/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692074883.jpg)
Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତା’ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ସ୍ୱାଧୀନତା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା । ଆସନ୍ତୁ ସମସ୍ତେ ମିଶି ଏହି ଐତିହାସିକ ଦିବସ ଅବସରରେ ଅମୃତକାଳରେ ବିକଶିତ ଭାରତର ସଂକଳ୍ପକୁ ଅଧିକ ସଶକ୍ତ କରିବା... ଜୟ ହିନ୍ଦ! '
ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି, ମୋର ପ୍ରିୟ ୧୪୦ କୋଟି ପରିବାରଜନ, ଆମର ଲୋକତନ୍ତ୍ର ବିଶ୍ୱରେ ସବୁଠୁ ବଡ଼। ଆଜାଦିରେ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ସମ୍ମାନ ଜଣାଉଛି ।
ଦେଶରେ ସୁଯୋଗର ଅଭାବ ନାହିଁ ପ୍ରଧାନମନ୍ତ୍ରୀ
ମୋଦି କହିଛନ୍ତି ଦେଶରେ ସୁଯୋଗର ଅଭାବ ନାହିଁ । ଆପଣ ଯେତେ ଚାହିଁବେ ଦେଶ ଦେବାରେ ସକ୍ଷମ । ଦେଶରେ ସ୍ୱତନ୍ତ୍ର ଶକ୍ତି ଯୋଡ଼ି ହେଉଛି । ମା ଏବଂ ଭଉଣୀମାନେ ଦେଶକୁ ଆହୁରି ଶକ୍ତିଶାଳୀ କରୁଛନ୍ତି । ଏହା ସାଧାରଣ ଜନତାଙ୍କ କଠିନ ପରିଶ୍ରମ । କୃଷକଙ୍କ ଶକ୍ତି ଯୋଡ଼ି ହେଉଥିବାରୁ ଦେଶ କୃଷିକ୍ଷେତ୍ରରେ ଆଗକୁ ବଢ଼ୁଛି । ମୁଁ ଶ୍ରମିକ ଏବଂ ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।
ଭାରତ ବିଶ୍ୱକୁ ମାନବିକତା ଶିଖାଇଛି
କରୋନା ମହାମାରୀ ପରେ ବିଶ୍ୱର ଗତିପଥ ବଦଳିଛି । ନୂଆ ଶକ୍ତିର ଆବିର୍ଭାବ ହୋଇଛି । କୋଭିଡ କାଳରେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି । ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଛି ଦେଶ । କରୋନା ପରେ ଭାରତ ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି । ବିଶ୍ୱବାସୀଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଦେଖାଉଛୁ । ଭାରତ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି ।
ମଣିପୁର କଥା କହିଲେ ମୋଦି
କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି । ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି । ସାରା ଦେଶ ମଣିପୁରବାସୀଙ୍କ ପଛରେ ଛିଡ଼ା ହୋଇଛି । ଉତ୍ତର ପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ଦିନକୁ ଦିନ ସୁଧୁରୁଛି ।
ସଂସ୍କାର ଆଣିବା ପାଇଁ ହିମତ ଦରକାର
୨୦୧୪ରେ ସରକାର ଗଠନ କରିବା ପରେ ସଂସ୍କାର ଅଣାଯାଇଛି । ସଂସ୍କାର ଆଣିବା ପାଇଁ ଦରକାର ସାହସ, ଯାହା ମୋ ସରକାରର ରହିଛି । ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି । ମୋ ସରକାର ଜଳଶକ୍ତି ମନ୍ତ୍ରାଳୟ ଗଠନ କରିଛି ।
ଭ୍ରଷ୍ଟାଚାର ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା
ଭ୍ରଷ୍ଟାଚାର ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା। ୧୦ ବର୍ଷ ତଳେ ରାଜ୍ୟକୁ ୩୦ ଲକ୍ଷ କୋଟି ଟଙ୍କା ଯାଉଥିଲା । ବର୍ତ୍ତମାନ ରାଜ୍ୟମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଉଛି । ଗରିବଙ୍କ ଘର ପାଇଁ କେବଳ ୯୦ ହଜାର ମିଳୁଥିଲା । ବର୍ତ୍ତମାନ ଏହାକୁ ବଢ଼ାଇ ୪ ଲକ୍ଷ ଟଙ୍କାରେ ପହଞ୍ଚା ଯାଇଛି । ୫ ବର୍ଷ ଭିତରେ ୧୩.୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି । ଦେଶରୁ ଗରିବୀ କମିଲେ ମଧ୍ୟମ ବର୍ଗଙ୍କ ଶକ୍ତି ବଢିବ। ଏଣୁ ଆସନ୍ତା ୫ବର୍ଷ ଏହା ପୂରଣ କରିବାକୁ ଲକ୍ଷ୍ୟ ଥିବା ସେ କହିଛନ୍ତି । ଆଧୁନିକତା ଆଡେ ଦେଶ ଅଗ୍ରସର ହେଉଛି, ଏଣୁ କେବେ ଥକିବୁନି କିମ୍ବା ହାରିବୁନି ବୋଲି ମୋଦି କହିଛନ୍ତି ।
ମଧ୍ୟମ ବର୍ଗର ଶକ୍ତି ବଢ଼ିବ
