• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିର ଦୁନିଆରେ ଜଣେ ଟଙ୍କାଟିଏ ଦେବା ପୂର୍ବରୁ ଶହେ ଥର ଭାବୁଛି । କଣ ପାଇଁ ଦେବି ଓ କାହିଁକି ଦେବି ବୋଲି ପ୍ରଶ୍ନ ମଧ୍ୟ କରୁଛି । ଦାନଧର୍ମ କରିବାକୁ ଲୋକେ ପସନ୍ଦ ବି କରୁନାହାନ୍ତି । କିନ୍ତୁ ତାମିଲନାଡ଼ୁର ଜଣେ ବୃଦ୍ଧ ନିଜର ସର୍ବସ୍ୱ ଗରିବ ପିଲାଙ୍କ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କ ପାଖରେ କୁଟା ଖଣ୍ତିକ ନଥାଇ ବି ସେ ଏବେ ବିଶ୍ୱର ସବୁଠୁ ବଡ଼ ଧନୀ ।

ତାମିଲନାଡୁ ଥିରୁନେଭଲି ଜିଲ୍ଲାର ମେଲାକାରିଭେଲାମକୁଲମ୍ ଗ୍ରାମର ବାସିନ୍ଦା ପାଲମ୍ କଲ୍ୟାଣସୁନ୍ଦରମ୍ । ପାଖରେ ୨ହଳ ପୋଷାକ, କିଛି ଆସବାବ ପତ୍ର, ଦି ବଖରା ଘର ଛଡା ଆଉ କିଛି ବି ନାହିଁ । ୧୯୫୩ରେ ତାମିଲନାଡୁର ଏକ ଛୋଟିଆ ଗାଁ ମେଲାକାରିଭେଲାମକୁଲମ୍‌ରେ କଲ୍ୟାଣସୁନ୍ଦରମଙ୍କ ଜନ୍ମ । ଜନ୍ମର ବର୍ଷଟେ ପରେ ବାପା ଛାଡି ଆରପାରିକୁ ଚାଲିଗଲେ । ପିଲାଟି ବେଳୁ ଗରିବ ଦୁଃଖୀଙ୍କ ପାଇଁ ସେବା କରିବା ପାଇଁ ତାଙ୍କ ମାଆ ତାଙ୍କୁ ପ୍ରେରଣା ଦେଉଥିଲେ ।

ମାଆ ଅତି କଷ୍ଟରେ ପୁଅକୁ ଭଲ ମଣିଷଟିଏ ଗଢି ତୋଳିବାକୁ ଅଣ୍ଟା ଭିଡିଲେ । ମାଆ ସବୁବେଳେ ତାଙ୍କୁ ଖୁସି ରହିବାର ୩ ଟି ମନ୍ତ୍ର ଶିଖାଉଥିଲେ । ପ୍ରଥମ ଜୀବନରେ କେବେ ଲୋଭ କରିବୁନି, ଦ୍ୱିତୀୟରେ ରୋଜଗାରର ୧୦ ପ୍ରତିଶତ ଦାନ କରିବୁ ଏବଂ ତୃତୀୟରେ ପ୍ରତିଦିନ ଜଣକୁ ସାହାଯ୍ୟ କରିବୁ । ମାଆଙ୍କର ଏଇ କେଇ ପଦକ କଥାକୁ ଗୁରୁମନ୍ତ୍ର କରିନେଲେ କଲ୍ୟାଣସୁନ୍ଦରମ୍ । ଆଉ ମାଆଙ୍କ ଉପଦେଶ ଠାରୁ ଆହୁରି ଆଗେଇ ଯାଇ କିଛି ଏପରି କଲେ ଯାହାକୁ ଏବେ ସାରା ବିଶ୍ୱ ପ୍ରଶଂସା କରୁଛି ।

ଅଧିକ ପଢ଼ନ୍ତୁ: ଧନୀ ହେଉଛି ଦେଶ: ଭାରତରେ କମୁଛି ଗରିବଙ୍କ ସଂଖ୍ୟା

କଲ୍ୟାଣସୁନ୍ଦରମ୍ ଗାଁ ସ୍କୁଲରୁ ଦଶମ ଓ ପାଖ ଏକ ସରକାରୀ କଲେଜରୁ ଦ୍ୱାଦଶ ପଢା ଶେଷ କରିବା ପରେ ତାମିଲ ବିଷୟରେ ଡିଗ୍ରୀ କରିବାକୁ ଇଚ୍ଛା କଲେ । ହେଲେ ଏହି ବିଷୟ ଅପ୍ସନାଲ ନେଇ ପଢିବାରେ ସେ ପ୍ରଥମ ଓ ଏକମାତ୍ର ଛାତ୍ର ଥିବାରୁ ଅନ୍ୟ କୌଣସି ବିଷୟ ନେଇ ପାଠପଢ଼ିବାକୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ପରାମର୍ଶ କହିଥିଲେ । ହେଲେ ସେ ମନା କରିଦେଇଥିଲେ । ଏହି କଥା ଜାଣିପାରିଥିଲେ ଏମଟିଟି ହିନ୍ଦୁ କଲେଜର ଫାଉଣ୍ଡର କାରୁମୁଟୁ ତ୍ୟାଗରାଜା ଚେତିଆର । ତାଙ୍କୁ ନିଜ କଲେଜରେ ତାମିଲ ବିଷୟ ନେଇ ପଢିବାକୁ ଅନୁମତି ଦେବା ସହ ତାଙ୍କର ସବୁ ପଢା ଖର୍ଚ୍ଚ ଉଠାଇଥିଲେ ।

