Advertisment

G20: ଅତିଥିଙ୍କ ପାଇଁ ସଜେଇ ହୋଇଛି ଭାରତ ମଣ୍ଡପମ୍‌, ଦେଖନ୍ତୁ ଏହାର ମନୋରମ ଦୃଶ୍ୟ

ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bharat Mandapam

Bharat Mandapam

ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ କରାଯାଇଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏନେଇ ଚାଲିଛି ବ୍ୟାପକ ଆୟୋଜନ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହେଲାଣି। ସେହିପରି ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ା କରାଯାଇଛି।

Advertisment

ଚିକମିକ୍ ଆଲୋକମାଳାରେ ଝଲସୁଛି ଦିଲ୍ଲୀର ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି । 

Advertisment

ସେହିପରି ରାସ୍ତାକଡ଼ ପ୍ରାଚୀରରେ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି । ଜି-୨୦ ସମ୍ମିଳନୀକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୋଲିସ ପକ୍ଷରୁ ଛକ ଛକରେ ଜୋରଦାର ଚେକିଂ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି । ଅତିଥିମାନଙ୍କ ସୁରକ୍ଷା ଦିଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ମଧ୍ୟ ତୀକ୍ଷ୍ମ ନଜର ରଖିଛି । ଖୋଲାଯାଇଛି ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର୍ । ୪୪୧ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳରେ ୧୬ ଶହ ସ୍ମାର୍ଟ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି । ଆକାଶରୁ ମଧ୍ୟ ଜଗୁଛି ଡ୍ରୋନ୍ । ସେହିପରି ଜିପିଏସ୍ ମାଧ୍ୟମରେ ଯାନଗୁଡିକର ଟ୍ରାକିଂ ବ୍ୟବସ୍ଥା କରାଯାଇଛି।

ଭାରତ ମଣ୍ଡପମ୍ ପରିସରରେ ସଭାସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନକୁ ସବୁ ଡଗସ୍କ୍ୱାଡ୍ ଏବଂ ବମସ୍କ୍ୱାଡ୍ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ ମଧ୍ୟ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ମିଡିଆ ସେଣ୍ଟର ବୁଲି ଦେଖିଛନ୍ତି । ଜି-୨୦ ସମ୍ମିଳନୀ ପୂର୍ବରୁ ଇଣ୍ଟରନାସନାଲ ମିଡିଆ ସେଣ୍ଟରରେ କି କି ସବୁ ଆୟୋଜନ ହୋଇଛି, କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ଯୁଦ୍ଧବିମାନ ମୁତୟନ କରିଛି । ରାଫେଲ, ମିରେଜ୍-୨୦୦୦ ଏବଂ ସୁଖୋଇ-୩୦ ଏମ୍ କେଆଇ ସମେତ ସର୍ଫେସ୍ ଟୁ ଏୟାର ମିଜାଇଲ୍ ସିଷ୍ଟମ୍ ବି ସକ୍ରିୟ ରଖାଯାଇଛି । ସେହିପରି ପଂଜାବ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସେନା ଘାଟି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ପକ୍ଷରୁ କୁହାଯାଇଛି । ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳର ବାୟୁସୀମାକୁ ମୁଖ୍ୟତଃ ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ସୁରକ୍ଷା ଦେଉଛି ।

ଡେଲିଗେଟ ରହିବାକୁ ଥିବା ହୋଟେଲଗୁଡିକର ସମସ୍ତ ୱିଣ୍ଡୋରେ ବୁଲେଟପ୍ରୁଫ ଗ୍ଲାସ ଲଗାଯାଇଛି । ଏହା ବ୍ୟତୀତ ସେହି ଅଞ୍ଚଳର କିଛି ଅଂଶ ବୁଲେଟ ପ୍ରୁଫ ଗ୍ଲାସ ସହିତ ଆଚ୍ଛାଦିତ ରହିଛି। ଦିଲ୍ଲୀ ପୋଲିସର ସୁରକ୍ଷା ୟୁନିଟ ସମସ୍ତ କେନ୍ଦ୍ରୀୟ ଏଜେନ୍ସିଗୁଡିକର ସହଯୋଗରେ ପୂର୍ଣ୍ଣ କ୍ଷମତା ସହିତ ରିହର୍ସାଲ କରିଛନ୍ତି ।

ଏପଟେ ଦିଲ୍ଲୀର ନାମିଦାମୀ ଷ୍ଟାର୍ ହୋଟେଲ ଗୁଡିକରେ ମଧ୍ୟ ଦେଖାଦେଲାଣି ପ୍ରବଳ ଉତ୍ସାହ। ଦେଶ ବିଦେଶରୁ ଆସିବାକୁ ଥିବା ଅତିଥିଙ୍କ ପାଇଁ ହୋଟେଲ୍ ଗୁଡିକୁ ସଜାଯିବା ସହିତ ଖାଦ୍ୟପଦାର୍ଥରେ ବ୍ୟାପକ ଭେରାଇଟିଜ୍ ପ୍ରସ୍ତୁତ କରାଯାଉଛି। ବିଶେଷ କରି ୟୁନାଇଟେଡ୍ ନେସନ ବର୍ଷ ୨୦୨୩କୁ ଇଣ୍ଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ୍ ବୋଲି ଘୋଷଣା ପରେ ଏବେ ମାଣ୍ଡିଆରେ ପ୍ରସ୍ତୁତ ଆଇଟମକୁ ବିଦେଶୀ ଅତିଥିଙ୍କୁ ପରସିବାକୁ ପ୍ରସ୍ତୁତି ଚାଲିଛି। ଖାଲି ସେତିକି ନୁହେଁ, ଅତିଥି ମାନେ ଜଅ ଏବଂ ବାଜରାରେ ତିଆରି ଖାଦ୍ୟପେୟର ମଧ୍ୟ ମଜା ଉଠାଇପାରିବେ। ଅତିଥିଙ୍କ ଲାଗି ବିଭିନ୍ନ ପ୍ରକାରର ଡ୍ରାଏ ଫ୍ରୁଟ୍ସ ସହ ମାଣ୍ଡିଆରେ ପ୍ରସ୍ତୁତ କେକ୍ ରଖାଯାଇଛି।

ସୁରକ୍ଷା ଦୃଷ୍ଟିରେ ଦିଲ୍ଲୀରେ ୫୦ହଜାର ପୋଲିସ ଫୋର୍ସ ସହିତ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ମୁତୟନ ରହିଛି । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଷ୍ଟେସନର କିଛି ଗେଟ୍, ସରକାର ଅଫିସ୍, ସ୍କୁଲ କଲେଜ ଓ ଅନଲାଇନ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ୯ରୁ ୧୧ ଯାଏଁ ୨୦୭ଟି ଟ୍ରେନ୍ ବାତିଲ କରାଯାଇଛି ।

Delhi G20 Summit
Advertisment
Advertisment