ସେମାନେ ଋଣ ପରିଶୋଧ କରିବାରେ ବିଫଳ ହେବାରୁ ବ୍ୟାଙ୍କ ତାଙ୍କ ଘର ନିଲାମ କରିଛି । ଫଳରେ ଏପରି ଏକ ଚରମ ନିଷ୍ପତ୍ତି ସେମାନେ ନେଇଛନ୍ତି ।

ପରିବାରର ଜଣେ ମହିଳା ସଦସ୍ୟ କହିଛନ୍ତି, ମୁଁ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭିକ୍ଷା ମାଗିବାକୁ ଆସିଛି । ଆମେ ରାସ୍ତାରେ ଅଛୁ । ମୋ ପିଲାକୁ ଖାଇବାକୁ ଦେବା ପାଇଁ ମୋ ପାଖରେ ଟଙ୍କା ନାହିଁ । ମନ୍ତ୍ରୀ ଆମକୁ କଥା ଦେଇଥିଲେ ହେଲେ ପ୍ରତିଶ୍ରୁତି ରଖିଲେନି । ତେଣୁ ଆମ ପାଇଁ ଆତ୍ମହତ୍ୟା ଏକମାତ୍ର ବାଟ ।