Advertisment

ଭୋଟରଙ୍କ ପାଇଁ ପ୍ରେରଣା: ଅକ୍ସିଜେନ୍ ସପୋର୍ଟରେ ଥାଇ ଭୋଟ୍ ଦେଲେ ମହିଳା

ଡାକ୍ତରୀ ଦଳର ସହାୟତାରେ ତାଙ୍କୁ ଜୟନଗର ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ସେ ଏକ ଷ୍ଟ୍ରେଚରରେ ଭୋଟ୍ ଦେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
oxygen support, casts vote

oxygen support, casts vote

ଭୋଟ୍ ଦେବା ଆମର ଅଧିକାର। ତେବେ କିଛି ଲୋକ ଭୋଟ୍ ଦେଇ ନଥାନ୍ତି। କାମ ଚାପ ହେଉକି ଅବହେଳାରୁ ସେମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରନ୍ତିନି। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବୃଦ୍ଧା ଯିଏକି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ସେ ଭୋଟ୍ ଦେବାକୁ ବୁଥରେ ଯାଇ ପହଞ୍ଚିଥିଲେ ଓ ଭୋଟ୍ ମଧ୍ୟ ଦେଇଥିଲେ।

Advertisment

କର୍ଣ୍ଣାଟକର ଏହି ଘଟଣା ଆପଣଙ୍କୁ ବି ଭୋଟ୍ ଦେବା ପାଇଁ ପ୍ରେରଣା ଯୋଗାଇବ। ଏପ୍ରିଲ ୨୩ରେ ଜଣେ ୭୮ବର୍ଷୀୟା ବୃଦ୍ଧା ନିମୋନିଆରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଶୁକ୍ରବାର ସେ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି। ସୂଚନା ଅନୁଯାୟୀ, କାଶ ହେବା ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସୁବିଧା ଅନୁଭବ କରିଥିଲେ। ଥକାପଣ ଅନୁଭବ କରିବା ପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲ ଜୟନଗର ନିଆଯାଇଥିଲା।

ତାଙ୍କର ଡାକ୍ତରୀ ପରୀକ୍ଷା ପରେ ତାଙ୍କର ଅମ୍ଳଜାନସ୍ତର ୮୦ ପ୍ରତିଶତକୁ ଖସିଆସିଥିଲା। ପରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ତେବେ ଏପରି ଗୁରୁତର ଅବସ୍ଥା ସତ୍ତ୍ୱେ ବୟସ୍କା ମହିଳା ଭୋଟ୍ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଡାକ୍ତରୀ ଦଳର ସହାୟତାରେ ତାଙ୍କୁ ଜୟନଗର ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ସେ ଏକ ଷ୍ଟ୍ରେଚରରେ ଭୋଟ୍ ଦେଇଥିଲେ।

Advertisment

ଏଭଳି ଅବସ୍ଥାରେ ଭୋଟ୍ ଦେବାକୁ ଯିବା କିଛି ବି ଅଘଟଣକୁ ଆମନ୍ତ୍ରଣ କରିପାରେ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ନିଜର ମତଦାନ ଅଧିକାରକୁ ସାବ୍ୟସ୍ତ କରିବାକୁ ଏଇ ବୁଢ଼ୀ ମାଉସୀ ଜଣଙ୍କ ଏତେ ବ୍ୟାକୁଳ ଥିଲେଯେ, କାହା କଥା ଶୁଣି ନଥିଲେ। ଶେଷରେ ମାଉସୀଙ୍କ ଜିଦ୍ ଆଗରେ ସମସ୍ତେ ହାର୍ ମାନିଥିଲେ ଏବଂ ତାଙ୍କୁ ମତଦାନ କେନ୍ଦ୍ରକୁ ନବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

ତେବେ ପ୍ରବଳ ଗରମ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ତଥ୍ୟ ଅନୁଯାୟୀ, ମତଦାନ ଦିନ ବେଙ୍ଗାଲୁରୁରେ ସର୍ବାଧିକ ତାପମାତ୍ରା ୩୬.୪ ରୁ ୩୮.୪ ଡିଗ୍ରୀ ସେଲସିୟସ ମଧ୍ୟରେ ଥିଲା। ସାରା ରାଜ୍ୟରେ ମତଦାନ କେନ୍ଦ୍ରରେ ଲମ୍ବା ଧାଡି ଦେଖାଯାଇଥିଲା। ତେବେ ମହିଳାଜଣକ ଏହି ଗରମ ଓ ଅସୁସ୍ଥତାକୁ ଖାତିର ନକରି ଭୋଟ୍ ଦେଇଥିଲେ।

ସତ କହିବାକୁ ଗଲେ, ଯେଉଁମାନେ ପୂରା ସୁସ୍ଥ ଥାଇ ବି ଅବହେଳା କାରଣରୁ ଭୋଟ୍ ଦେବାକୁ ଯାଉନାହାଁନ୍ତି, ସେମାନଙ୍କ ପାଇଁ ଏହା ଉଚିତ୍ ଶିକ୍ଷା ବୋଲି କୁହାଯାଉଛି। ମାଉସୀଙ୍କ ଏଭଳି ମହାନ୍ କାମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। 

General Elections 2024
Advertisment
Advertisment