• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ଡୋମ୍ବିଭାଲିରେ ଗତକାଲି ଏହି ଦୁଃଖଦ ଘଟଣା ଘଟିଛି। ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ- ମୀରା ଗାଇକୱାଡ୍‌(୫୫), ତାଙ୍କ ବୋହୂ ଅପେକ୍ଷା(୩୦) ଓ ନାତି ମୟୁରେଶ(୧୫), ମୋକ୍ଷ(୧୩) ଏବଂ ନୀଲେଶ(୧୫)। ଏମାନଙ୍କ ଘର ସନ୍ଦପ ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କପଡ଼ା ଧୋଇବା ଲାଗି ଗାଁ ନିକଟ ପୋଖରୀକୁ ଏମାନେ ଯାଇଥିଲେ। ସେଠାରେ ମୀରା ଓ ତାଙ୍କ ବୋହୂ ଅପେକ୍ଷା କପଡ଼ା ଧୋଉଥିଲେ। ଏହି ସମୟରେ ସେମାନଙ୍କ ସହ ଯାଇଥିବା ୩ ପିଲାଙ୍କ ମଧ୍ୟରୁ ଜଣେ ହଠାତ୍‌ ପୋଖରୀରେ ବୁଡ଼ି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଥିବା ପରିବାରର ଅନ୍ୟ ସଦସ୍ୟ ତାଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। ଜଣେ ଜଣେ କରି ବାକି ୪ ଜଣ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଦୁର୍ଭାଗ୍ୟବଶତଃ, ପାଣିରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି। 

ଏକାସଙ୍ଗେ ପରିବାରର ୫ ଜଣଙ୍କ ଅକାଳ ବିୟୋଗ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ଘଟଣାକୁ ନେଇ ଗାଁ ଲୋକଙ୍କୁ ପୋଲିସ୍‌ ପଚରାଉଚରା ଚଳାଇଛି।