ଦେଶରେ ଗରୀବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢ଼ିବ । ଆସନ୍ତା ୫ ବର୍ଷରେ ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ । ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢ଼ିବ । ସହରରେ ଘର କରି ରହିବା ପାଇଁ ସହଯୋଗ ଦିଆଯିବ । ବ୍ୟାଙ୍କରୁ ରିହାତିରେ ଋଣ ଯୋଗାଇ ଦିଆଯିବ । ଆଧୁନିକତା ଆଡେ ଆମେ ଅଗ୍ରସର ହେଉଛନ୍ତି ।
ଏକତା ନେଇ ସଂକଳ୍ପ ନେବା
ରାଷ୍ଟ୍ର ଚରିତ୍ର ନେଇ ନୂଆ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିବିଧତା ଭିତରେ ଏକତା ନେଇ ସଂକଳ୍ପ ନେବା । ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ସଂକଳ୍ପ ନେବା । ଚନ୍ଦ୍ରଯାନରେ ମହିଳା ବୈଜ୍ଞାନକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜି-୨୦କୁ ସଫଳ କରିବା ପାଇଁ ମହିଳାଙ୍କ ଭୂମିକା ପ୍ରଶଂସନୀୟ । ଭାରତ ଗଣତନ୍ତ୍ରର ଜନନୀ, ବିବିଧତାର ପ୍ରତୀକ । ଆଜି ଦେଶର ୧୦ କୋଟି ମହିଳା SHGରେ ଯୋଡ଼ି ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ୍ ଟ୍ରେନିଂ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ହଜାର ସଂଖ୍ୟାରେ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରିପାରିବେ ।
ପରିବାରବାଦ ତୁଷ୍ଟୀକରଣ ବିରୋଧରେ ଲଢ଼ିବି’
ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପରିବାରବାଦ, ତୁଷ୍ଟୀକରଣ ବିରୋଧରେ ଲଢ଼ିବି। ଭ୍ରଷ୍ଟାଚାର ଦୂର ପାଇଁ ମୁଁ ସଂକଳ୍ପ ନେଇଛି। ୩ଟି କୁବ୍ୟବସ୍ଥା ଯଥା ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟୀକରଣ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି । ପରିବାରବାଦକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଏଠି ପାର୍ଟି ପରିବାର ପାଇଁ, ପାର୍ଟି ପରିବାରର, ପାର୍ଟି ପରିବାର ଦ୍ୱାରା ଚାଲିଛି । ୨୦୧୪ରେ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲି । ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ପାଇଁ କାର୍ଯ୍ୟ କରି ଚାଲିଛି । ..
ଭାରତ ଗଣତନ୍ତ୍ରର ଜନନୀ, ବିବିଧତାର ପ୍ରତୀକ
ଜି-୨୦କୁ ସଫଳ କରିବା ପାଇଁ ମହିଳାଙ୍କ ଭୂମିକା ପ୍ରଶଂସନୀୟ । ଭାରତ ଗଣତନ୍ତ୍ରର ଜନନୀ, ବିବିଧତାର ପ୍ରତୀକ । ଆଜି ଦେଶର ୧୦ କୋଟି ମହିଳା SHGରେ ଯୋଡ଼ି ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ୍ ଟ୍ରେନିଂ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ହଜାର ସଂଖ୍ୟାରେ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରିପାରିବେ ।
ଆଧୁନିକତା ଆଡକୁ ଦେଶ ଅଗ୍ରସର ହେଉଛି
ସବୁ କ୍ଷେତ୍ରରେ ଦେଶର ବିକାଶ ଚାଲିଛି । ଯୁବବର୍ଗ ଓ ମହିଳାଙ୍କୁ କର୍ମସଂସ୍ଥାନ ମିଳୁଛି । ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଲୋକଙ୍କୁ ଆର୍ଥିକ ଅଭିବୃଦ୍ଧି ଆଣିଦେଇଛି । କେନ୍ଦ୍ର ସରକାର ଯେଉଁ ପ୍ରକଳ୍ପର ଭିତ୍ତିସ୍ଥାପନ କରୁଛନ୍ତି ସମୟ ପୂର୍ବରୁ ସାରି ଦେଇଖାଇଛନ୍ତି ବୋଲି ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।...
ବ୍ୟବସାୟୀଙ୍କ ଉନ୍ନତି ପାଇଁ 'ବିଶ୍ୱକର୍ମା ଯୋଜନା'
ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ 'ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ସରକାର ସାହାଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିରେ ସୁନା କାରିଗର, କମାର, ବାରିକ, ମୋଚି ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ୧୩-୧୫ ହଜାର କୋଟିର ବ୍ୟୟ ଅଟକଳ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)