• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶରେ ମୁଣ୍ତ ଟେକିଛି କୃଷକ ଆନ୍ଦୋଳନ । ସରକାରଙ୍କ MSP କୁ ବିରୋଧ କରି କୃଷକମାନଙ୍କର ଆନ୍ଦୋଳନ ଚାଲିଛି । ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।

ଜୁନିୟର ଇଞ୍ଜିନିୟରଙ୍କ ଅଭିଯୋଗ ଆଧାରରେ ଗତ ଜାନୁଆରୀ ୨୩ ରେ ପୋଲିସ ଏହି ମାମଲା ଦାୟର କରିଥିଲା । ସେବେ FIR ଦାୟର ହୋଇଥିବା ନେଇ ଏହାକୁ ଗୁପ୍ତ ରଖାଯାଇଥିଲା । ବର୍ତ୍ତମାନ ପ୍ରାୟ ଏକ ମାସ ପରେ ଏହା ସାମ୍ନାକୁ ଆସିଛି । ତେବେ କୃଷକମାନେ ଏପରି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଥିବା ବେଳେ ମାମଲାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଆଇପିସିର ୧୮ ଟି ବିଭାଗ ଅଧୀନରେ୫୦୬, ୪୨୭, ୧୫୩ (ଏ), ୩୪, ୧୨୦ (ବି), ୭, ୩, ୪ ଇତ୍ୟାଦି ଅନ୍ତର୍ଭୁକ୍ତ କରି ମାମଲା ରୁଜୁ ହୋଇଛି । ଉକ୍ତ FIR ରେ ଭାରତ କିସାନ ପରିଷଦର ଜାତୀୟ ସଭାପତି ସୁଖଭୀର ଖଲିଫାଙ୍କ ସମେତ ୪୬ ନାମିତ ୭୦୦ ଅଣନାମିତ କୃଷକ ତାଲିକାଭୁକ୍ତ ହୋଇଛନ୍ତି ।

ସେପଟେ କେନ୍ଦ୍ର ସରକାରଙ୍କ MSP ପ୍ରସ୍ତାବକୁ ପ୍ରତ୍ୟାଖାନ ପରେ ଆଜି ଚାଷୀଙ୍କ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀ-ହରିୟାଣା ସମ୍ଭୁ ସୀମାରେ ମେଳି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରତ ଚାଷୀ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ, ଦିଲ୍ଲୀ- ହରିୟାଣା ସୀମା ଗୁରୁଗ୍ରାମରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଚାଷୀଙ୍କୁ ଦିଲ୍ଲୀ ଅଭିମୁଖେ ଆସିବା ପୂର୍ବରୁ ବାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଦିଲ୍ଲୀ ରାଜରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଟ୍ରାଫିକରେ ଫସି ରହିଛି । ଟ୍ରାଫିକ ସମସ୍ୟାକୁ ନଜରରେ ରଖି ଅନେକ ସ୍ଥାନରେ ରୁଟ୍ ଡାଇଭର୍ସନ ହୋଇଛି । ତଥାପି ରାସ୍ତାରେ ଗାଡ଼ି ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଛି ।

ଘଣ୍ଟା ଘଣ୍ଟା ଗାଡ଼ି ରାସ୍ତାରେ ଅଟକି ରହିଥିବାରୁ ଅଫିସ ଯିବାକୁ ଅସୁବିଧା ଭୋଗୁଛନ୍ତି କର୍ମଚାରୀ । ଅନ୍ୟପଟେ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ଥିତି ଉପରେ ଗୃହ ମନ୍ତ୍ରାଳୟ ନଜର ରଖିଛି ।