ଏହାପରେ ସେ ୩ଟି ବିଷୟରେ ଏମଏ କଲେ । ପ୍ରଥମେ ସାହିତ୍ୟ ଓ ଇତିହାସରେ ସ୍ନାତକୋତ୍ତର କରିବା ପରେ ଲାଇବ୍ରେରୀ ସାଇନ୍ସରେ ସ୍ନାତକୋତ୍ତର କଲେ । ଆଉ ପଢା ଶେଷ ପରେ ତାଙ୍କୁ ତାମିଲନାଡୁ ୟୁନିଭର୍ସିଟିରେ ଲାଇବ୍ରେରିଆନ୍ ଭାବେ ନିଯୁକ୍ତି ମିଳିଲା । କଲ୍ୟାଣସୁନ୍ଦରମ ବିଶ୍ୱର ୧୦ଜଣ ଶ୍ରେଷ୍ଠ ଲାଇବ୍ରେରିଆନଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି । ଲାଇବ୍ରେରୀ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ସହ ସାହିତ୍ୟ ଏବଂ ଇତିହାସରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ମାଆଙ୍କ ୩ଟି ଉପଦେଶକୁ ମନେରଖି ୟୁନିଭର୍ସିଟିରୁ ଯାହା ଦରମା ପାଅନ୍ତି ସବୁକିଛି ଗରିବ ପିଲାଙ୍କ ପଢା ପାଇଁ ଦାନ କରିଦିଅନ୍ତି । ନିଜ ପାଇଁ କିଛି ବି ରଖନ୍ତି ନାହିଁ । ଗରିବଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ସେ ସବୁ ଅର୍ଥ ଦାନ କରନ୍ତି । ଅବସର ପରେ ସେ ଏକ ହୋଟେଲ୍‌ରେ ୱେଟର୍‌ ଭାବେ କାମ ମଧ୍ୟ କରିଥିଲେ । ଦିନକୁ ଦୁଇଥର ଖାଇବା ଏବଂ ଅଳ୍ପ ବେତନ ଦ୍ୱାରା ସେ ଅନାଥ ଆଶ୍ରମ ତଥା ଗରିବ ପିଲାମାନଙ୍କ ଶିକ୍ଷା ପାଣ୍ଠିରେ ଦାନ ଜାରି ରଖିଥିଲେ। ଏପରିକି ଚାକିରି ଶେଷରେ ତାଙ୍କୁ ମିଳିଥିବା ୧୦ ଲକ୍ଷ ଟଙ୍କାରୁ ଟଙ୍କାଟିଏ ବି ନରଖି ସବୁ ଗରିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାନ କଲେ ।

ଧିରେ ଧିରେ ତାଙ୍କର ମହାନତା ବିଷୟରେ ରାଜ୍ୟ ଓ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇଲେ । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ମଧ୍ୟ ତାଙ୍କୁ ଭେଟିବାକୁ ଖୋଜିଥିଲେ । ତାଙ୍କର ଅନନ୍ୟ ସେବା ଯୋଗୁଁ ଆମେରିକାର ଏକ ସଂସ୍ଥା ‘ ତାଙ୍କୁ ମ୍ୟାନ୍ ଅଫ୍ ଦି ମିଲେନିଅମ୍ ‘ ଉପାଧିରେ ସମ୍ମାନୀତ କରିଥିଲେ ଏବଂ ପୁରସ୍କାର ବାବଦରେ ୩୦ କୋଟି ଟଙ୍କା ଦେଇଥିଲେ । ଏହି ଅର୍ଥକୁ ମଧ୍ୟ କଲ୍ୟାଣସୁନ୍ଦରମ୍ ଗରିବ ପିଲାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାନ କରିଦେଇଥିଲେ । କଲ୍ୟାଣସୁନ୍ଦରମଙ୍କୁ ଦେଶ ବିଦେଶର ସଂସ୍ଥା ଗୁଡିକରୁ ଅଜସ୍ର ସମ୍ମାନ ମିଳିଛି । ଏପରିକି ସାଉଥ୍ ସୁପରଷ୍ଟାର ତାଙ୍କୁ ନିଜର ଗୁରୁ ବୋଲି ମାନିବା ସହ ତାଙ୍କୁ ପୋଷ୍ୟ ପିତା ଭାବେ ଗ୍ରହଣ କରିଛନ୍ତି ।

ସମାଜସେବା ଓ ତ୍ୟାଗ ହିଁ ତାଙ୍କର ଏକମାତ୍ର ବ୍ରତ । ଯାହାପାଇଁ ସେ ନିଜକୁ ଅବିବାହିତ ରଖିଲେ । ଏବେବି ମାସକୁ ମାସ ପାଉଥିବା ପୁରା ପେନସନକୁ ଅସହାୟ , ଗରିବଙ୍କ ସେବା ପାଇଁ ଦାନ କରୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ନିଜର ଭରଣପୋଷଣ ପାଇଁ ସେ ଏକ ହୋଟେଲରେ ୱେଟର କାମ କରୁଛନ୍ତି । ନିଜ ପୈତୃକ ସମ୍ପତ୍ତିକୁ ମଧ୍ୟ ଦାନ କରିଛନ୍ତି । ଏତିକିରେ ତାଙ୍କ ଦାନ ସରିନି । ମୃତ୍ୟୁ ପରେ ତାଙ୍କ ଅଙ୍ଗକୁ ମଧ୍ୟ ଦାନ କରିବାକୁ ସେ ଘୋଷଣା କରିଛନ୍ତି । ସେଥିପାଇଁ ଆଜି ସାରା ବିଶ୍ୱ ତାଙ୍କୁ ‘କଳିଯୁଗର ଦାନବୀର ହରିଶ୍ଚନ୍ଦ୍ର’ ବୋଲି କହୁଛନ୍ତି ।